ଏସ୍‌ସିବିରେ ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ

କଟକ : ତିନି ଦଫା ଦାବି ନେଇ ଗତକାଲଠାରୁ ଆନ୍ଦୋଳନକୁ ଓହ୍ଲାଇଥିବା ଏସ୍‌ସିବି ମେଡିକାଲ୍‌ ହାଉସ ସର୍ଜନ ଛାତ୍ରଛାତ୍ରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ମଧ୍ୟ ଜାରି ରହିଛି। କର୍ତ୍ତୃପକ୍ଷ କୌଣସି ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ହାଉସ ସର୍ଜନ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଗତକାଲି ବନ୍ଦ କରିଦିଆଯାଇଥିବା ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଆଜି ଖୋଲି ଦିଆଯାଇଛି। ଦିନରେ କନିଷ୍ଠ ଡାକ୍ତର ସଂଘର ସାଧାରଣ ପରିଷଦ ବୈଠକ ଡକାଯାଇ ଅନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ହାଉସ ସର୍ଜନଙ୍କ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସାକ୍ଷାତ କରି ଦାବି ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ହେଲେ ଆଲୋଚନାର କୌଣସି ନିର୍ଯ୍ୟାସ ବାହାରି ପାରିନଥିବା ହାଉସ ସର୍ଜନ ସଂଘ ପକ୍ଷରୁ କୁହାଯାଇଛି। ସେହିପରି ମେଡିକାଲ୍‌ କଲେଜ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସିଦ୍ଧାର୍ଥ ଦାସଙ୍କ ସହିତ ମଧ୍ୟ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଥିଲେ ବି କେବଳ ମୌଖିକ ପ୍ରତିଶ୍ରୁତି ଦିଆଯାଉଛି। ତେଣୁ ଯେ ପର୍ଯ୍ୟନ୍ତ କୌଣସି ଲିଖିତ ପ୍ରତିଶ୍ରୁତି ନମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବୁ ନାହିଁ ବୋଲି ସଂଘର ସଭାପତି ପ୍ରସନ୍ନଜିତ ପଟ୍ଟନାୟକ କହିଛନ୍ତି। ଆଜି ସଂଧ୍ୟାରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ମେଡିକାଲ୍‌ ପରିକ୍ରମା କରିଥିଲା।

ସୂଚନାଯୋଗ୍ୟ ଯେ ମଙ୍ଗଳବାର ବିଳମ୍ବିତ ରାତିରେ ପୁରୁଣା ମେଡିସିନ୍‌ ଓ୍ଵାର୍ଡରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ହାଉସ ସର୍ଜନ ଓ ରୋଗୀ ସଂପର୍କୀୟଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏହାକୁ ନେଇ ମଙ୍ଗଳାବାଗ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏହି ଘଟଣା ପରେ ହାଉସ ସର୍ଜନ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି ଧାରଣା ଦେଇଥିବା ବେଳେ କନିଷ୍ଠ ଡାକ୍ତର ମାନେ କଳାବ୍ୟାଜ୍‌ ପିନ୍ଧି ଆନ୍ଦୋଳନକୁ ସମର୍ଥନ ଦେଇଥିଲେ।

ସମ୍ବନ୍ଧିତ ଖବର