ଜମାକାରୀ କେମିତି ପାଇବେ ଟଙ୍କା?

ଖତ ଖାଉଛି ଚିଟ୍‌ଫଣ୍ଡ ସଂସ୍ଥାଙ୍କ ଦାମୀ ଗାଡ଼ି; ପ୍ରଦୀପ ସେଠୀଙ୍କ କୋଟିଏ ଟଙ୍କାର ଜାଗୁଆର, ପ୍ରଶାନ୍ତଙ୍କ ୫୦ ଲକ୍ଷର ବିଏମ୍‌ଡବ୍ଲୁ

କଟକ : ଜମାକାରୀଙ୍କ ଅର୍ଥରେ ଚିଟ୍‌ଫଣ୍ଡ୍‌ ସଂସ୍ଥା କିଣିଥିବା କୋଟି କୋଟି ଟଙ୍କା ମୂଲ୍ୟର ଗାଡ଼ି ଏବେ ଖତ ଖାଉଛି। ଓଡିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟସ୍‌ ଅଫ୍‌ ଡିପୋଜିଟରସ୍‌(ଇନ୍‌ ଫାଇନାନସିଆଲ ଏଷ୍ଟାବ୍ଲିସମେଣ୍ଟ) ଆକ୍ଟ, ୨୦୧୧(ଓ.ପି.ଆଇ.ଡି.ଆଇନ୍‌)ରେ ଥିବା ବ୍ୟବସ୍ଥା ଅନୁସାରେ ଏହି ସବୁ ଜବତ ଗାଡି ବାଜ୍ୟାପ୍ତି ହେବା ପରେ ନିଲାମ ହେବ। ନିଲାମଲବ୍ଧ ଅର୍ଥ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରାଯିବ। କିନ୍ତୁ ଦୀର୍ଘ ଦିନ ଧରି ଜବତ ହୋଇଥିବା ଦାମୀ କାର୍‌ ଗୁଡିକ ପଡି ରହି ନଷ୍ଟ ହେବାକୁ ବସି ଥିବା ବେଳେ ଏହାକୁ ନିଲାମରୁ କେତେ ଟଙ୍କା ମିଳିବ ଏବଂ ସେଥିରେ ଜମାକାରୀଙ୍କ ଅର୍ଥ କିଭଳି ଭରଣା ହେବ ବୋଲି ପ୍ରଶ୍ନ ଉଠୁଛି।

ଅର୍ଥତତ୍ତ୍ଵ ମୁଖ୍ୟ ପ୍ରଦୀପ ସେଠୀ ସେତେବଳେ ୧ କୋଟିରୁ ଅଧିକ ଟଙ୍କାର ଏକ ଜାଗୁଆର କାର ଚଢୁଥିଲେ। ତାଙ୍କୁ ଗିରଫ୍‌ କରାଗଲା ଓ ଏହି ଦାମୀ ଗାଡି ସହିତ ଅର୍ଥତତ୍ତ୍ୱର ମର୍ସିଡିଜ୍‌ ଓ ଅନ୍ୟ କେତେକ ଗାଡି ପୁଲିସ୍‌ ଜବତ କଲା। ସେହିପରି ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ଗିରଫ୍‌ କରାଯିବା ପରେ ୫୦ଲକ୍ଷ ଟଙ୍କାର ବିଏମ୍‌ଡବ୍ଲୁ ଓ ମର୍ସିଡିଜ୍‌ ଭଳି ଦାମୀ ଗାଡି ସମେତ ଆଉ ଦୁଇଟି ଗାଡି ଜବତ କରାଯାଇଥିଲା। ଆସ୍ଥା ଇଣ୍ଟରନ୍ୟାସନାଲର ମୁଖ୍ୟ ଶୁଭ୍ରାଂଶୁ ଲେଙ୍କା ଜମାକାରୀଙ୍କ ଟଙ୍କାରେ କିଣିଥିଲେ ୩୯ଲକ୍ଷ ଟଙ୍କା ମୂଲ୍ୟର ମର୍ସିଡିଜ୍‌। ଏହି ଗାଡ଼ି ମଧ୍ୟ ଜବତ ହୋଇଥିଲା। ବିଲଡର ସଂସ୍ଥା ଉମାମଣି ହୋମ୍‌ କ୍ରିଏସନ୍‌ ମାଲିକ ନାରାୟଣ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥ ନୈତିକ ଅପରାଧ ଶାଖା ଗିରଫ କରିବା ବେଳେ ଗୋଟିଏ ମର୍ସିଡିଜ୍‌ ଓ ଅନ୍ୟ ଏକ ଦାମୀ ଗାଡି ତାଙ୍କଠାରୁ ଜବତ କରିଥିଲା। ସେଭେନ୍‌ ହିଲ୍ସ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ୍‌ ବିରୋଧରେ ଠକେଇ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ପରିଚାଳନା ନିର୍ଦ୍ଦେଶକ ମୁଟ୍ଟା ଶଙ୍କର ଶ୍ରୀନିବାସଙ୍କୁ ଗିରଫ କରିବା ସହିତ ସଂସ୍ଥାର ଜମି, ବ୍ୟାଙ୍କ ଜମା ଓ ଦାମୀ ଗାଡି ଜବତ କରିଥିଲା। ଭିଷ୍ଟା ଗ୍ରୁପର ଠକେଇ ନେଇ କ୍ରାଇମବ୍ରାଞ୍ଚ୍‌ ଇଓଡବ୍ଲୁ ମାମଲା ରୁଜୁ କରିବା ସହିତ ସିଙ୍ଗାପୁର ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ୨୦୧୫, ମେ ୧୭ରେ ସଂସ୍ଥାର ଏମ୍‌ଡି ଦେବ କୁମାର ପଣ୍ଡାଙ୍କୁ ଗିରଫ କରିଥିଲା। ଭିଷ୍ଟାର ଜମି, ବ୍ୟାଙ୍କ ଜମା ଓ ୬ଟି ଦାମୀ ଗାଡି ଇଓଡବ୍ଲୁ ଜବତ କରିଥିଲା। ସେହିଭଳି ଶିରିଡି ସାଇ ଇଷ୍ଟେଟସ୍‌ ପ୍ରାଇଭେଟ ଲିମିଟେଡର ଠକେଇକୁ ନେଇ ରୁଜୁ ମାମଲାରେ ଇଓଡବ୍ଲୁ ସଂସ୍ଥାର ଜମି ଓ ଦୁଇଟି ଫୋର୍ଡ ଗାଡି ଜବତ କରିଥିଲା। ସେଡିଲ୍‌ ଗ୍ରୁପ୍‌ ବିରୋଧରେ ମାମଲା ରୁଜୁ କରି ଇଓଡବ୍ଲୁ ଅନ୍ୟ ସଂପତ୍ତି ସହିତ ଗୋଟିଏ ଦାମୀ ଗାଡି ଜବତ କରିଥିଲା। ସାରଳା ରିୟଲକନ୍‌ ମାମଲାରେ ସଂସ୍ଥାର ଜମି, ବ୍ୟାଙ୍କ ଜମା ସହିତ ୪ଟି ଦାମୀ ଗାଡି ଇଓଡବ୍ଲୁ ଜବତ କରିଥିଲା।

ଏହି ସବୁ ସଂସ୍ଥାର ସ୍ଥାବର ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ଲାଗି ଓପିଆଇଡି ଆଇନ୍‌, ୨୦୧୧ର ଧାରା ୪(୩)ରେ ପ୍ରାଧିକୃତ ଅଧିକାରୀ ସ୍ୱତନ୍ତ୍ର ଅଦାଲତରେ ଆବେଦନ କରିଥିଲେ। ଏଥି ମଧ୍ୟରୁ ଆସ୍ଥା ଇଣ୍ଟରନ୍ୟାସନାଲ୍‌, ଉମାମଣି ହୋମ କ୍ରିଏସନ, ଶିରିଡି ସାଇ ଇଷ୍ଟେଟସ୍‌, ସେଡିଲ୍‌ ଡେଭେଲପମେଣ୍ଟ ଇଣ୍ଡିଆ, ଭିଷ୍ଟା ଗ୍ରୁପ୍‌ ସଂପତ୍ତି ବାଜ୍ୟାପ୍ତି ମାମଲାର ଶୁଣାଣି ଶେଷ ହୋଇ ରାୟ ପ୍ରକାଶ ପାଇ ସାରିଛି। କଟକ ସ୍ୱତନ୍ତ୍ର ଅଦାଲତ ଏହି ସବୁ ସଂସ୍ଥାର ଜବତ ଜମି ଓ ଗାଡି ନିଲାମ କରି ନିଲାମଲବ୍ଧ ଅର୍ଥ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ନିଲାମ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଗାଡି ଗୁଡିକ ମଧ୍ୟରୁ ଅଧିକାଂଶ ବିଭିନ୍ନ କାରଣରୁ ନିଲାମ ହୋଇ ପାରି ନାହିଁ। ଏଥି ସହିତ ସିସୋର, ଅର୍ଥତତ୍ତ୍ୱ, ସାରଳା ରିୟଲକନ୍‌ ଭଳି ସଂସ୍ଥାର ସଂପତ୍ତି ବାଜ୍ୟାପ୍ତି ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି। ମୋଟର ଗାଡିର ଅବସ୍ଥାରେ ପ୍ରତ୍ୟକ ଦିନ ଅବନତି ହେବା ସହିତ ମୂଲ୍ୟ ମଧ୍ୟ ହ୍ରସ ପାଉଛି। ଏହାକୁ ବିଚାରକୁ ନେଇ ଜମାକାରୀଙ୍କ ଅର୍ଥରେ କ୍ରୟ କରାଯାଇଥିବା ଏହି ଜବତ ଗାଡି ଗୁଡିକର ବାଜ୍ୟାପ୍ତି ଓ ନିଲାମ୍‌ ଲାଗି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହିତ ଅଲଗା ଭାବେ ଅଦାଲତରେ ଆବେଦନ କରିବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର