ପୁରୀ : ପତ୍ନୀ ଅପହର୍ତ୍ତାଙ୍କ ବେକ କାଟି ହତ୍ୟା ଉଦ୍ୟମ

ପୁରୀ : ପତ୍ନୀଙ୍କୁ ଅପହରଣ କରି ପୁରୀ ପଳାଇ ଆସିଥିବା ଜଣେ ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କରିଛନ୍ତି ସ୍ବାମୀ । ଖବର ପାଇ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଦମ୍ପତିଙ୍କୁ ଥାନାରେ ଅଟକ ରଖିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଡିମ୍ବିରିଆ ଗ୍ରାମର ଶିବ ସାହୁ ଓରଫ ରଜୁଙ୍କ ପତ୍ନୀଙ୍କୁ ସେହି ଅଞ୍ଚଳର ମିଥୁନ ସାହୁ ନାମକ ଜଣେ ଯୁବକ ଅପହରଣ କରିି ପୁରୀକୁ ଚାଲି ଆସିଥିଲେ। ଏହି ଅପହରଣ ପରେ ପରେ ରଜୁ ମଧ୍ୟ ଆସି ପୁରୀରେ ପହଞ୍ଚି ମିଥୁନଙ୍କୁ ଖୋଜାଖୋଜି କରିଥିଲେ। ଆଜି ରାତି ପ୍ରାୟ ସାଢ଼େ ଦଶଟା ସମୟରେ ଚକ୍ରତୀର୍ଥ ରୋଡ୍‌ରେ ମିଥୁନ ରଜୁଙ୍କ ପତ୍ନୀଙ୍କୁ ନେଇ ଯାଉଥିବା ଖବର ପାଇ ରଜୁ ସେଠାରେ ପହଞ୍ଚି ମିଥୁନଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କ ମଧ୍ୟରେ ହାତାହାତି ହେବା ବେଳେ ଛୁରିରେ ମିଥୁନଙ୍କ ହାତ ଓ ଅନ୍ୟାନ୍ୟ ସ୍ଥାନରେ କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ସେହି ରାସ୍ତା ଦେଇ ଯାଉଥିବା ଜଣେ ପୁଲିସ କନେଷ୍ଟବଳଙ୍କୁ ଦେଖି ସେଠାରୁ ଦମ୍ପତି ଦୌଡ଼ି ଖସିଯିବା ପାଇଁ ଉଦ୍ୟମ କରିଥିଲେ। କନେଷ୍ଟବଳ ଜଣକ ଅନ୍ୟମାନଙ୍କ ସହାୟତାରେ ରଜୁ ଓ ତାଙ୍କ ପତ୍ନୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଏହି ଘଟଣାକୁ ନେଇ ସମୁଦ୍ରକୂଳ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର