ମୁମ୍ବାଇରୁ ନିଖୋଜ ହୋଇଯାଇଥିବା ପତ୍ନୀକୁ ଫେସବୁକ୍‌ ଜରିଆରେ ଫେରିପାଇଲେ ସ୍ୱାମୀ

ଭୁବନେଶ୍ୱର : କିଛି ଦିନ ତଳେ ମୁମ୍ବାଇରୁ ହଜି ଯାଇଥିବା ପତ୍ନୀକୁ ଭୁବନେଶ୍ୱରରେ ପାଇଲେ ସ୍ୱାମୀ। ଏହା କେବଳ ସମ୍ଭବ ହୋଇପାରିଲା ଫେସ୍‌ବୁକ୍‌ ଯୋଗୁଁ। ଫେସବୁକ୍‌ ଓ ଭିଡିଓ କଲିଂ ପତି-ପତ୍ନୀଙ୍କୁ ମିଳନ କରାଇଛି। ପତ୍ନୀ ଜଣକ ଫେସବୁକ୍‌ ଓ ଭିଡିଓ କଲିଂ ଜରିଆରେ ହିଁ ଚିହ୍ନିପାରିଥିଲେ ନିଜ ସ୍ୱାମୀଙ୍କୁ।

ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ମଧ୍ୟରେ କିଛି ଦିନ ତଳେ ଘର ଛାଡ଼ି ଟ୍ରେନରେ ବସିଯାଇଥିଲେ ମୁମ୍ବାଇର ରଂଜିତା ଦେବୀ। ଅନ୍ୟମନସ୍କ ଭାବରେ ଚଢ଼ିଯାଇଥିଲେ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଟ୍ରେନରେ। ଆଉ ଏପ୍ରିଲ ୧୧ ତାରିଖ ସକାଳେ ପହଞ୍ଚିଥିଲେ ଭୁବନେଶ୍ୱର ରେଳ ଷ୍ଟେସନରେ। ମାନସିକ ସନ୍ତୁଳନ ଠିକ୍‌ ନଥିବାରୁ ପ୍ରଥମେ ରଂଜିତା ନିଜ ପରିଚୟ ସଂପର୍କରେ କାହାକୁ କିଛି କହିପାରୁନଥିଲେ। ଏପରି ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲା ଭୁବନେଶ୍ୱର ଜିଆରପିଏଫ୍‌ ପୋଲିସ୍‌ ଆଉ ନେଇ ଛାଡ଼ିଥିଲା ଭୁବନେଶ୍ୱର ନିକଟବର୍ତୀ ଯାଁଆଁଳାରେ ଥିବା ‘ମିଶନ ଆଶ୍ରା’ର ପୁନର୍ବାସ କେନ୍ଦ୍ରରେ।

ପ୍ରଥମ ଦୁଇ ଦିନ କିଛି କହିପାରୁନଥିବା ରଂଜିତା ଧୀରେ ଧୀରେ କିଛି କିଛି କଥା ମନେପକାଇ ପାରିଥିଲେ। ମିଶନ୍‌ ଆଶ୍ରାର ସାମାଜିକ କର୍ମୀମାନେ ତାଙ୍କୁ ଫେସ୍‌ବୁକ୍‌ ଜରିଆରେ ତାଙ୍କ ସ୍ୱାମୀଙ୍କ ଫଟୋ ପାଇବାରେ ସାହାଯ୍ୟ କରିଥିଲେ। ଏଥିସହ ଭିଡିଓ କଲିଂ ଜରିଆରେ ତାଙ୍କ ସ୍ୱାମୀଙ୍କ ସହ କଥା କରାଇଦେଇଥିଲେ। ଏହାପରେ ମୁମ୍ବାଇର ଏକ ଟେଲିଫୋନ୍‌ କମ୍ପାନୀରେ କାମ କରୁଥିବା ଅରବିନ୍ଦ ଛୁଟି ଆସିଥିଲେ ଭୁବନେଶ୍ୱର। ରବିବାର ପତ୍ନୀଙ୍କୁ ଘରକୁ ଫେରାଇ ନେବା ପାଇଁ ଭୁବନେଶ୍ୱରରେ ପହଁଚିଥିଲେ।

ସମ୍ବନ୍ଧିତ ଖବର