ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର, ଟ୍ରାମା କେୟାର ଓ ଲିଭର ପ୍ରତିରୋପଣ ବ୍ୟବସ୍ଥା ଖୁବଶୀଘ୍ର: ସ୍ୱାସ୍ଥ୍ୟ ମନ୍ତ୍ରୀ

ଏସସିବି ମେଡିକାଲ କଲେଜ ଏବଂ ସରକାରୀ ହୋମିଓପାଥିକ ମେଡିକାଲ କଲେଜ ସମ୍ପର୍କରେ ସମୀକ୍ଷା

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ବିକାଶ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶନିବାର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତିି । ବୈଠକରେ ଉକ୍ତ ହସ୍ପିଟାଲର ବିଭିନ୍ନ ବିଭାଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । କଟକ ସ୍ଥିତ ମେରୁଦଣ୍ଡ ଆଘାତ କେନ୍ଦ୍ରକୁ ବର୍ତ୍ତମାନ ପାଇଁ ଅର୍ଥପେଡିକ ବିଭାଗ ସହିତ ସାମିଲକରି ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ । ପର୍ଯ୍ୟାୟକ୍ରମେ ଅନ୍ୟ ବିଭାଗ ଗୁଡିକୁ ଏଥି ସହିତ ଯୋଡାଯିବ । ପରବର୍ତ୍ତୀ ସମୟରେ ଏହା ସହିତ ଟ୍ରାମା କେୟାର ୟୁନିଟକୁ ସଂଯୋଗ କରାଯାଇ ଓଡିଶା ଟ୍ରାମା କେୟାର ଓ ମେରୁଦଣ୍ଡ ଆଘାତ କେନ୍ଦ୍ର ଭାବେ ନାମିତ ଲାଗି ବୈଠକରେ ସ୍ଥିର ହୋଇଛି । ବର୍ତ୍ତମାନ ଟ୍ରାମା କେୟାର ସେଣ୍ଟରରେ ଆବଶ୍ୟକ ମାନବ ସମ୍ବଳର ବ୍ୟବସ୍ଥା କରାଯିବ । ସେହିଭଳି ଜେରିଆଟିକ ଓପିଡି ସେବା ବର୍ତ୍ତମାନ ସପ୍ତାହରେ ତିନିଦିନ ପାଇଁ ଜେନେରାଲ ମେଡିସିନ ୱାର୍ଡରେ କାର୍ଯ୍ୟ କରୁଥିବାବେଳେ ଏହାକୁ ସବୁଦିନ କାର୍ଯ୍ୟକାରୀ ଲାଗି ବ୍ୟବସ୍ଥା କରଯିବା ସହିତ ସ୍ୱତନ୍ତ୍ର ଆଇପିଡି ସେବା ଉପଲବ୍ଧ କରାଯିବ । ଏହାପାଇଁ ଏକ ସ୍ୱତନ୍ତ୍ର ଭବନ ନିର୍ମାଣ ଲାଗି ୧୫ ଏକର ଜମିର ବ୍ୟବସ୍ଥା ସକାଶେ କୁହାଯାଇଛି ।

ସେହିପରି ଲିଭର ପ୍ରତିରୋପଣ ବ୍ୟବସ୍ଥା ଶୀଘ୍ର ଆରମ୍ଭ କରାଯିବା ପାଇଁ ଏ ନେଇ ଆସନ୍ତା ୭ଦିନ ଭିତରେ ଏମଓୟୁ ସ୍ୱାକ୍ଷରିତ ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତିା ତେବେ ଯଥାଶୀଘ୍ର ଅନ୍ୟାନ୍ୟ ତାଲିମ, ପରିଦର୍ଶନ ଆଦି ଆନୁଷଙ୍ଗିକ କାର୍ଯ୍ୟ ସାରିବାକୁ ବି କୁହାଯାଇଛି । ନିର୍ମାଣ ହେବାକୁ ଥିବା ଜି+୭ ସୁପର ସ୍ପେଶିଆଲିଷ୍ଟ ଭବନ କାର୍ଯ୍ୟ ପ୍ରକ୍ରିୟା ତ୍ୱରାନ୍ଵିତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀ ଯେପରି କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ମନ୍ତ୍ରୀ କହିଛନ୍ତି । ଆବଶ୍ୟକ ପଡୁଥିବା ବାଳିକା ହଷ୍ଟେଲ, ବ୍ୟାୟାମଶାଳାର ବ୍ୟବସ୍ଥା କରାଯିବା ସହ ବର୍ତ୍ତମାନ ଥିବା ବ୍ୟାୟାମଶାଳାର ଶୀଘ୍ର ପୁନରୁଦ୍ଧାର କରାଯିବ ।

ସମ୍ବନ୍ଧିତ ଖବର