ମୁଁ ମିଛ କହିବା ଶିଖିନି: ପ୍ରଭାତ ବିଶ୍ୱାଳ

କଟକ: ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପେଟରେ ପୂଜ ହୋଇଯାଇଛି। ଫଳରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବାପେକ୍ଷା ଅବନତି ହେବାରେ ଲାଗିଛି। ଏଥିପାଇଁ ଆଜି ତାଙ୍କର ସିଟି ସ୍କାନ୍‌ କରାଯାଇଛି। ପେଟ ଭିତରେ ରକ୍ତ ଜମାଟ ବାନ୍ଧିଛି ନା ପୂଜ ହୋଇଛି ତାହାକୁ ନେଇ ମଧ୍ୟ ଡାକ୍ତରଙ୍କ ମଧ୍ୟରେ ଦ୍ୱିମତ ରହୁଛି। ତେଣୁ ସିଟି ସ୍କାନ୍‌ ରିପୋର୍ଟ ଆସିଲା ପରେ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି। ତେବେ ଆଜି ସିଟି ସ୍କାନ କରିବାକୁ ଆସୁଥିବାବେଳେ ବିଧାୟକ ଶ୍ରୀବିଶ୍ୱାଳ ପ୍ରଥମ ଥର ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ‘ମୁଁ ଜୀବନରେ କେବେ ମିଛ କହିବା ଶିଖିନି, ତେଣୁ ସତ୍ୟର ଜୟ ହେବ’ ବୋଲି ସେ କହିଥିଲେ। ଶ୍ରୀ ବିଶ୍ୱାଳଙ୍କ ଭାଇ ଆରତ ରଂଜନ ବିଶ୍ୱାଳଙ୍କ କହିବାନୁଯାୟୀ, ମେରୁଦଣ୍ଡ ଜନିତ ସମସ୍ୟା ପୂର୍ବାପେକ୍ଷା ବଢିଯାଇଛି। ବିଧାୟକ ମାନସିକ ଭାବେ ଦୁର୍ବଳ ହୋଇପଡ଼ିଛନ୍ତି ଓ ଭାଙ୍ଗି ଯାଇଛନ୍ତି। ପ୍ରକାଶ ଯେ, ସିସୋର୍‌ ଚିଟ୍‌ଫଣ୍ଡ ଲିଙ୍କ୍‌ରେ ୨୦୧୭ ସେପ୍ଟେମ୍ବର ୧୮ ତାରିଖରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ତେବେ ଅସୁସ୍ଥତା କାରଣରୁ ୨୩ ତାରିଖରେ ତାଙ୍କୁ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଓ ୨୫ରେ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ଆଇସିୟୁରେ ରହିବା ପରେ ବିଧାୟକଙ୍କୁ ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ରକୁ ପଠାଇ ଦିଆଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ତାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ଜାମିନ୍‌ ମିଳିଥିଲା।

ସମ୍ବନ୍ଧିତ ଖବର