ମାଟିରେ ମିଶିଲା ଶହ ଶହ ଘର, ବିପର୍ଯ୍ୟୟ ବେଳେ ୬ ଜଣଙ୍କର ମୁତ୍ୟୁ

ସମୁଦ୍ରରେ ୨୦ ଫୁଟର ଜୁଆର

କେନ୍ଦ୍ରାପଡ଼ା/ବାଲେଶ୍ବର/ତିହିଡ଼ି/କଟକ: ଯେତିକି ଅନୁମାନ କରାଯାଉଥିଲା, ‘ଅମ୍ଫାନ’ ରାଜ୍ୟର ସେତିକି କ୍ଷତି ଘଟାଇ ନାହିଁ। ତେବେ ଏହି ବିପର୍ଯ୍ୟୟ ବେଳେ ୬ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣ ଥିବା ବେଳେ ବାଲେଶ୍ବର, ଭଦ୍ରକ ଓ କଟକରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। କେନ୍ଦ୍ରାପଡ଼ାର ରାଜନଗର ବ୍ଲକ୍‌ ସାତଭାୟା ଗ୍ରାମର କୋଇଲି ବେହେରା(୬୫) ଓ ଘଡ଼ିଆମାଳ ପଞ୍ଚାୟତ ଜୁଣଗଡ଼ି ଗ୍ରାମର ଦୁର୍ଯୋଧନ ରାଉଳ(୫୫)ଙ୍କର ଏହି ସମୟରେ ମୃତ୍ୟୁ ଘଟିଛି। କୋଇଲିଙ୍କ ପରିବାର ଲୋକେ ସାତଭାୟାବାସୀଙ୍କ ଥଇଥାନସ୍ଥଳ ବଗପାଟିଆରେ ରହୁଥିଲେ। ବିଧାୟକ ଧ୍ରୁବ ସାହୁ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇବା ସହ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ସେଠାରେ ପହଞ୍ଚି କେଉଁ ପରିସ୍ଥିତିରେ ଉଭୟଙ୍କ ମୃତ୍ୟୁ ଘଟିଲା ସେ‌େନଇ ତଦନ୍ତ କରିଛନ୍ତି। ଏହି ଜିଲ୍ଲା ମହାକାଳପଡ଼ା ବ୍ଲକର ବତୀଘର ପଞ୍ଚାୟତର ବଡ଼ଟୁବି ଗ୍ରାମର ଯମୁନା ମଣ୍ଡଳଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେ ସକାଳେ ମାଛ ଧରିବାକୁ ଯାଇଥିଲେ। ଅପରାହ୍ନରେ ତାଙ୍କ ମୃତଦେହ ଟୁବି ନଦୀରୁ ଉଦ୍ଧାର କରାଯାଇଥିଲା।

ଅଧିକ ପ୍ରଭାବିତ ବାଲେଶ୍ବର ଜିଲ୍ଲାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ବାତ୍ୟା ପବନ ତାଙ୍କୁ ଉଡ଼ାଇ କଚାଡ଼ି ଦେଇଥିଲା। ମହିଳା ଜଣଙ୍କ ହେଲେ ସୁମିତ୍ରା ସିଂହ(୫୫)। ବାତ୍ୟା ପ୍ରକୋପରୁ ବର୍ତ୍ତିବା ପାଇଁ ଉକ୍ତ ମହିଳା ପୁଅ ବିଜୟକୁ ଧରି ଅଚ୍ୟୁତପୁର ପ୍ରାଥମିକ ବିଦ୍ୟାଳୟ ଆଶ୍ରୟସ୍ଥଳକୁ ଚାଲିଆସିଥିଲେ। ସେହିଭଳି, ଭଦ୍ରକର ତିହିଡ଼ି ଅଞ୍ଚଳରେ କାନ୍ଥ ପଡ଼ି ୩ ମାସର ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ତିହିଡି ବ୍ଲକ କାଁପଡ଼ା ପଞ୍ଚାୟତ ଦକ୍ଷିଣପାରି ଗ୍ରାମ ବଳରାମ ଦାସଙ୍କ ୩ ମାସର ପୁଅ। ଆଜି ସକାଳୁ ଶିଶୁଟିକୁ ଶୁଆଇ ଦେଇ ମାଆ ବାହାରେ କାମ କରୁଥିଲେ। ଏହି ସମୟରେ ବର୍ଷାରେ ଭିଜିଯାଇଥିବା ଝାଟିମାଟି କାନ୍ଥ ଭାଙ୍ଗିଯାଇ ଶିଶୁ ଉପରେ ପଡ଼ିଯାଇଥିଲା। ସେହିଭଳି ନଡିଆ ବାହୁଙ୍ଗା ପଡି କଟକ ଜିଲ୍ଲା ଦେବୀ-କନ୍ଦଳ ଦ୍ବୀପାଂଚଳ ଏକବେରୁଁଆ ପଂଚାୟତ ନାଟୀ ଗ୍ରାମର ଖୁଦ ସାବୁତ(୭୧)ଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଏହାକୁ ପ୍ରଶାସନ ପକ୍ଷରୁ ଅସ୍ବୀକାର କରାଯିବା ସହ ଏହା ସ୍ବାଭାବିକ ମୃତ୍ୟୁ ବୋଲି ନିଆଳି ତହସିଲଦାର ସୂଚନା ଦେଇଛନ୍ତି।

ବାଲେଶ୍ବର/ଭଦ୍ରକ/ବାରିପଦା: ବିପଦ ଟଳିଛି, ଯେତେ ଆଶଙ୍କା କରାଯାଉଥିଲା ସେତିକି ପରିମାଣରେ ପବନ ହୋଇନାହିଁ। ତଥାପି କେତେକ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୮୦ କିଲୋମିଟର ଟପିଥିବାରୁ ବଡ଼ବଡ଼ ଗଛ ଭାଙ୍ଗିଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ିଥିବାରୁ ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲା ଅନ୍ଧାରରେ ରହିଛି। ତେବେ ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ଯୁଦ୍ଧକାଳୀନ ଭିତ୍ତିରେ ଗଛ ସଫା କରିବା ସହ ବିଦ୍ୟୁତ୍ ଖୁଣ୍ଟି ଉଠାଇଛନ୍ତି। ଖୁବ୍‌ଶୀ‌ଘ୍ର ବିଦ୍ୟୁତ୍ ସରବରାହ ସ୍ବାଭାବିକ ହେବାର ଆଶା କରାଯାଉଛି। ୩ ଜିଲ୍ଲା ମଧ୍ୟରୁ ଭଦ୍ରକ ଜଲ୍ଲା ଚାନ୍ଦବାଲି, ଧାମରା ଓ ବାସୁଦେବପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ବାସୁଦେବପୁର, ଧାମରା, ଚାନ୍ଦବାଲି, ଭଦ୍ରକ, ଧାମନଗର, ଭଣ୍ଡାରିପୋ‌ଖରୀ, ବନ୍ତ, ତିହିଡି ବ୍ଲକର ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବା ସହ ରାସ୍ତାରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଛି। ବାସୁଦେବପୁର ଓ ଚାନ୍ଦବାଲି ଦୁଇ ବ୍ଲକର ୭୨ଟି ପଞ୍ଚାୟତର ୯୧ଟି ଗାଁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଗତକାଲି ଠାରୁ ଜିଲ୍ଲାର ୭ଟି ବ୍ଲକ ଓ ୪ଟି ପୌରାଞ୍ଚଳରେ ମୋଟ ୨୬ ହଜାର ୧୭୪ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୩୬୬ଟି ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି। ବାତ୍ୟା ବିତ୍ପାତ ଯୋଗୁଁ ଜିଲ୍ଲାର ଧାନ ଓ ପନିପରିବା ଚାଷୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ବାତ୍ୟା ଯୋଗୁ ଅମଳ ହେବାକୁ ଥିବା ରବିଧାନ ଜମିରେ ଲୋଟି ପଡ଼ିଥିବାବେଳେ ସୂର୍ଯ୍ୟମୁଖୀ ଫସଲ ନଷ୍ଟ ହୋଇଛି। ପରିବା ଚାଷ ଜମିରେ ବର୍ଷା ପାଣି ଜମି ରହିଥିବାବ‌େଳେ ପବନ ଓ ବର୍ଷା ମାଡ଼ରେ ଗଛସବୁ ନଷ୍ଟ ହୋଇଛି।

ଅମ୍ଫାନ ବାଲେଶ୍ବର ଜିଲ୍ଲାରେ ବ୍ୟାପକ ତାଣ୍ଡବ ରଚିଛି। ମଙ୍ଗଳବାର ରାତିରୁ ବର୍ଷା ଓ ପବନ ଜାରି ରହିଥିବା ବେଳେ ଆଜି ମଧ୍ୟାହ୍ନଠା‌ରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଭୟଙ୍କର ପବନ ବୋହିଥିଲା। ଏଥିରେ ସବୁଠୁ ଅଧିକ କ୍ଷୟକ୍ଷତି ଘଟିଛି ଉତ୍ତର-ବାଲେଶ୍ବରର ବାଲିଆପାଳ, ଭୋଗରାଇ ଓ ଜଳେଶ୍ବର ଅଞ୍ଚଳରେ। ପ୍ରାୟ ୧୨୦ କିମି ବେଗରେ ପବନ ବୋହିଥିଲା। ଅନେକ ଘରଦ୍ବାର ଭାଙ୍ଗି ମାଟିରେ ମିଶିଥିବା ବେଳେ ବହୁ ଜାଗାରେ ଗଛ ଉପୁଡ଼ିବା ସହିତ ବିଦ୍ୟୁତ୍‌ ତାର ଜନଜୀବନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବାଲେଶ୍ବର ଜିଲ୍ଲା ଭୋଗରାଇରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ତାଳସାରୀ ବେଳାଭୂମିରେ ୨୦ ଫୁଟରୁ ଅଧିକ ଉଚ୍ଚର ଜୁଆର ସ୍ଥଳଭାଗକୁ ମାଡ଼ିଆସିଥିଲା। ସୁବର୍ଣ୍ଣପୁର ଦ୍ବୀପରେ ଫସିରହିଥିବା ୧୦ ମତ୍ସ୍ୟଜୀବୀଙ୍କୁ ମେରାଇନ ପୁଲିସ ଓ ଭୋଗରାଇ ବ୍ଳକ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ପବନ ଯୋଗୁଁ ବ୍ଲକର ୫୦ଟି ପଞ୍ଚାୟତର ପ୍ରାୟ ସାଢ଼େ ୩ଲକ୍ଷ ଲୋକେ ପ୍ରଭାବିତ ହୋଇଥିବା‌ ଆକଳନ କରାଯାଇଛି। ଜଳେଶ୍ବର ମ୍ୟୁନିସିପାଲିଟି ଅଞ୍ଚଳରେ ବହୁ ଝାଟିମାଟି ଘର, ବର୍ଷା ଓ ପବନରେ ଭାଙ୍ଗିଯାଇ ଲୋକ ବାସହରା ହୋଇଛନ୍ତି। ଅନେକ ଜମିରେ ଧାନ ଅମଳ ହୋଇପାରିନାହିଁ। ଜମିରେ ଧାନଗଛ ସବୁ ମାଟି ଉପରେ ଶୋଇଯିବା ସହ ତା ଉପରେ ପାଣିର ସୁଅ ଚାଲିଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ତଥା ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା। କେହି ମୃତାହତ ହୋଇନାହାନ୍ତି।

ଅନ୍ୟପକ୍ଷରେ, ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଅମ୍ଫାନ। ବେତନଟୀ, ବଡ଼ସାହି, ରାସଗୋବିନ୍ଦପୁର, ଶ୍ୟାମାଖୁଣ୍ଟା, ସାରସକଣା, କପ୍ତିପଦା, ମୋରଡ଼ା, ବାରିପଦା ଆଦି ବ୍ଲକ୍‌ରେ ଅମ୍ଫାନ୍‌ର ପ୍ରଭାବ ବେଶ୍‌ ଅନୁଭୁତ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିପଡ଼ିଥିବାର ଖବର ମିଳିଛି। ଖବର ଲେଖାଯିବା ବେଳକୁ ଅଗ୍ନିଶମବାହିନୀ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାଘାଟ ସଫା କରାଯାଉଛି। କେହି ମୃତାହତ ହୋଇଥିବାର ଖବର ମିଳିନାହିଁ। ତେବେ ରବିଫସଲ ଓ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର