ମାସ ଶେଷ ସୁଦ୍ଧା ଆଇଆଇଏମ୍‌କୁ ହଷ୍ଟେଲ ହସ୍ତାନ୍ତର ନିର୍ଦେଶ

ସମ୍ବଲପୁର : ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଆଇଆଇଏମ୍‌କୁ ହଷ୍ଟେଲ ହସ୍ତାନ୍ତରଣ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ କୁହାଯାଇଛି। ଏଥିପୂର୍ବରୁ ୨୦ ତାରିଖ ସୁଦ୍ଧା ପୂର୍ତ୍ତ ବିଭାଗ ହଷ୍ଟେଲ ନିର୍ମାଣ ଶେଷ କରି ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରିବ ବୋଲି ନିର୍ଦ୍ଦେଶ ହୋଇଛି। ଆଇଆଇଏମ୍‌ ହଷ୍ଟେଲ ସମସ୍ୟା ସମାଧାନ ନେଇ ଆଜି ବସିଥିବା ବୈଠକ ପରେ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ଆଜି ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଦୀପକ ବେହେରା, ଆଇଆଇଏମ ପ୍ରଶାସକୀୟ ମୁଖ୍ୟ ଦିପ୍ତୀରଂଜନ ମହାପାତ୍ର ଏବଂ ପୂର୍ତ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଆଇଆଇଏମ୍‌ର ୨୭ ଛାତ୍ରଙ୍କୁ ସ୍ୱତନ୍ତ୍ର ହଷ୍ଟେଲ ଦିଆଯିବା ବଦଳରେ ଡର୍ମିଟୋରିରେ ରଖାଯିବା ଏହି ବିବାଦର ମୂଳ କାରଣ ହୋଇଛି। ଇତିମଧ୍ୟରେ ଡର୍ମିଟୋରିରେ ରହୁଥିବା ୧୨ ଛାତ୍ର ପର୍ଯ୍ୟାୟକ୍ରମେ ଆଇଆଇଏମ୍‌ ସମ୍ବଲପୁର ଛାଡ଼ି ଚାଲି ଯାଇଥିବା ଆଇଆଇଏମ୍‌ ନିର୍ଦେଶକ ମହାଦେବ ଜୟସ୍ୱାଲ ଦୁଇ ଦିନ ତଳେ ପ୍ରକାଶ କରିିଥିଲେ।

ସୂଚନା ଅନୁଯାୟୀ, ଆଇଆଇଏମ୍‌ ସମ୍ବଲପୁରରେ ଗତବର୍ଷ ୬୦ ଛାତ୍ର-ଛାତ୍ରୀ ନାମ ଲେଖାଇଥିଲେ। ଚଳିତ ବର୍ଷ ଏହାର ସିଟ୍‌ ସଂଖ୍ୟାକୁ ଦୁଇ ଗୁଣ ବଢ଼ାଯାଇଥିଲା। ୧୨୦ ସିଟ୍‌ ପାଇଁ ସମୁଦାୟ ୧୧୧ ଜଣ ଛାତ୍ର ନାମ ଲେଖାଇ ଥିଲେ। ପୂର୍ବରୁ ଆଇଆଇଏମ ଶାସନ ସ୍ଥିତ ଘରୋଇ ଅନୁଷ୍ଠାନ ‘ସିଲିକନ’ରେ ଭଡ଼ାରେ ଚାଲୁଥିଲା। ଏହାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରକୁ ସ୍ଥାନାନ୍ତରଣ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଏମ୍‌ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଆଇଆଇଏମ୍‌କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ୩ଟି ହଷ୍ଟେଲ ଦେବା ପାଇଁ ସର୍ତ୍ତ ଥିଲା। ମାତ୍ର ବିଶ୍ୱବିଦ୍ୟାଳୟ ମାତ୍ର ଦୁଇଟି ହଷ୍ଟେଲ ଦେଇପାରିବ ବୋଲି ସେତେବେଳେ କୁହାଯାଇ ଥିଲା। ଜୁଲାଇ ମାସରେ ଆଇଆଇଏମ୍‌ର ପାଠପଢା ଆରମ୍ଭ ହୋଇଥିଲା। କିନ୍ତୁ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ଦୁଇଟି ହଷ୍ଟେଲ ମଧ୍ୟ ଦେଇ ପାରିନଥିଲା। ଏଥିଯୋଗୁଁ ଆଇଆଇଏମ୍‌ର ୨୭ ଛାତ୍ର ଡର୍ମିଟୋରିରେ ରହିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର