ଘରୋଇ କଳିର କରୁଣ ପରିଣତି, ନିଶାସକ୍ତ ସ୍ବାମୀର ମାଡ଼ରେ ସ୍ତ୍ରୀ ମୃତ

ରାଣୀତାଲ : ଭଦ୍ରକ ବ୍ଲକ୍‌ ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତର ଜଗଦଳପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ନିଶାସକ୍ତ ସ୍ବାମୀଙ୍କ ମାଡ଼ରେ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ ମହିଳା ଜଣକ ହେଲେ ଏହି ଗାଁର ସମରାଇ ମାଝୀଙ୍କ ପତ୍ନୀ ସୁଖୀ(୪୦)। ଏ ନେଇ ଥାନାରେ ସମ୍ପର୍କୀୟମାନେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ସ୍ବାମୀ ସମରାଇ ଘଟଣା ପରଠାରୁ ଫେରାର ହୋଇଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଜଗଦଳପୁରର ବାସିନ୍ଦା ସମରାଇ ମାଝୀ ଭାରତୀୟ ଖାଦ୍ୟ ନିଗମର ରୁପ୍‌ସା ଶାଖାର ୬ ନମ୍ବର ଗ୍ୟାଙ୍ଗର ଜଣେ କର୍ମଚାରୀ। ଗତକାଲି ଅଫିସରୁ ଫେରିଥିବା ସମରାଇ ନିଜ ସ୍ତ୍ରୀ ସହ ଘରୋଇ କଥାକୁ ନେଇ ଯୁକ୍ତିତର୍କ କରିଥିଲେ। ତେବେ ଉଭୟେ ନିଶାସକ୍ତ ଥିବାରୁ ଏହି କଳି ଉଗ୍ରରୂପ ନେଇଥିଲା। ଏଥିରେ ସମରାଇ ନିଜର ହିତାହିତ ଜ୍ଞାନ ହରାଇଥିଲେ। କ୍ରୋଧାନ୍ଧ ସମରାଇ ନିଜ ସ୍ତ୍ରୀ ସୁଖୀଙ୍କ ଛାତି, ପେଟକୁ ଆଘାତ ଦେବା ସହ କାନ୍ଥରେ ପିଟି ଦେଇଥିଲେ। ଏଥିରେ ସୁଖୀଙ୍କ ମୁଣ୍ଡ ଫାଟି ଯିବା ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ପରେ ନିଜର ବଡ଼ ଜ୍ୱାଇଁ କାର୍ତ୍ତିକ ବେହେରାଙ୍କ ସହଯୋଗରେ ସାମରାଇ ସୁଖୀଙ୍କୁ ମାର୍କୋଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ରୋଗୀର ଅବସ୍ଥା ଗୁରୁତର ଜାଣି ସମରାଇ ଫେରାର ହୋଇଯାଇଥିଲେ। ଡାକ୍ତର ଅଧିକ ଚିକିତ୍ସା ପାଇଁ ଭଦ୍ରକକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ଜ୍ୱାଇଁ କାର୍ତ୍ତିକ ତାଙ୍କୁ ଆଜି ସକାଳେ ଘରକୁ ନେଇଆସିଥିଲେ। ସକାଳ ପ୍ରାୟ ୯ଟା ବେଳେ ସୁଖୀଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର