ହଷ୍ଟେଲ ଅଭାବରୁ ଛାତ୍ର ଆଇଆଇଏମ୍‌ ଛାଡ଼ିବା ଘଟଣା : ନିର୍ଦ୍ଦେଶକଙ୍କ ଅଭିଯୋଗକୁ କୁଳପତିଙ୍କ ଖଣ୍ଡନ

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଅସ୍ଥାୟୀ କ୍ୟାମ୍ପସ୍‌ରେ ହଷ୍ଟେଲ ଅଭାବରୁ ଆଇଆଇଏମ୍‌ ସମ୍ବଲପୁରର ୧୨ ଜଣ ପିଲା ପାଠପଢ଼ା ଛାଡ଼ି ଚାଲି ଯାଇଥିବା ଶନିବାର ଆଇଆଇଏମ୍‌ ଅଧ୍ୟକ୍ଷ ପ୍ର. ମହାଦେବ ଜୟସ୍ୱାଲ ଗଣମାଧ୍ୟମ ସମ୍ମୁଖରେ କହିଥିଲେ। ହେଲେ ରବିବାର ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ର. ଦୀପକ ବେହେରା ଏହାକୁ ଖଣ୍ଡନ କରିଛନ୍ତି। ‘ସମ୍ବାଦ’କୁ ନିଜ ପ୍ରତିକ୍ରିୟାରେ ପ୍ର. ବେହେରା କହିଛନ୍ତି ଆଇଆଇଏମ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଏଠାରେ ଖାପ୍‌ ଖୁଆଇ ନପାରି ଅଥବା ଅନ୍ୟ କୌଣସି କାରଣରୁ ପ୍ରତି ବର୍ଷ ପାଠପଢ଼ା ଛାଡ଼ି ଯାଆନ୍ତି। ଏଥର ୧୨ ଜଣ ଛାତ୍ର ଚାଲି ଯିବା କିଛି ନୂଆ କଥା ନୁହେଁ। ଏହାକୁ ଅକାରଣରେ ପ୍ରସଂଗ କରାଯାଉଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏକ ନୂଆ ହଷ୍ଟେଲ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏହାର ଦାୟିତ୍ୱ ପୂର୍ତ୍ତ ବିଭାଗ ପାଖରେ ରହିଛି। ଅଗଷ୍ଟ ମାସରୁ ପୂର୍ତ୍ତ ବିଭାଗ ଏହି ହଷ୍ଟେଲ ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରିବାର ଥିଲା। କିନ୍ତୁ ପୂର୍ତ୍ତ ବିଭାଗ ଦିନ ଗଡ଼ାଇ ଚାଲିଛି। ଅପରପକ୍ଷେ, ଆଇଆଇଏମର ପିଲା ଅସ୍ଥାୟୀ ଭାବେ  ରହିବାକୁ ବିଶ୍ୱବିଦ୍ୟାଳୟର ୩ଟି ପ୍ରଫେସର କ୍ୱାର୍ଟର୍ସ ପ୍ରଦାନ କରା ଯାଇଥିଲା। କିନ୍ତୁ ଆଇଆଇଏମ୍‌ ଏଥିରେ ଅରାଜି ହୋଇଥିଲା। ବର୍ତ୍ତମାନ ଆଇଆଇଏମ୍‌କୁ ଦିଆଯାଇଥିବା ହଷ୍ଟେଲର ଗୋଟିଏ ପାର୍ଶ୍ୱରେ ବିଶ୍ୱବିଦ୍ୟାଳୟର ପ୍ରାୟ ୭୦ ଜଣ ଝିଅ ରହୁଛନ୍ତି। ତେଣୁ ଆଇଆଇଏମ୍‌ ପାଇଁ ଏହି ୭୦ ଝିଅଙ୍କୁ ବାହାର କରିବା ମଧ୍ୟ ସମ୍ଭବ ନଥିବାରୁ ହଷ୍ଟେଲ ପ୍ରଦାନ ସମ୍ଭବ ହେଉ ନାହିଁ ବୋଲି କୁଳପତି କହିଥିଲେ।

ପୂର୍ତ୍ତ ବିଭାଗର ଅବହେଳା ଯୋଗୁଁ ହଷ୍ଟେଲ ନିର୍ମାଣରେ ବିଳମ୍ବ ହୋଇଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ କହିଥିବା ବେଳେ ଏ ନେଇ ଭିନ୍ନ ଯୁକ୍ତି ରଖିଛି ବିଭାଗ। ଏ ସଂପର୍କରେ ପୂର୍ତ୍ତ ବିଭାଗ ଡିଭିଜନ୍‌-୨ ନିର୍ବାହୀ ଯନ୍ତ୍ରୀ ବଶିଷ୍ଠ ପଟ୍ଟନାୟକ କହିଛନ୍ତି, ଏହା ଏକ ‘ଡିପୋଜିଟ ଓ୍ଵାର୍କ’ ଶ୍ରେଣୀର କାର୍ଯ୍ୟ। ଏଥିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ  ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା ଦେବା କଥା। ତେବେ ବିଗତ ୧ ମାସ ହେବ ବକେୟା ଥିବା ୯୨ ଲକ୍ଷ ଟଙ୍କା ଗତ କିଛି ଦିନ ତଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଦାନ କରିଛନ୍ତି। ଏହାପରେ କାମ ଆରମ୍ଭ ହୋଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ହଷ୍ଟେଲ ୪ କୋଟି ଟଙ୍କାର ପ୍ରକଳ୍ପ ହୋଇଥିବା ବେଳେ ୯୨ ଲକ୍ଷ ଟଙ୍କା ବକେୟା ରହିଯାଇଥିଲା। ଏନେଇ ତୁରନ୍ତ ଟଙ୍କା ଜମା କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ୩ଥର ଚିଠି ମଧ୍ୟ ଲେଖା ଯାଇଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅପର ପକ୍ଷରେ ହଷ୍ଟେଲ ସମସ୍ୟା ନେଇ ଆଇଆଇଏମ୍‌ ନିର୍ଦ୍ଦେଶକ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଚୁକ୍ତି ଅନୁଯାୟୀ କିଭଳି ଆଇଆଇଏମ୍‌ ସମ୍ବଲପୁରକୁ ଆବଶ୍ୟକ ହଷ୍ଟେଲ ହସ୍ତାନ୍ତର କରାଯିବ ସେନେଇ ଆସନ୍ତା ୨-୪ ଦିନ ମଧ୍ୟରେ ବୈଠକ କରାଯାଇ ସମାଧାନର ରାସ୍ତା ବାହାର କରାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର