ଇଓଡବ୍ଲ୍ୟୁରେ ଅଭିଯୋଗ କଲେ ଶତାଧିକ ଶ୍ରମିକ

କୋଅପରେଟିଭ୍‌ ସଂସ୍ଥା ନାଁରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସ୍ଥିିତ ଶୁଆକାଟି ଅଞ୍ଚଳରେ ଥିବା ଗନ୍ଧମାର୍ଦ୍ଧନ ଲୋଡିଂ ଏଣ୍ଡ କୋଅପରେଟିଭ୍‌ ନାମକ ଏକ ସଂସ୍ଥା ଶ୍ରମିକମାନଙ୍କ କୋଟି କୋଟି ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି। ଆଜି ଶତାଧିକ ଶ୍ରମିକ ଭୁବନେଶ୍ୱର ସ୍ଥିତ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁରେ)କୁ ଆସି ଏଭଳି ଅଭିଯୋଗ କରିଛନ୍ତି।

ଅଭିଯୋଗରେ ଦର୍ଶାଯାଇଛି ଯେ, ଗତ ୨୦୦୬ ମସିହାରୁ ସଂସ୍ଥା ଶୁଆକାଟି, କୁମୁଡ଼ି, ତଳକଇଁସାରୀ ଆଦି ଅଞ୍ଚଳର ଶତାଧିକ ଶ୍ରମିକଙ୍କୁ କାମରେ ନିୟୋଜିତ କରାଇଥିଲା। ଶ୍ରମିକମାନେ ପ୍ରତିଦିନ ୧୫୦୦-୨୦୦୦ଟ୍ରକ ଲୋଡିଂ କରୁଥିଲେ। ସଂସ୍ଥା ଟ୍ରକ୍‌ ମାଲିକଙ୍କଠାରୁ ଗୋଟିଏ ୬ ଚକିଆ ଟ୍ରକ୍‌କୁ ଲୋଡିଂ ପାଇଁ ୯ଶହ ଟଙ୍କା ଓ ୧୦ ଚକିଆ ଟ୍ରକ୍‌ ଲୋଡିଂ ପାଇଁ ୧୨ଶହ ଟଙ୍କା ନେଉଥିଲା। ହେଲେ ସଂସ୍ଥା ଲୋଡିଂ କରୁଥିବା ଶ୍ରମିକମାନଙ୍କ ଦୈନିକ ମଜୁରୀରୁ କାଟ କରି କମ୍‌ ଟଙ୍କା ଦେଉଥିଲା। ସେହିପରି ସଂସ୍ଥା ଶ୍ରମିକମାନଙ୍କୁ ଇପିଏଫ୍‌ କି ବୋନସ୍‌ ଟଙ୍କା ଦେଇନଥିଲା। ଦୀର୍ଘ ୧୧ ବର୍ଷ ଧରି ସଂସ୍ଥା ୪ଶହରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ୧୨ କୋଟି ଟଙ୍କା ଆତ୍ମସାତ କରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ତେଣୁ ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ଆମ୍ଭମାନଙ୍କ ପ୍ରାପ୍ୟ ପ୍ରଦାନ କରିବା ସହ ଦୋଷୀମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରମିକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର