ବୈଜୟନ୍ତଙ୍କ ବନ୍ଧୁ ଓଡ଼ିଶାର ଶତ୍ରୁ : ସମ୍ମାନ ପାଇଁ ଏକାଠି ହେଲା ପୂରା ବିଧାନସଭା

ଅଭିଜିତଙ୍କୁ ଜେରା କରିବ ସ୍ୱତନ୍ତ୍ର ଗୃହ କମିଟି, ନରସିଂହଙ୍କ ନୋଟିସ ଗ୍ରହଣ କଲେ ବାଚସ୍ପତି, ପ୍ରଶ୍ନକାଳ ବାତିଲ, ବାନ୍ଧିବାକୁ ଦାବି କଲେ, ବୈଜୟନ୍ତଙ୍କ ବିରୋଧରେ ବି ଗର୍ଜିଲେ

ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର, ଶ୍ରୀ ଜଗନ୍ନାଥ, ଓଡ଼ିଶାର କଳା, ଭାସ୍କର୍ଯ୍ୟ, ଐତିହ୍ୟ ଓ ବିଧାୟକଙ୍କ ସଂପର୍କରେ ଅପଶବ୍ଦ ପ୍ରୟୋଗ କରିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍‌ ଆୟାର ମିତ୍ରଙ୍କ ବିରୋଧରେ ବିପଦ ଘନାଇ ଆସୁଛି। ତାଙ୍କ ମନ୍ତବ୍ୟ ବିରୋଧରେ ପୂରା ବିଧାନସଭା ଏକାଠି ହୋଇ ଦୃୃୃଢ କାର୍ଯ୍ୟାନୁଷ୍ଠାନ ଲାଗି ସଂକଳ୍ପ ନେଇଛି। ବିଧାନସଭା ଏତେ ଗମ୍ଭୀରତାର ସହିତ ଏହି ପ୍ରସଙ୍ଗକୁ ନେଇଛି ଯେ ଆଜି ପ୍ରଶ୍ନକାଳ ବାତିଲ ହୋଇଥିଲା ଓ ଅଭିଜିତଙ୍କୁ ସମନ କରାଯିବା, ଗିରଫ କରାଯିବା ଆଦି ଦାବି ଉଠାଇ ବିଧାୟକମାନେ କମ୍ପିଥିଲେ। କେବଳ ସେତିକି ନୁହେଁ, ଗୃହର ଉଦ୍‌ବେଗକୁ ଲକ୍ଷ୍ୟ ରଖି ବାଚସ୍ପତି ପ୍ରଦୀପ କୁମାର ଅମାତ ସ୍ୱାଧିକାର ଭଙ୍ଗ ନୋଟିସକୁ ଗ୍ରହଣ କରିବା ସହିତ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଭାବେ ୬ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ମନ୍ତବ୍ୟକୁ ତର୍ଜମା କରିବ, ଆବଶ୍ୟକ ପଦକ୍ଷେପ ନେବ ଓ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ ଦିନ ପୂର୍ବରୁ ଗୃହରେ ରିପୋର୍ଟ ଉପସ୍ଥାପନ କରିବେ।

ଜଗନ୍ନାଥ ପ୍ରକୃତରେ କୋଲକାତାର ଠାକୁର। କଳିଙ୍ଗ ରାଜା ଜଗନ୍ନାଥଙ୍କୁ ଚୋରି କରି ଆଣିଛନ୍ତି। ଓଡ଼ିଶା ବେଙ୍ଗଲୀମାନଙ୍କ ଦ୍ୱାରା ଆବିଷ୍କୃତ। ଓଡ଼ିଶା ବୋଲି କିଛି ନାହିଁ। ଏହା ହେଉଛି ଅବିଭକ୍ତ ବେଙ୍ଗଲର ଦକ୍ଷିଣ ପ୍ରଗଣା ବନାଞ୍ଚଳ। ‘ଓରି ଶଳା’ରୁ ‘ଓଡ଼ିଶା’ ହୋଇଛି ବୋଲି ଅଭିଜିତ ମନ୍ତବ୍ୟ ଦେଇଥିଲେ। ଏତିକିରେ ନ ଅଟକି ଅଭିଜିତ ଓଡିଶା ବିଧାୟକଙ୍କୁ ବୋକା ବା ନିର୍ବୋଧ ବୋଲି ଅଭିହିତ କରିଥିଲେ ଓ ଓଡିଶାର ଗଣମାଧ୍ୟମକୁ ବିକ୍ରି ହୋଇଥିବା ବେଶ୍ୟା ବୋଲି ଆକ୍ଷେପ କରିଥିଲେ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରଶ୍ନକାଳ ବାତିଲ କରିବା ଲାଗି ବାଚସ୍ପତିଙ୍କୁ ଅନୁରୋଧ କରିବା ସହିତ ଅଭିଜିତଙ୍କ ସଙ୍ଗିନ ଅଭିଯୋଗ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ବାଚସ୍ପତି ପ୍ରଶ୍ନକାଳ ବାତିଲ୍‌ କରିବା ସହିତ ସ୍ୱାଧିକାର ଭଙ୍ଗ ନୋଟିସ ଆଣିବା ଲାଗି ସୁଯୋଗ ଦେଇଥିଲେ। ଶ୍ରୀ ମିଶ୍ର କହିଥିଲେ, ଓଡିଶା ବିଧାନସଭାରେ ବିଧାୟକମାନେ କେଉଁ ପ୍ରସଙ୍ଗରେ କଣ କହିବେ ସେନେଇ କୌଣସି ବ୍ୟକ୍ତି ଚାପ ସୃଷ୍ଟି କରିପାରିବେ ନାହିଁ କିମ୍ବା ବିଧାୟକଙ୍କ ବିବୃତି ଉପରେ ଅଙ୍ଗୁଳି ଉଠାଇବାର ଅଧିକାର ନାହିଁ। କୋଣାର୍କ ଓ ପୁରୀ ପ୍ରସଙ୍ଗରେ ସୋସିଆଲ ମିଡିଆରେ ଅଭିଜିତ ଛାଡିଥିବା ନିଜ ଭିଡିଓ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା ଥିଲା। ଏଥିସହିତ ସେ ଓଡିଶାର ପରମ୍ପରା ଓ ସଂସ୍କୃତିକୁ ଅପମାନ କରିଥିଲେ। ତେଣୁ ବିଧାୟକମାନେ ଏନେଇ ଉଦବେଗ ପ୍ରକାଶ କରିଥିଲେ। କିନ୍ତୁ ଏଥିପାଇଁ ଓଡିଶା ବିଧାନସଭା ଓ ଏହାର ସଦସ୍ୟଙ୍କ ଗରିମାକୁ କ୍ଷୁଣ୍ଣ କରିବା ଭଳି ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ତାଙ୍କୁ ବିଧାନସଭାକୁ ସମନ କରି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ବାଚସ୍ପତିଙ୍କର ରହିଛି।

ଏହି ପ୍ରସଙ୍ଗରେ ବିଧାନସଭାରେ ଦଳ ମତ ନିର୍ବିଶେଷରେ ଏକ ସ୍ୱରରେ ସବୁ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ସହ ଅଭିଜିତ ଏବଂ ତାଙ୍କୁ ହେଲିକପ୍ଟରରେ ଓଡିଶା ବୁଲାଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଗର୍ଜନ କରିଥିଲେ। ବିଜେପି ବିଧାୟକମାନେ ମଧ୍ୟ ଅଭିଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ ଯେ, ଅଭିଜିତ ଓଡିଶାର ପୂର୍ବ ସୂରୀ, ସାହିତ୍ୟ ଓ ସଂସ୍କୃତିକୁ ପଦାଘାତ କରିଛନ୍ତି। ବିରୋଧୀ ଦଳ ନେତା ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ଓଡିଆ ଜାତିର ଭାବାବେଗ ସହ ଜଡିତ। ଯଦି ଅଭିଜିତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆନଯାଏ ତେବେ ଆମକୁ ଇତିହାସ କ୍ଷମା ଦେବନାହିଁ। ସେ ଓଡିଆ ଜାତିର ଅସ୍ମିତାକୁ କୁଠାରାଘାତ କରିବା ସହ ସାଂପ୍ରଦାୟିକତାର ବୀଜ ବୁଣିବାକୁ ଚେଷ୍ଟା କରିଛନ୍ତି। କଳାପାହାଡ ଯାହା କରିପାରିନଥିଲା, ଅଭିଜିତ ଆୟାର ତାହା କରିଛନ୍ତି। ୨୦୧୭ରୁ ସେ ବାରମ୍ବାର ଓଡିଶାକୁ ଅପମାନିତ କରୁଥିବା ବେଳେ ତାଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁରୀ କୋଣାର୍କ ବୁଲାଉଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ଓ ଗଣତନ୍ତ୍ରର ମନ୍ଦିରକୁ ବିଦ୍ରୂପ କରିବାକୁ ପୂର୍ବତନ ସାଂସଦ ତାଙ୍କୁ ଡାକି ଆଣିଥିଲେ ବୋଲି ଶ୍ରୀ ସାହୁ ଅଭିଯୋଗ କରିଥିଲେ।

ସେହିପରି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଅଭିଜିତଙ୍କ ଅଭିପ୍ରାୟ ଏବଂ ତାଙ୍କୁ ସୁରକ୍ଷା ଦେଉଥିବା ପୂର୍ବତନ ସାଂସଦଙ୍କ ଉପରେ ବର୍ଷିଥିଲେ। ଯିଏ ଓଡିଶାର ଅସ୍ମିତାକୁ କୁଠାରାଘାତ କରୁଛନ୍ତି ତାଙ୍କୁ ଆଣି ବୈଜୟନ୍ତ ଓଡିଶା ବୁଲାଉଛନ୍ତି। ତେଣୁ ଅଭିଜିତଙ୍କ ସହ ତାଙ୍କ ବନ୍ଧୁଙ୍କୁ ବି ଦଣ୍ଡବିଧାନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ ଦାବି କରିଥିଲେ। ମନ୍ତ୍ରୀ ପ୍ରତାପ ଜେନା, ସମୀର ରଂଜନ ଦାଶ, ବିଧାୟିକା ପ୍ରମିଳା ମଲ୍ଲିକ ମଧ୍ୟ ଅଭିଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଥିଲେ ଯେ, ଓଡିଶା ମାଟିକୁ ଯିଏ ଅପମାନିତ କରିଛି ତାଙ୍କୁ କ୍ଷମା ଦିଆଯିବା ଉଚିତ ନୁହେଁ। ସେଭଳି ବ୍ୟକ୍ତିକୁ ଫାଶି ଦିଆଯିବା ଆବଶ୍ୟକ। ବିଜେପି ବିଧାୟକ ପ୍ରଦୀପ ପୁରୋହିତ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଗୃହର ମତ ସହ ଏକମତ ହୋଇଥିଲେ ଓ ଅଭିଜିତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରିଥିଲେ।

ବିଧାୟକମାନଙ୍କ ଅଭିଯୋଗ ଶୁଣିବା ପରେ ବାଚସ୍ପତି ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ। ପାଖାପାଖି ୬ଥର ଗୃହ ମୁଲତବୀ ହୋଇଥିଲା। ପରେ ବାଚସ୍ପତି ସ୍ୱାଧିକାର ଭଙ୍ଗ ନୋଟିସ ଗ୍ରହଣ କରିଥିବା ନେଇ ସୂଚନା ଦେଇଥିଲେ। ବ୍ୟବସ୍ଥା ଅନୁସାରେ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସ୍ତାବ ଆଗତ କରିବା ସହିତ ଅଭିଜିତଙ୍କ ଅଭିଯୋଗର ବକ୍ତବ୍ୟର ଅନୁଧ୍ୟାନ ଓ କାର୍ଯ୍ୟାନୁଷ୍ଠାନ ଲାଗି ସ୍ୱତନ୍ତ୍ର ଗୃହ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହାକୁ ସମର୍ଥନ କରିଥିଲେ। ଏଥିସହିତ ସାମ୍ବାଦିକଙ୍କ ସଂପର୍କରେ ଅଭିଜିତଙ୍କ ମନ୍ତବ୍ୟ ନେଇ ମଧ୍ୟ ଗୃହରେ କଥା ଉଠିଥିଲା।

ସରକାରୀ ଦଳ ମୁଖ୍ୟ ସଚେତକ ଏକ ସଂକଳ୍ପ ଆଣି ସ୍ୱତନ୍ତ୍ର ଗୃହ କମିଟିର ରୂପରେଖ ବର୍ଣ୍ଣନା କରିଥିଲେ। କମିଟିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଦେବୀ ପ୍ରସାଦ ମିଶ୍ର, କନକ ବର୍ଦ୍ଧନ ସିଂହଦେଓ, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ସଂଜୟ ଦାସବର୍ମାଙ୍କୁ ସଦସ୍ୟ ରଖାଯାଇଛି। ଏହା ଉପରେ ବାଚସ୍ପତି ମତ ଲୋଡିବା ସମୟରେ ଗୃହର ନେତା ନବୀନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓଙ୍କ ସମେତ ସମସ୍ତ ବିଧାୟକ ଠିଆ ହୋଇ ସମର୍ଥନ କରିଥିଲେ। ବାଚସ୍ପତି କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ମିଶ୍ରଙ୍କୁ ମନୋନୀତ କରିଛନ୍ତି। କମିଟି ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ ଦିନ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର