ଉଚ୍ଛେଦ ବେଳେ ଅଭାବନୀୟ ଘଟଣା : ଜଳିଗଲା ଘର, ପଡ଼ାରେ ଉତ୍ତେଜନା

ସିମୁଳିଆ : ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ ଅଧୀନ ମଇତାପୁର ପଞ୍ଚାୟତ ସାଇମଇନତାପୁର ଗ୍ରାମରେ ୪ଟି ଆଦିବାସୀ ପରିବାର ସରକାରୀ ଜାଗାରେ ଘର କରି ରହିଆସୁଥିଲେ। ତେବେ ୨୦୧୭ ମସିହାରେ ଏନେଇ ହାଇକୋର୍ଟରେ ୯୦୦୮/୧୭ ନମ୍ବରର ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଫଳରେ କୋର୍ଟ ସଂପୃକ୍ତ ପରିବାରଗୁଡ଼ିକୁ ସରକାରୀ ଜାଗାରୁ ଉଚ୍ଛେଦ କରିବା ପାଇଁ ନିର୍ଦେଶ ଦେଇଥିଲେ। ଆଜି ଏନେଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାଜିଷ୍ଟ୍ରେଟ୍‌ ଭାବେ ସିମୁଳିଆ ତହସିଲଦାର ରମେଶ ଚନ୍ଦ୍ର ଜେନାଙ୍କ ସହ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ସମୟରେ ସହିତ ଘରଗୁଡ଼ିକରେ କେହି ନିଆଁ ଲଗାଇଦେଇଥିଲା। ଖବର ପାଇ ଅଡ଼ା, ବାସୁଦେବପୁର ଓ ଭଦ୍ରକରୁ ଦମକଳ ବାହିନୀ ଗ୍ରାମରେ ପହଂଚି ନିଆଁ ଲିଭାଇଥିଲା। ଏହି ସମୟରେ ୭ ଜଣ ଆଦିବାସୀ ଯୁବକ ଚେତାଶୂନ୍ୟ ମଧ୍ୟ ହୋଇଯାଇଥିଲେ। ସେମାନଙ୍କୁ ସଂଗେ ସଂଗେ ମାର୍କୋଣା ଓ ସେଠାରୁ ଭଦ୍ରକ ଡାକ୍ତରଖାନାକୁ ପଠାଯାଇଥିଲା। ପରେ ବାଲେଶ୍ୱର ସଦର ଏସ୍‌ଡିପିଓ ପ୍ରଭାସ ଚନ୍ଦ୍ର ପାଳ ସେଠାରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ତେବେ ଏହି ଅଘଟଣକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଆଦିବାସୀମାନେ ପୁଲିସ ଘରଗୁଡ଼ିକରେ ନିଆଁ ଲଗାଇଥିବା କହୁଥିବା ବେଳେ ସେମାନେ ନିଜେ ସେମାନଙ୍କ ଘରେ ନିଆଁ ଲଗାଇଦେଇଥିବା ନେଇ ପାଲଟା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର