‘ମାନବିକତା ଭୁଲିଯାଇଛି ରାଜ୍ୟ ରେଡ୍‌କ୍ରସ’

ଭୁବନେଶ୍ବର: ଆହତ ଓ ଅସହାୟମାନଙ୍କୁ ସେବା ଯୋଗାଇବା ହେଉଛି ରେଡ୍‌କ୍ରସ୍ ସୋସାଇଟିର ମୂଳ ଉଦ୍ଦେଶ୍ୟ। କିନ୍ତୁ ମହାମାରୀ କୋଭିଡ୍‌-୧୯ ଭଳି ଜାତୀୟ ମହାବିପତ୍ତିବେଳେ ‌ରାଜ୍ୟ ରେଡ୍‌କ୍ରସ ନିଜର ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇଛି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ସୁରକ୍ଷା ସମିତିର ଆବାହକ ଦିଲ୍ଲୀପ ଦାଶଶର୍ମା। ଏକ ବିବୃତି ଦେଇ ସେ କହିଛନ୍ତି ଯେ ରେଡ୍ କ୍ରସ୍ ଏହାର ମୁଖ୍ୟ ୭ଟି ମୌଳିକ ନୀତି ମଧ୍ୟରୁ ପ୍ରଥମ ନୀତି ‘ମାନବିକତା’କୁ ଭୁଲି ଯାଇଛି। ରାଜ୍ୟ ରେଡ୍‌କ୍ରସ ସଭାପତି ତଥା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସମିତି ପକ୍ଷରୁ ଏକ ଅଭିଯୋଗ ପତ୍ର ଦିଆଯାଇଛି।

ଶ୍ରୀ ଦିଲ୍ଲୀପ ଦାଶଶର୍ମାଙ୍କ ଅଭିଯୋଗ ଅନୁସାରେ ମହାମାରୀ କରୋନା ପାଇଁ ଘରମୁହାଁ ହୋଇଥିବା ପ୍ରବାସୀ ଦାଦନ ଶ୍ରମିକମାନେ ରାଜରାସ୍ତାରେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। କିଏ ଚାଲୁ ଚାଲୁ ପ୍ରାଣ ହରାଇଲେଣି ତ କିଏ ଚାଲୁ ଚାଲୁ ରାସ୍ତାରେ ନବଜାତ ଶିଶୁ ଜନ୍ମ ଦେଲେଣି। ସେହିଭଳି ରେଳ ଧାରଣାରେ ହେଉ କି ଜାତୀୟ ରାଜପଥରେ ହେଉ ଅନେକ ଦୁର୍ଘଟଣାରେ ପ୍ରାଣ ହରାଇଲେଣି ଓ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଗରିବ ଅସହାୟ ଲୋକଙ୍କ ଏଭଳି ଦାରୁଣ ଦୁଃଖ ସମୟରେ ରେଡ୍‌କ୍ରସ ଚୁପ୍ ବସିଛି। ପ୍ରବାସୀ ଶ୍ରମିକମାନଙ୍କୁ ଓଡ଼ିଶାକୁ ଫେରାଇ ଆଣିବାରେ ଓ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଫେରାଇ ନେବାରେ ରେଡ୍‌କ୍ରସ ମୁଖ୍ୟ ଦାୟିତ୍ବ ବହନ କରିବା କଥା। ‌ସେହିଭଳି ରାଜ୍ୟ ସୀମାରେ ରେଡ୍‌କ୍ରସ ଶିବିର ପ୍ରତିଷ୍ଠା କରି ପ୍ରବାସୀ ଶ୍ରମିକମାନଙ୍କ ଆବଶ୍ୟକ ଚିକିତ୍ସା ଓ ସହାୟତା ଯୋଗାଇବା କଥା। କରୋନା ଯୁଦ୍ଧ ଅନ୍ୟ କୌଣସି ଯୁଦ୍ଧଠାରୁ କମ୍ ନୁହେଁ। କେବଳ ଏଥିପାଇଁ ହିଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ରେଡ୍‌କ୍ରସକୁ ୪୪.୫ କୋଟି ଟଙ୍କା ଅନୁଦାନ ମିଳିଛି। କିନ୍ତୁ ପରିତାପର କଥା ଯେ ରେଡ୍‌କ୍ରସ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ରାଜ୍ୟ ରେଡ୍‌କ୍ରସ ନିଜର ମୌଳିକ ନୀତି ମା‌ନବିକତା ଭୁଲି ନ ଯାଇ ପ୍ରବାସୀଙ୍କୁ ସହାୟତା କରିବା ଲାଗି ଆଗେଇ ଆସୁ ବୋଲି ସୁରକ୍ଷା ସମିତି ଦାବି କରିଛି।

ସମ୍ବନ୍ଧିତ ଖବର