୬୦ ଟଙ୍କା ଭତ୍ତା ବୃଦ୍ଧିକୁ ଗୃହରକ୍ଷୀ ମହାସଂଘର ବିରୋଧ

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଦରମା ଦେବାକୁ ଦାବି

ଭୁବନେଶ୍ୱର : ଚଳିତମାସ ୧ ତାରିଖ ଦିନ ରାଜ୍ୟ ସରକାର ଗୃହରକ୍ଷୀମାନଙ୍କ ଭତ୍ତା ମାତ୍ର ୬୦ଟଙ୍କା ବୃଦ୍ଧି କରି ଦୈନିକ ୩୦୦ ଟଙ୍କା ପାଇବା ଘୋଷଣା ନିଷ୍ପତ୍ତିକୁ ରାଜ୍ୟ ଗୃହରକ୍ଷୀ ମହାସଂଘ ବିରୋଧ କରିଛି।

ମହାସଂଘ ସଭାପତି ଉପେନ୍ଦ୍ର ମହାପାତ୍ର ଏକ ପ୍ରେସ୍‌ବିଜ୍ଞପ୍ତି ଜରିଆରେ କହିଛନ୍ତି, ୨୦୧୬ ଜୁଲାଇ ମାସରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଗୃହରକ୍ଷୀଙ୍କ କାର୍ଯ୍ୟକୁ କନେଷ୍ଟବଳଙ୍କ କାର୍ଯ୍ୟ ସହ ସମାନ ବୋଲି ଘୋଷଣା କରିଥିଲେ। କନେଷ୍ଟବଳଙ୍କ ଦରମା ଅନୁଯାୟୀ ଦରମା ପ୍ରଦାନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସପ୍ତମ ବେତନ କମିସନ ଅନୁଯାୟୀ କନେଷ୍ଟବଳମାନେ ଦୈନିକ ୭୪୯ ଟଙ୍କା ଦରମା ପାଉଥିବା ବେଳେ ଗୃହରକ୍ଷୀମାନଙ୍କ ଦରମା ମାତ୍ର ୬୦ଟଙ୍କା ବୃଦ୍ଧି କରି ଦୈନିକ ୩୦୦ ଟଙ୍କା ପ୍ରଦାନ ନିଷ୍ପତ୍ତିି ହାସ୍ୟାସ୍ପଦ। ପୂର୍ବରୁ ରାଜ୍ୟ ସରକାର ଗୃହରକ୍ଷୀଙ୍କ ଦରମାରେ ମହଙ୍ଗା ଭତ୍ତାକୁ ଭୁଲ୍‌ କ୍ରମେ ନ ମିଶାଇ ୨୪୦ଟଙ୍କା ପ୍ରଦାନ କରୁଥିଲେ ବୋଲି ସଂଘ କହିଛି। ଯେଉଁଥିପାଇଁ ମହାସଂଘ ପକ୍ଷରୁ ଏବେବି ଆନ୍ଦୋଳନ ଜାରି ରହିଛି।

ପୁନର୍ବାର ରାଜ୍ୟ ସରକାର ସପ୍ତମ ବେତନ କମିସନ୍‌ ଅନୁଯାୟୀ ଦରମା ପ୍ରଦାନ ନକରି ମାତ୍ର ୬୦ଟଙ୍କା ବୃଦ୍ଧି କରିବା ରାଜ୍ୟ ସରକାରଙ୍କ ଗୃହରକ୍ଷୀ ମାରଣ ନୀତି ବୋଲି ଗୃହରକ୍ଷୀମାନେ କହିଛନ୍ତି। ତେଣୁ ତୁରନ୍ତ ଦାବି ପୂରଣ ନହେଲେ ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ପରିବାର ସହ ଧାରଣା ଦିଆଯିବ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛି। ସଂଘର ଆଇନ ପରାମର୍ଶଦାତା ଜ୍ଞାନେନ୍ଦ୍ର କୁମାର ତ୍ରିପାଠୀ କହିଛନ୍ତି, ରାଜ୍ୟସରକାର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଲାଗୁ କରିବା ପରେ ଏହାକୁ ପୁନର୍ବାର ଅବମାନନା କରିବା ଅସାମ୍ବିଧାନିକ ।

ସମ୍ବନ୍ଧିତ ଖବର