ପ୍ରେମ ବିବାହର କରୁଣ ପରିଣତି, କିରୋସିନି ଢାଳି ସ୍ତ୍ରୀକୁ ପୋଡି ମାରିଲା ସ୍ୱାମୀ

ମୟୁରଭଞ୍ଜ: ବର୍ଷକରୁ ଅଧିକ ଦିନ ବି ତିଷ୍ଠିଲାନି ବୈବାହିକ ଜୀବନ | ନିଜ ପତ୍ନୀଙ୍କୁ କିରୋସିନି ଢାଳି ହତ୍ୟା କଲେ ଅଭିଯୁକ୍ତ ସ୍ୱାମୀ | ମୟୁରଭଞ୍ଜ ଜିଲ୍ଲାର ମହୁଲଡିଆ ଥାନା ଅନ୍ତର୍ଗତ କୋଇଲିପାଳ ଗାଁରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଏହି ଗ୍ରାମର ଲିଲି ଦେହୁରୀ ଜରକ ଗ୍ରାମ ପଞ୍ଚାୟତ ଭଦୁବେଡା ଗ୍ରାମର ପ୍ରଫୁଲ୍ଲ ନାୟକଙ୍କୁ ପ୍ରେମ ବିବାହ କରିଥିଲେ | ତେବେ ପ୍ରଫୁଲ୍ଲ ବାଙ୍ଗାଲୋରରେ ରହୁଥିବାବେଳେ ଲିଲି ତାଙ୍କ ବାପଘରେ ଦୁଇମାସ ହେଲା ରହୁଥିଲେ |

ସୋମବାର ରାତିରେ ପ୍ରଫୁଲ୍ଲ ଲିଲିଙ୍କୁ ଭେଟିବାକୁ ଆସିଥିଲେ | ପରେ ଦୁହେଁ ଘରଠାରୁ ୫୦୦ ମିଟର ଦୁରକୁ ଯାଇଥିଲେ | କିଛି ସମୟ ପରେ ଅଧାପୋଡା ଅବସ୍ଥାରେ ଲିଲି ଗୁରୁତର ହୋଇ ବାପଘରକୁ ଆସିଥିଲେ | ମାଙ୍କ ସାମ୍ନାରେ କହିଥିଲେ ଯେ ସ୍ୱାମୀ ପ୍ରଫୁଲ୍ଲ ଓ ତାଙ୍କ ଦୁଇ ସାଙ୍ଗ ତାଙ୍କ ମୁହଁରେ କପଡା ବାନ୍ଧି ନିଆଁ ଲଗାଇଦେଇଥିଲେ | ଏହାପରେ ଲିଲିଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ଅବସ୍ଥା ଗୁରୁତର ହେବାରୁ ଘସିପୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |

ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଲିଲିଙ୍କ ବାପଘର ପକ୍ଷରୁ କହିବା କଥା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା | ତେଣୁ ସ୍ୱାମୀ ପ୍ରଫୁଲ୍ଲ ତାଙ୍କୁ ହତ୍ୟା କରିଛି | ପ୍ରଫୁଲ୍ଲ ଏବେ ଫେରାର ଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି | ଏବେ ପୁଲିସ ଲିଲିଙ୍କ ଶ୍ୱଶୁର ଅମିନ ନାୟକଙ୍କୁ ଅଟକ ରଖି ପଚରାଉଚୁରା କରୁଛି |

ସମ୍ବନ୍ଧିତ ଖବର