ପାତ୍ରପୁର: ଆନ୍ଧ୍ର ପ୍ରଦେଶ-ଓଡ଼ିଶା ସୀମାନ୍ତରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ଏଥିରେ ଏକ ଦମ୍ପତି ପ୍ରାଣ ହରାଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଗୁଣ୍ଡା ଗ୍ରାମର ଭଗବାନ ଚୈନୀ ଓ ତାଙ୍କ ସ୍ତ୍ରୀ ଭାରତୀ ଚଇନି ଗୁରୁବାର ସକାଳୁ ଆନ୍ଧ୍ରର ଭେସି ଗ୍ରାମରେ ଥିବା ଦାଦା ପୁଅ ଭାଇଙ୍କ ପୁଅର ବ୍ରତଘରରେ ଯୋଗ ଦେବାକୁ ଘରୁ ବାହାରିଥିଲେ। ସେଦୁହେଁ ନିଜର ଲୁନା ଏକସେଲ ଗାଡ଼ିରେ ପାଖାପାଖି ୭ଟା ବେଳେ ଯାତ୍ରା ଆରମ୍ଭ କରିଥିଲେ। ଗୁଣ୍ଡା ଗ୍ରାମରୁ ଭେସି ପ୍ରାୟ ୪୦ କିଲୋମିଟର। ଏହି ଦମ୍ପତି ଯାଉଥିବା ବେଳେ କୁଲାମ ଓ ଭେସି ନିକଟରେ ଥିବା ଜାତୀୟ ରାଜପଥ-୧୬ ରେ ଟ୍ରକ ସେମାନଙ୍କ ଲୁନାକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ଉଭୟ ଭଗବାନ ଓ ଭାରତୀଙ୍କର ମୃତ୍ୟୁ ହୋଇଥିଲା। ମୃତ ଭଗବାନଙ୍କ ବୟସ ୫୫ ଓ ଭାରତୀଙ୍କର ୫୦ ବର୍ଷ ବୋଲି ଜଣାଯାଇଛି। ଭଗବାନଙ୍କ ମୂଳ ଘର ଆନ୍ଧ୍ରର ଭେସି ଗ୍ରାମରେ। କିନ୍ତୁ ତାଙ୍କ ବାପା ପାଖାପାଖି ୫୦ ବର୍ଷ ହେଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଗୁଣ୍ଡା ଗ୍ରାମରେ ରହିଆସୁଛନ୍ତି।
ଦୁର୍ଘଟଣା ସଂପର୍କରେ ଖବର ପାଇ ଆନ୍ଧ୍ର ପ୍ରଦେଶର ସୋମପେଣ୍ଠ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି। ଏହି ଦୁର୍ଘଟଣା ସଂପର୍କରେ ଖବର ପାଇବା ପରେ ଉଭୟ ଗୁଣ୍ଡା ଓ ଭେସି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
ବ୍ରତଘରରେ ଯୋଗ ଦେବାକୁ ସ୍ବାମୀ-ସ୍ତ୍ରୀ ଲୁନାରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍, ଦମ୍ପତି ମୃତ
/sambad/media/post_attachments/wp-content/uploads/2020/02/acc-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)