ହୋଟେଲ୍‌ ଶିଳ୍ପର ପୁନରୁଦ୍ଧାର ପାଇଁ ସରକାରଙ୍କ ସହଯୋଗ ଲୋଡ଼ିଲା ହାରୋ

ପୁରୀ, ଭୁବନେଶ୍ବର, କଟକରେ ହୋଟେଲ୍‌ ବ୍ୟବସାୟ ବାଧାପ୍ରାପ୍ତ, ତୁରନ୍ତ ସହାୟତା ଦେଲେ ରଥଯାତ୍ରା ପୂର୍ବରୁ ପୁନରୁଦ୍ଧାର ସମ୍ଭବ

ଭୁବନେଶ୍ବର : ବାତ୍ୟା ‘ଫନି’ ମାଡ଼ରେ ପୁରୀ, ଭୁବନେଶ୍ବର ଓ କଟକରେ ହୋଟେଲ ଶିଳ୍ପ କ୍ଷତିଗ୍ରସ୍ତ ହୋଇଛି। ପ୍ରା‌ଥମିକ ଆକଳନରୁ ୫୦୦ କୋଟିର ଭିତ୍ତିଭୂମି ନଷ୍ଟ ହୋଇଥିବ‌ା ବେଳେ ଦୁଇ ହଜାର କୋଟି ଟଙ୍କାର ବେପାର ଘାଟା ହୋଇଥିବା ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍‌ ଓଡ଼ିଶା(ହାରୋ) ପକ୍ଷରୁ କୁହାଯାଇଛି। ପୁରୀର ସର୍ବାଧିକ ହୋଟେଲ ବାତ୍ୟାରେ ପ୍ରଭାବିତ ହୋଇଛି। ଭୁବନେଶ୍ବର ଓ କଟକର କିଛି ହୋଟେଲର ବ୍ୟବସାୟ ବାଧାପ୍ରାପ୍ତ ହୋଇଥିବା‌ ହାରୋର ଅଧ୍ୟକ୍ଷ ଜେ କେ ମହାନ୍ତି କହିଛନ୍ତି।

ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ଯେ ବାତ୍ୟା ଯୋଗୁଁ ଯେଉଁ କ୍ଷତି ହୋଇଛି ତାହାକୁ ଭରଣା କରିବା ଏବେ ସମ୍ଭବ ନୁହେଁ। ଏଥିପାଇଁ ବହୁ ବର୍ଷ ଲାଗିଯିବ। ତଥାପି ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ହୋଟେଲଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଜାରି ରହିଛି। ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ପୁରୀର ୭୦ରୁ ୮୦ ପ୍ରତିଶତ ହୋଟେଲ ପୁଣିଥରେ କାର୍ଯ୍ୟକ୍ଷମ ହୋଇପାରିବ। ମେ’ ୩ ପରେ ହୋଟେଲ୍‌ ବୁକିଂ କରିଥିବା ବହୁ ପର୍ଯ୍ୟଟକଙ୍କୁ ଅର୍ଥ ଫେରସ୍ତ କରିବାକୁ ପଡ଼ିଛି। ଏହି ୩ ସହରରେ ଅନେକ ବିବାହ ଉତ୍ସାହ, କର୍ପୋରେଟ୍‌ ସମ୍ମିଳନୀ ଆଦି ବାତିଲ୍‌ କରିବାକୁ ପଡ଼ିଛି। କେବଳ ପୁରୀରେ ହଜାରେ କୋଟି ଟଙ୍କାର ବ୍ୟବସାୟ ବାଧାପ୍ରାପ୍ତ ହୋଇଥିବା ବେଳେ କଟକ ଓ ଭୁବନେଶ୍ବରକୁ ମିଶାଇଲେ ଆହୁରି ହଜାରେ କୋଟି ହେବ ବୋଲି ସେ କହିଛନ୍ତି।  ହାରୋ ପକ୍ଷରୁ ଦାବି କରାଯାଇଛି ଯେ ପୁରୀକୁ ବିଦ୍ୟୁତ୍‌ ସଂଯୋଗ, ଚୋକ୍‌ ହୋଇଯାଇଥିବା ‌େସ୍ବରେଜ ଓ ଡ୍ରେନେଜ୍‌ ଲାଇନ୍‌କୁ ସଫା କରିବା, ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକର ମରାମତି, ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ପୁରୀ, ଭୁବନେଶ୍ବର ଓ କଟକ ସହର ସମେତ ପ୍ରଭାବିତ ପର୍ଯ୍ୟଟନ ସ୍ଥଳର ପୁନରୁଦ୍ଧାର ଦିଗରେ ପଦକ୍ଷେପ, ପର୍ଯ୍ୟଟନ ସଚିବଙ୍କ ଅଧ୍ୟକ୍ଷତ‌ାରେ କମିଟି ଗଠନ କରାଯାଇ ପର୍ଯ୍ୟଟନ ଶିଳ୍ପ ଓ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଯୋଜନା, ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରମୁଖ ସହରଗୁଡ଼ିକରେ ରୋଡ୍‌ ସୋ’, ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରଚାର, ଭିଡିଓ ଫିଲ୍ମ ପ୍ରଦର୍ଶନ, ଦେଶର ପ୍ରମୁଖ ସହରରେ ହାରୋ ଓ ପର୍ଯ୍ୟଟନ ବିଭାଗର ମିଳିତ ସାମ୍ବାଦିକ ସମ୍ମିଳନୀ କରିବାକୁ ଦାବି କରାଯାଇଛି।

ଏହା ବ୍ୟତୀତ ବୀମା କମ୍ପାନିଗୁଡ଼ିକ ହୋଟେଲ କ୍ଷତିର ୫୦ ପ୍ରତିଶତ ମେ’ ୩୦ ଭିତରେ ଭରଣା କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେବାକୁ ହାରୋ ଦାବି କରିଛି। ପୁରୁଣା ମିଆଦି ଋଣ ଉପରେ ଦୁଇ ବର୍ଷର ମୋରାଟୋରିୟମ୍‌ ପ୍ରଦାନ, ପ୍ରଭାବିତ ହୋଟେଲଗୁଡ଼ିକର ପୁନରୁଦ୍ଧାର, ପୁନଃନିର୍ମାଣ, ଥଇଥାନ ଲାଗି ନୂତନ ଋଣ ଉପରେ ସୁଧ ଛାଡ଼, ଦୁଇ ବର୍ଷ ଲାଗି କର୍ମଚାରୀଙ୍କ ପିଏଫ୍‌ ଓ ଇଏସ୍‌ଆଇ ଛାଡ଼ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସ୍ବତନ୍ତ୍ର ଭାବେ ଜିଏସ୍‌ଟି, ହୋଲ୍‌ଡିଂ ଟ୍ୟାକ୍ସ, ମ୍ୟୁନିସିପାଲ୍‌ ଟ୍ୟାକ୍ସ ସହ ଅନ୍ୟାନ୍ୟ ଟ୍ୟାକ୍ସ ଛାଡ଼, ବିଦ୍ୟୁତ୍‌ ବିଲ୍‌, ଟ୍ରାନ୍ସଫର୍ମର ଓ ଜେନେରେଟର ପୁନରୁଦ୍ଧାର ଖର୍ଚ୍ଚ ଛାଡ଼ କରିବାକୁ ପ୍ରସ୍ତାବ ଦିଆଯାଇଛି। ସାମ୍ବାଦିକ ସମ୍ମିଳନୀରେ ହାରୋର ସାଧାରଣ ସମ୍ପାଦକ ଶ୍ରୀନିବାସ ସୁବୁଦ୍ଧି, ଉପାଧ୍ୟକ୍ଷ ରାଜକିଶୋର ପାତ୍ର, ଜେ ରାଉଳ ଓ ଉପଦେଷ୍ଟା ଦୀପକ ରାଥୋର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର