ଅସହାୟ ମହିଳାଙ୍କୁ ମିଳୁନି ବାସଗୃହ : ମେଡିକାଲ ବାରଣ୍ଡାରେ ବିତୁଛି ଜୀବନ

କଲ୍ୟାଣସିଂହପୁର : ସରକାର ସମସ୍ତ ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ୨୦୧୯ ମସିହା ସୁଧା କେହି ବେଘର ରହିବେ ନାହିଁ ଡିଣ୍ଡିମ ପିଟୁଛନ୍ତି। ଏସଇସି ତାଲିକା ଅନୁସାରେ ସମସ୍ତ ବାସହୀନଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ କଡା ନିର୍ଦେଶ ବି ଦିଆଯାଇଛି। ତେଣୁ ଜିଲ୍ଲା ଠାରୁ ପଞ୍ଚାୟତସ୍ତରୀୟ ଅଧିକାରୀମାନେ ଗାଁ ଗାଁରେ ଲୋକଙ୍କୁ ଡାକି ମେଳା କରି ପ୍ରାଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର, ମୋ କୁଡିଆ ଯୋଜନାରେ ସାମିଲ କରି କାର୍ଯ୍ୟାଦେଶ ମଧ୍ୟ ବଣ୍ଟନ କରୁଛନ୍ତି। କିନ୍ତୁ ଜଣେ ଅସହାୟ ମହିଳାଙ୍କୁ କାହିଁକି ଆବାସ ଯୋଜନାରେ ସାମିଲ କରାଯାଉନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା କାମ୍ପସାହିର ଜଣେ ଅସହାୟ ମହିଳା ବି.ଜାନକୀଙ୍କ ଘର ନଥିବାରୁ ପ୍ରାୟ ଏକ ବର୍ଷ ହେବ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବାରଣ୍ଡାରେ ମୁଣ୍ଡ ଗୁଂଜିଛନ୍ତି। ଡାକ୍ତରଖାନା ବାରଣ୍ଡାରେ ଅଖା ପକାଇ ନିଜ ଜୀବନ ଅତିବାହିତ କରୁଛନ୍ତି। ଜାନକୀ କାମ୍ପ ସାହିରେ ନିଜ ଭାଇ ଘରେ ରହୁଥିଲେ। ତେବେ ଗତ ବନ୍ୟାରେ ଭାଇ ଘର ଭୁଶୁଡି ଯାଇଥିବାରୁ ସେହିଦିନ ଠାରୁ ଡାକ୍ତରଖାନା ବାରଣ୍ଡାକୁ ନିଜ ଘର କରି ରହୁଛନ୍ତି। ବାରଣ୍ଡାରେ ମୁଣ୍ଡ ଗୁଂଜିଥିବା ବେଳେ ଖାଇବା ପାଇଁ ଠିକ୍‌ ମିଳୁନଥିବାରୁ ଅନେକ ସମୟରେ ଭୋକିଲା ରହୁଥିବା କହିଛନ୍ତି। ନିଜର ବୋଲି କେହି ନଥିବାରୁ ପ୍ରତି ଦିନ ସକାଳୁ ଡାକ୍ତରଖାନାରୁ ବାହାରି ଭିକ୍ଷା ମାଗିଥାଏ। ସେଥିରେ ଯାହା ଆଦାୟ ହେଲେ ଖାଉଛି ବୋଲି ଜାନକୀ କୋହଭରା କଣ୍ଠରେ କହିଛନ୍ତି। ସରକାରଙ୍କ ପକ୍ଷରୁ ଟଙ୍କିକିଆ ଚାଉଳ ପାଞ୍ଚ କିଲୋ ଓ ମାସିକ ତିନି ଶହ ଟଙ୍କା ଭତ୍ତା ମିଳୁଛି। ଡାକ୍ତରଖାନାରେ ରୋଗୀର ସଂପର୍କୀୟ କିଛି ଖାଦ୍ୟ ଆଣି ଜାନକୀକୁ ଦେଇଥାନ୍ତି। ଜାନକୀଙ୍କ ଜୀବନ ଦୀର୍ଘ ଏକ ବର୍ଷ ଧରି ଏଭଳି ଅବସ୍ଥାରେ ଚାଲିଥିବା ବେଳେ ପ୍ରଶାସନିକ ଅଧିକାରୀ କିମ୍ବା ସ୍ୱେଛାସେବୀ ସଂଗଠନ ଏଥିପ୍ରତି ଦୃଷ୍ଟି ନଦେବା ଆଶ୍ଚର୍ଯ୍ୟ ହୋଇପଡିଛି। ଲୋକ ପ୍ରତିନିଧି ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ତେବେ ଜାନକୀଙ୍କୁ ସରକାରଙ୍କ ଆବାସ ଯୋଜନାରେ ସାମିଲ କରିବା ସହ ତାଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର