ଦଶପଲ୍ଲା ବନାଞ୍ଚଳରେ ବୃଦ୍ଧି ପାଉଛି ଶିକାରୀଙ୍କ ପ୍ରାଦୁର୍ଭାବ, ବିପଦରେ ବନ୍ୟଜନ୍ତୁ

ଦଶପଲ୍ଲା : ବନବିଭାଗ ଅଧିକାରୀଙ୍କ ନିଷ୍କ୍ରିୟତାର ସୁଯୋଗ ନେଇ ନୟାଗଡ଼ ବନଖଣ୍ଡ ଅଧୀନସ୍ଥ ଦଶପଲ୍ଲା ବନାଞ୍ଚଳ ମାଫିଆଙ୍କ ଚରାଭୂଇଁ ପାଲଟିଥିବା ବେଳେ ଏବେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି ବନ୍ୟଜନ୍ତୁ। ଦଶପଲ୍ଲା ଓ ଗଣିଆ ବନାଞ୍ଚଳର ବିଭିନ୍ନ ସ୍ଥାନରେ ଏବେ ଶିକାରୀଙ୍କ ପ୍ରାଦୁର୍ଭାବ ବଢି ଚାଲିଛି। ବାରାହା ଶିକାର ପାଇଁ ଶିକାରୀମାନେ ଦୈନିକ ବିସ୍ଫୋରକ ବ୍ୟବହାର ଓ ବିଦ୍ୟୁତ୍ ସଂଯୋଗ କରି ବିଭିନ୍ନ ଜଙ୍ଗଲକୁ ଘେରି ରଖୁଥିବା ବେଳେ ବନ୍ୟଜନ୍ତୁ ଏବଂ ଜନସାଧାରଣ ପାଇଁ ଏହା ବିପଦ ସୃଷ୍ଟି କରିଛି। ଶିକାରୀମାନେ ବାର୍‌ହା ଶିକାର କରି ଖୋଲଖୋଲି ଭାବେ ବିଭିନ୍ନ ଗାଁ ଗଣ୍ଡାରେ ବିକ୍ରି କରୁଥିବା ବେଳେ ବନବିଭାଗ ସବୁ ଜାଣି ନଜାଣିବା ଭଳି ରହିଛି। ଦଶପଲ୍ଲା ବନାଞ୍ଚଳର ଲେମ୍ବୁଗୋଛା, ବୁଗୁଡା, ବରସାହି, କନ୍ଧ ନୂଆସାହି, ଶାଳଭଙ୍ଗା ଏବଂ ଗଣିଆ ବନାଞ୍ଚଳର ଡିହଗାଁ, ଖଇରାପଙ୍କାଳ ସାହି, ମଧ୍ୟଖଣ୍ଡ, ଆଡ଼କଟା ଆଦି ସ୍ଥାନମାନଙ୍କରେ ଶିକାରୀମାନେ ଧାନ ଫସଲ ନିକଟରେ ଛେଳି ପୁଟା ମଧ୍ୟରେ ବାରୁଦ ଦେଇ ଜନ୍ତୁ ଶିକାର କରିବା ସହ ବିଭିନ୍ନ ଜଙ୍ଗଲକୁ ବିଦ୍ୟୁତ୍ ତାର ଘେରାଇ ରଖୁଛନ୍ତି। ବାର୍‌ହା ଶିକାର କରି ଦୈନିକ କ୍ୱିଂଟାଲ କ୍ୱିଂଟାଲ ମାଂସ ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି। ଏପରିକି ବାହାରର ବ୍ୟବସାୟୀମାନେ କିଛି ଶିକାରୀଙ୍କ ସହ ହାତ କରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ମାଂସ ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଦଶପଲ୍ଲା ବନାଞ୍ଚଳ ସମେତ ଓ ଗଣିଆ ବନାଞ୍ଚଳର ମଧ୍ୟଖଣ୍ଡ ସେକ୍ସନରୁ ମୃତ ବାର୍‌ହାକୁ ରାତାରାତି ଜିଲ୍ଲା ଓ ଜିଲ୍ଲା ବାହାରକୁ ଚାଲାଣ କରାଯାଉଥିବା ବେଳେ ବନବିଭାଗ ପାଖରେ ଖବର ନଥିବା ଆଶ୍ଚର୍ଯ୍ୟର ବିଷୟ ପାଲଟିଛି। ଧାନ ଅମଳ ସମୟ ହୋଇଥିବା ବେଳେ ଧାନ ଖାଇବା ପାଇଁ ବିଭିନ୍ନ ଜଙ୍ଗଲରୁ ଆସୁଥିବା ବାର୍‌ହା ଓ ହାତୀଙ୍କ ପାଇଁ ଏବେ ବିପଦ ସୃଷ୍ଟି କରିଛି। ମାତ୍ର ଦଶପଲ୍ଲା ବନାଞ୍ଚଳ ମଧ୍ୟରେ ବନାଞ୍ଚଳ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ଦେଖା ଦେଇଥିବା ବିବାଦକୁ ନେଇ ଠିକ୍‌ ଭାବେ ପାଟ୍ରୋଲିଂ କରାଯାଉନଥିବା ମଧ୍ୟ ଦେଖିବାକୁ ମିଳିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର