ଆମ୍ବ ବଗିଚାରୁ ମହିଳାଙ୍କ ଶବ ମିଳିବା ଘଟଣା : ସ୍ତ୍ରୀର ଶବକୁ ନଦୀରେ ଭସାଇଦେଲେ ସ୍ୱାମୀ

ଜଳେଶ୍ୱର : ଜଳେଶ୍ୱର ବ୍ଲକ ଅଧୀନ ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତର ଗୁଆଗଡ଼ିଆର ଏକ ଆମ୍ବ ବଗିଚାରୁ ଗତକାଲି ସନ୍ଦେହଜନକ ଭାବେ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଥିଲା। ତେବେ ମହିଳାଙ୍କ ଶବକୁ ତାଙ୍କ ସ୍ୱାମୀ ଗତକାଲି ରାତିରେ ସୁବର୍ଣ୍ଣରେଖା ନଦୀ ସ୍ରୋତରେ ଭସାଇ ଦେଇଥିବା ଜଣାପଡ଼ିଛି। ମୋରଡ଼ା ଅଞ୍ଚଳର ସଞ୍ଜୟ ସିଂଙ୍କ ପତ୍ନୀ ଶିବାନୀଙ୍କ ମୃତ୍ୟୁ ଉପରୁ ପରଦା ହଟି ନଥିବା ବେଳେ ସ୍ୱାମୀ ତାଙ୍କ ଶବକୁ ନଦୀ ସ୍ରୋତରେ ଭସାଇଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି।

ଗତକାଲି ରାଇବଣିଆ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ସଂଜୟକୁ ଶିବାନୀର ଶବ ଦେଇଥିବା ବେଳେ ସେ ଶବକୁ ସତ୍କାର ନ କରି ନଦୀ ପାଣିରେ ଭସାଇ ଦେବା ଘଟଣା ଏବେ ଚର୍ଚାର ବିଷୟ ହୋଇଛି। ବର୍ଷା ଲାଗି ରହିଥିବାରୁ ଏବଂ କେହି ସହଯୋଗ ନ କରିବାରୁ ସଂଜୟ ଶବକୁ ପାଣିରେ ଭସେଇ ଦେଇଥିବା କହୁଛନ୍ତି। ତେବେ ଶିବାନୀର ବଡ଼ ଭଉଣୀ ସୋମବାରୀ ସଂଜୟଙ୍କ ଏପରି କାଣ୍ଡକୁ ନିନ୍ଦା କରିବା ସହ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର