ପୌର ସଂସ୍ଥାକୁ ନଗର ଉନ୍ନୟନ ବିଭାଗ ମାଗିଲା ରିପୋର୍ଟ : ଟାର୍ଗେଟ୍‌ କେତେ ହାସଲ କରିଛ ହିସାବ ଦିଅ

ଜୁଲାଇ ୧୬ସୁଦ୍ଧା ରିପୋର୍ଟ ଦେବେ ପୌରସଂସ୍ଥା କର୍ତ୍ତୃପକ୍ଷ

ଭୁବନେଶ୍ୱର : ପୌର ସଂସ୍ଥାଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାରେ ଏବଂ ଲୋକଙ୍କୁ ହାତପାହନ୍ତାରେ ସୁବିଧା ସୁଯୋଗ ଦେବାରେ ରାଜ୍ୟ ସରକାର ଯେତିକି ଅର୍ଥ ଖର୍ଚ୍ଚ କରୁଛନ୍ତି ସେହି ଅନୁଯାୟୀ ଅର୍ଥ ଆଦାୟ ହେଉନି। ୧୧୪ଟି ପୌର ସଂସ୍ଥା ମଧ୍ୟରୁ ଗୋଟିଏ ବି ପୌର ସଂସ୍ଥା ଖର୍ଚ୍ଚ ଅନୁଯାୟୀ ରାଜସ୍ୱ ଆଦାୟ କରିପାରୁନାହାନ୍ତି। ବିଏମ୍‌ସି ରାଜ୍ୟର ସବୁଠୁ ଅଧିକ ରାଜସ୍ୱ ଆଦାୟକାରୀ ପୌରସଂସ୍ଥା ହୋଇଥିଲେ ହେଁ ଏହା ଏପର୍ଯ୍ୟନ୍ତ ସ୍ୱୟଂସଂପନ୍ନ ହୋଇପାରିନି। ଆଗାମୀ ଦିନରେ ସମସ୍ତ ପୌରସଂସ୍ଥା ନିଜସ୍ୱ ଖର୍ଚ୍ଚରେ ନିଜ ଅଞ୍ଚଳର ବିକାଶ ଥିବାରୁ ସମସ୍ତ ପୌରସଂସ୍ଥାକୁ ସ୍ୱୟଂସଂପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି କ୍ରମରେ ଚଳିତବର୍ଷ ପୌରସଂସ୍ଥାଗୁଡ଼ିକୁ ରାଜସ୍ୱ ଆଦାୟ ଟାର୍ଗେଟ ଦିଆଯାଇଛି। ଏଥିରେ ଏପ୍ରିଲ୍‌ରୁ ଜୁନ୍‌ ମଧ୍ୟରେ କେଉଁଥିରେ କେତେ ଆଦାୟ କରିବାକୁ ଟାର୍ଗେଟ୍‌ ଦିଆଯାଇଥିଲା ଓ କିଏ କେତେ ରାଜସ୍ୱ ଆଦାୟ କରିଛନ୍ତି, କେଉଁ କ୍ଷେତ୍ରରେ କେତେ ଆଦାୟ କରିଛନ୍ତି ତା’ର ସବିଶେଷ ରିପୋର୍ଟ ମଗାଯାଇଛି। ଜୁଲାଇ ୧୬ ସୁଦ୍ଧା ସମସ୍ତ ପୌରସଂସ୍ଥା କର୍ତ୍ତୃପକ୍ଷ ରାଜସ୍ୱ ଆଦାୟର ହିସାବ ଦେବାକୁ ପୌରପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ଚିଠି ଲେଖିଛନ୍ତି।

ପୌରସଂସ୍ଥାଗୁଡ଼ିକୁ ଏପ୍ରିଲ୍‌ରୁ ଜୁନ୍‌ ମଧ୍ୟରେ ସମ୍ପତ୍ତି କର, ପୌରାଞ୍ଚଳରେ ଥିବା ସେମାନଙ୍କ ସମ୍ପତ୍ତିରୁ ଭଡ଼ା, ଟ୍ରେଡ୍‌ ଲାଇସେନ୍ସ, ୟୁଜର ଫି’, ପାର୍କିଂ, ବିଜ୍ଞାପନ/ଡିସପ୍ଲେ/ଲାଇସେନ୍ସ ଫି’, ଅନ୍ୟାନ୍ୟ ନିଜସ୍ୱ ଆୟ, ବ୍ୟାଙ୍କରେ ଜମା ଥିବା ଅର୍ଥ ଉପରେ ସୁଧ କେତେ ପାଇଛନ୍ତି ତାହାର ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି। ଏହାବାଦ୍‌ କେତେ ଘରୁ ହୋଲଡିଂ ଟିକସ ଆଦାୟ ହେଉଛି, କେତେ ଘରୁ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି, କେତେ ଘରର ହୋଲଡିଂ ଟିକସ ପୁନଃସଂଶୋଧନ ହୋଇଛି, କେତେ ଜଣଙ୍କୁ ଟ୍ରେଡ୍‌ ଲାଇସେନ୍ସ ଦିଆଯାଇଛି, କେତେ ଜଣଙ୍କୁ ଟ୍ରେଡ୍‌ ଲାଇସେନ୍ସ ଦେବାକୁ ଲକ୍ଷ୍ୟ ରଖାଯାଇଛି ତା’ର ହିସାବ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର