ଅଭିଜିତ ଆୟାରଙ୍କ ଅଶାଳୀନ ମନ୍ତବ୍ୟର ତଦନ୍ତ ଲାଗି ଆସନ୍ତାକାଲି ବସିବ ଗୃହ କମିଟି ବୈଠକ

ଭୁବନେଶ୍ବର: ଓଡ଼ିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଏବଂ ବିଧାୟକମାନଙ୍କୁ ‘ବୋକା’ ଭଳି ବୟାନ ଦେଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କ ପାଇଁ ଶନିବାର ବସିବ ଗୃହ କମିଟି ବୈଠକ । ଗତକାଲି ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହ କମିଟି ଗଠନ ହୋଇଥିଲା । ଅଭିଜିତଙ୍କ ମନ୍ତବ୍ୟକୁ ନେଇ ଏହି ଗୃହ କମିଟି ତଦନ୍ତ କରିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କାଲି ବିଧାନସଭାର ୫୪ ନମ୍ବର କକ୍ଷରେ ବସିବ ବୈଠକ।

କିଭଳି ଜଣେ ଅଣଓଡ଼ିଆ ହୋଇ ବିଧାୟକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଛନ୍ତି ଅଭିଜିତ ଆୟର ଏବଂ ତାହା ସ୍ୱାଧିକାର ଭଙ୍ଗ କରିଛି ନା ନାହିଁ ସେନେଇ ତଦନ୍ତ କରାଯିବ । ଏହାପରେ ତଦନ୍ତ କରି ଗୃହକୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏହାପରେ ଅଭିଜିତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ ତାହା ଉପରେ ତଦନ୍ତ ରିପୋର୍ଟକୁ ତର୍ଜମା କରି ଗୃହ ନିଷ୍ପତ୍ତି ନେବ ।

ଗଠନ ହୋଇଥିବା ୬ ଜଣିଆ ଗୃହ କମିଟିରେ ଅରୁଣ ସାହୁ, ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା ଏବଂ କେ.ଭି ସିଂଦେଓ ସଦସ୍ୟ ରହିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହା ଗଠନ କରାଯାଇଛି। ତେବେ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ ଦିନରେ ହିଁ ଏହି ଗୃହ କମିଟି ଅଭିଜିତ ଆୟର ମିତ୍ରଙ୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧିତ ଖବର