ସମ୍ବଲପୁର ହାଜତ ମୃତ୍ୟୁ ମାମଲା : ଏଚ୍‌ଆର୍‌ପିସି ତଦନ୍ତ ଆରମ୍ଭ

ବିଚାର ବିଭାଗୀୟ ତଦନ୍ତ ପାଇଁ ଜିଲ୍ଲା ଜଜ୍‌ଙ୍କୁ ଚିଠି

ସମ୍ବଲପୁର :ଅଇଁଠାପାଲି ଥାନା ହାଜତରେ ଅବିନାଶ ମୁଣ୍ଡା ମୃତ୍ୟୁ ମାମଲାର ଏଚ୍‌ଆରପିସି ତଦନ୍ତ ଆରମ୍ଭ ହୋଇଥିବା ବେଳେ ବିଚାର ବିଭାଗୀୟ ତଦନ୍ତ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଜିଲ୍ଲା ଜଜ୍‌ଙ୍କୁ ପତ୍ର ଲେଖିଛନ୍ତି। ଦୁଇ ମାସ ମଧ୍ୟରେ ତଦନ୍ତ ସଂପୂର୍ଣ୍ଣ କରିବାକୁ ଲେଖାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଅପରପକ୍ଷରେ ରାଜ୍ୟ ମାନବ ଅଧିକାର ସୁରକ୍ଷା ପ୍ରକୋଷ୍ଠ(ଏଚ୍‌ଆରପିସି)ର ଏସ୍‌ପି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ନେତୃତ୍ୱରେ ୩ଜଣିଆ ଟିମ ସମ୍ବଲପୁର ଆସିଛନ୍ତିି। ଦିନ ସାଢ଼େ ୧୨ଟାରେ ଅଇଁଠାପାଲି ଥାନାରେ ପହଂଚି ଥିଲେ। ଅପରାହଣ ୪ଟା ପର୍ଯ୍ୟନ୍ତ ଥାନାରେ ରହି ଟିକିନିକି ଯାଂଚ କରିଥିଲେ। ଅବିନାଶଙ୍କୁ ରଖାଯାଇଥିବା ହାଜତର ୧ ନମ୍ବର ସେଲ୍‌ ନିରୀକ୍ଷଣ କରିଥିଲେ। ଉକ୍ତ ସେଲ୍‌ରେ ପଡ଼ିଥିବା ଚିରା କମ୍ବଳ ଜବତ କରିଥିଲେ। ହାଜତରେ ଲାଗିଥିବା ରେଲିଂରୁ ଚଟାଣର ଉଚ୍ଚତା ଆଦି ମାପିଥିଲେ। ଯେତିକି ରହିଛି, ସେଥିରେ ବାନ୍ଧି ବେକରେ ଫାଶୀ ଲଗାଇଲେ ଜଣେ ମୃତ୍ୟୁ ହୋଇ ପାରିବ ନା ନାହିଁ ଆଦି ଏ ସଂକ୍ରାନ୍ତରେ ବି ଟିକିନିକି ଦେଖିଥିଲେ।

ଘଟଣା ଦିନ ଥାନାରେ କେଉଁ ପୁଲିସ୍‌ ଅଧିକାରୀ,କର୍ମଚାରୀମାନେ ଦାୟିତ୍ୱରେ ଥିଲେ, କେତେବେଳେ ଅବିନାଶଙ୍କର ମୃତ୍ୟୁ ହେଲା, କେତେବେଳେ ଡାକ୍ତରଖାନାକୁ ନିଆଗଲା ଆଦି ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରିଥିଲେ। ହାଜତ ମୃତ୍ୟୁ ପରବର୍ତ୍ତୀ ହିଂସା ସ୍ଥିତି ମଧ୍ୟ ଅନ୍ୟୁଧାନ କରିଥିଲେ। ପୁଲିସ ଅଧିକାରୀମାନଙ୍କୁ ମଧ୍ୟ ଘଟଣା ସଂକ୍ରାନ୍ତରେ ପଚରାଉଚରା କରିଥିଲେ। ଅବିନାଶଙ୍କ ପରିବାର ଲୋକଙ୍କୁ ବି ଭେଟିଥିବା ଜଣାପଡ଼ିଛି। ଆସନ୍ତାକାଲି ପୁଣି ଅବିନାଶ ପରିବାର ଲୋକ, ତାଙ୍କ ସହିତ ଥାନାରେ ଧରି ଆଣିଥିବା ଲୋକମାନଙ୍କର ମଧ୍ୟ ବୟାନ ସଂଗ୍ରହ କରିବେ ବୋଲି ଜଣାପଡ଼ିଛି।

ସେହିପରି ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ସନ୍ଧାନୀ କୁକୁର ସହାୟତାରେ ଥାନା ପରିସରରେ ଅନୁସନ୍ଧାନ ଚଲାଇଥିଲା। ଅଇଁଠାପାଲି ଥାନା ପୁଲିସ ଅବିନାଶ ମୃତ୍ୟୁ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ମାମଲା ସଂକ୍ରାନ୍ତରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ଅପରପକ୍ଷରେ ଜାତୀୟ ଓ ରାଜ୍ୟ ମାନବ ଅଧିକାର ଆୟୋଗଙ୍କୁ ରିପୋର୍ଟ ଦେବା ପାଇଁ ଏସ୍‌ପି ଓ ଆଇଜି ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହାଜତ ମୃତ୍ୟୁ ପରବର୍ତ୍ତୀ ହିଂସା ସଂପର୍କରେ ପୁଲିସ୍‌ ପକ୍ଷରୁ ଏକ ଦଂଗା ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଚାପା ଉତ୍ତେଜନା ଲାଗି ରହିଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଥାନା ପରିସର ଓ ଆଖାପାଖରେ ୧୭ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର