ଉନ୍ନତ ଗୋ-ଶୁକ୍ରାଣୁ ସଂଗ୍ରହ ନାଁରେ ଅର୍ଥ ଶ୍ରାଦ୍ଧ : ଖତ ଖାଉଛି କୋଟିଏ ଟଙ୍କାର ମେସିନ

କଟକ : ମେସିନର ଦାମ କୋଟିଏ ଟଙ୍କା। ପ୍ରୋଟିନ ଯୁକ୍ତ ମକା ଉତ୍ପାଦନ ପାଇଁ କିଣା ଯାଇଥିଲା ମେସିନ୍‌। କିନ୍ତୁ ଅପରେଟର ଏବଂ କଞ୍ଚାମାଲର ଅଭାବ ଯୋଗୁ ଏହି ଅତ୍ୟାଧୁନିକ ମେସିନ ଏବେ ଖତ ଖାଇବାକୁ ଯାଉଛି। ଉନ୍ନତ ଗୋ-ଶୁକ୍ରାଣୁ ସଂଗ୍ରହ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ କଟକ ଖପୁରିଆଠାରେ ପ୍ରତିଷ୍ଠା ହୋଇଥିବା ହିମିକୃତ ଶୁକ୍ରଭଣ୍ଡାରରେ ଏଭଳି ମୂଲ୍ୟବାନ ମେସିନ ବ୍ୟବହାର ନହୋଇ ପଡ଼ି ରହିଛି।

ଉନ୍ନତ ଗୋ-ଶୁକ୍ରାଣୁ ସଂଗ୍ରହ ପାଇଁ ଖପୁରିଆରେ ରହିଛି ହିମିକୃତ ଶୁକ୍ରଭଣ୍ଡାର। ଉନ୍ନତ ଶୁକ୍ର ପାଇଁ ଅଧିକ ପ୍ରୋଟିନର ଆବଶ୍ୟକତା ଥିବାବେଳେ ଷଣ୍ଢମାନଙ୍କୁ ମକାଜାତୀୟ ଖାଦ୍ୟ ପ୍ରଦାନ କରାଯାଇଥାଏ। ଏଥିପାଇଁ ୨୦୧୫ରେ କିଣାଯାଇଥିଲା ଅତ୍ୟାଧୁନିକ ହାଇଡ୍ରୋଫୋନିକ ମେସିନ। ମକା ପ୍ରୋସେସିଙ୍ଗ କରି ଷଣ୍ଢମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବା ଏହି ଅତ୍ୟାଧୁନିକ ହାଇଡ୍ରୋଫୋନିକ ମେସିନର ଦାମ ୭୦ ଲକ୍ଷ ଟଙ୍କା ରହିଥିବାବେଳେ ଏହାକୁ ଉପଯୁକ୍ତ ଭାବେ ବସାଇବା ପାଇଁ ଆଉ ଅଧିକ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ପଞ୍ଜାବରୁ ଏହି ମେସିନ ଆସିଥିଲା। ଦିନକୁ ତିନି କ୍ୱିଣ୍ଟାଲ ଓଜନର ମକା ଉତ୍ପାଦନ କରିବାର କ୍ଷମତା ଏହି ମେସିନ୍‌ର ରହଛି। କିନ୍ତୁ ଦୀର୍ଘ ଦିନ ହେବ ଏହି ମେସିନ ପଡ଼ି ରହିଥିବା ଯୋଗୁଁ ଉନ୍ନତ ଶୁକ୍ରାଣୁ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ମେସିନ ବସିବାର ପନ୍ଦର ଦିନ ଯାଏ ଠିକଠାକ ଚାଲିଥିବାବେଳେ ପରବର୍ତ୍ତୀ ସମୟରେ ବନ୍ଦ ହୋଇ ପଡିଥିଲା। କିଛି ଦିନ ପରେ ପଶୁ ସମ୍ପଦ ନିର୍ଦ୍ଦେଶକ ଅଫିସ ଗସ୍ତରେ ଆସିଥିବାବେଳେ ଲୋକ ଦେଖାଣିଆ ଭାବେ ମେସିନକୁ ଚାଲୁ କରାଯାଇଥିଲା। ପରେ ପୁଣି ମେସିନ ବନ୍ଦ ହୋଇପଡିଥିଲା।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶମତେ ଶେଷଥର ପାଇଁ ଏହି ହାଇଡ୍ରୋଫୋନିକ ମେସିନକୁ ଭୁବନେଶ୍ୱରସ୍ଥିତ ରାଜ୍ୟ କୃଷି ମହୋତ୍ସବରେ ପ୍ରଦର୍ଶନ କରାଯାଇଥିଲା। ସେବେଠାରୁ ଏହି ମେସିନ ବନ୍ଦ ହୋଇପଡିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ମେସିନ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। ମେସିନର ମୂଲ୍ୟ ୭୦ ଲକ୍ଷ ଟଙ୍କା ହୋଇଥିବାବେଳେ କାଗଜପତ୍ରରେ ଏହାର ଦାମ ୧ କୋଟି ୨୭ ଲକ୍ଷ ଟଙ୍କା ଦର୍ଶାଯାଇଛି। ମେସିନ ଲଗାଇବା ବେଳେ ଅଭିଜ୍ଞ ଅପରେଟର ନିଯୁକ୍ତି ପାଇଁ କମ୍ପାନୀ ପକ୍ଷରୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏଠାରେ କାମଚଳା ଢଙ୍ଗରେ ଅନଭିଜ୍ଞ କର୍ମଚାରୀଙ୍କୁ ନିୟୋଜନ କରାଯାଉଛି। ଏ ସମ୍ପର୍କରେ ମତ ରଖି ହିମିକୃତ ଶୁକ୍ରଭଣ୍ଡାରର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପ୍ରେମାନନ୍ଦ ରାଉତ କହିଛନ୍ତି ଯେ ମକା ଟେଣ୍ଡର ନ ହୋଇପାରିବା ଯୋଗୁ ଏହି ମେସିନ ଏବେ ବନ୍ଦ ହୋଇ ରହିଛି। ମେସିନ ଲଗାଇବା ଏବଂ ମକା ଟେଣ୍ଡର ଆଦି କାର୍ଯ୍ୟ ହିମିକୃତ ଶୁକ୍ରଭଣ୍ଡାର ଅଧୀନରେ ନାହିଁ। ଏସବୁ କାର୍ଯ୍ୟ ବିଭାଗର ବୋଲି ଶ୍ରୀ ରାଉତ କହିଛନ୍ତି। ସୂଚନା ଯୋଗ୍ୟ, ଏହି ହାଇଡ୍ରୋଫୋନିକ ମେସିନ ରାଜ୍ୟର ଏକମାତ୍ର ସରକାରୀ ମେସିନ। ଘରୋଇ ଭାବେ ଜଗତସିଂହପୁର ଏବଂ ଯାଜପୁରରେ ଏହିପରି ଦୁଇଟି ମେସିନ ରହିଛି।

ସମ୍ବନ୍ଧିତ ଖବର