ଘୋଷଣା ସର୍ବସ୍ବ ଉଚ୍ଚଶିକ୍ଷା ବିଭାଗ

ଘୋଷଣା କରି ଭୁଲି ଯାଉଛନ୍ତି ମନ୍ତ୍ରୀ, କ୍ୟାମ୍ପସ୍‌ରେ ଆଗେଇ ପାରୁନି ଆଇଏଏସ୍‌ କୋଚିଂ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗରେ ସଂସ୍କାର ଆସିବ। ବିଶ୍ବବିଦ୍ୟାଳୟରେ ଆଇଏଏସ୍‌, ଆଇପିଏସ୍‌ ପ୍ରବେଶିକା ପରୀକ୍ଷା ପାଇଁ ତାଲିମ ଦିଆଯିବ। କ୍ୟାମ୍ପସରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲିବ। ପ୍ରଫେସର, ଅଧ୍ୟାପକ, କର୍ମଚାରୀ ପଦ ପୂରଣ କରାଯିବ। ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ବଢ଼ାଯିବ। ଗତ ତିନି ବର୍ଷ ହେଲା ଏଭଳି ଘୋଷଣା ଓ ପ୍ରତିଶ୍ରୁତି ଦେଇ ଚାଲିଛି ଉଚ୍ଚଶିକ୍ଷା ବିଭାଗ। ବିଭାଗୀୟ ମନ୍ତ୍ରୀ ଓ ସଚିବ ବିଭିନ୍ନ ସଭା ସମିତିରେ ଏଭଳି ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଉନି। ସବୁ କିଛି କେବଳ ଘୋଷଣାରେ ସୀମିତ ରହିଛି। କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସତେଯେମିତି କାହାର ଆନ୍ତରିକତା ନାହିଁ। ଯେଉଁଥି ପାଇଁ ଦିନକୁ ଦିନ ବିକାଶ ହେବା ପରିବର୍ତେ ରସାତଳଗାମୀ ହେଉଛି ଓଡ଼ିଶାର ଉଚ୍ଚଶିକ୍ଷା। ବିଶ୍ବବିଦ୍ୟାଳୟ ଓ ଯୁକ୍ତ୩ କଲେଜଗୁଡ଼ିକରେ ଖାଲିଥିବା ଅଧ୍ୟାପକ ପଦ ପୂରଣ ପାଇଁ ଗତ ୪ ବର୍ଷ ହେଲା ଉଦ୍ୟମ ଚାଲିଛି। ଯେତେବେଳେ ବି କୁଳାଧିପତି ତଥା ରାଜ୍ୟପାଳ କୁଳପତିମାନଙ୍କ ସମ୍ମିଳନୀ କରିଛନ୍ତି, ସେଠାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଖୁବ୍‌ଶୀଘ୍ର ପଦ ପୂରଣ ହେବ। ହେଲେ ବୈଠକ ପରେ ସବୁ କିଛି ପାସୋରି ଯାଉଛନ୍ତି ମନ୍ତ୍ରୀ ଓ ସଚିବ। କେହି ବି ଗୁରୁତ୍ବ ହେଉନାହାନ୍ତି। ଯେଉଁଥିପାଇଁ ଏବେ ବି ସବୁ ବିଶ୍ବବିଦ୍ୟାଳୟରେ ୩୦ରୁ ୪୦ ପ୍ରତିଶତ ଅଧ୍ୟାପକ ଓ କର୍ମଚାରୀ ପଦ ଖାଲି ପଡ଼ିଛି।

ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ପାଇଁ ଦୁଇ ବର୍ଷ ହେଲା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏକାଧିକ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ବି କାର୍ଯ୍ୟକାରୀ ହୋଇପାରିନି। ପ୍ରଥମେ କ୍ୟାମ୍ପସ ଓ ତା’ପରେ କ୍ଲାସ ରୁମ୍‌ ଭିତରକୁ ମୋବାଇଲ୍‌ ନେବା ଉପରେ କଟକଣା କରିବାକୁ ମନ୍ତ୍ରୀ ଶ୍ରୀ ଦାସ ବାରମ୍ବାର ଘୋଷଣା କରିଥିଲେ। ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନି। ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ଆଇଏଏସ୍‌ କୋଚିଂ ସେଣ୍ଟର ଖୋଲିବାକୁ ୩ ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା। ହେଲେ ଗୋଟିଏ ଦୁଇଟି ବିଶ୍ବବିଦ୍ୟାଳୟକୁ ଛାଡ଼ି ଦେଲେ ଆଉ କୌଣସି ବିଶ୍ବବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ଖୋଲିପାରିନି। ଘୋଷଣାରେ ରହିଯାଇଛି କୋଚିଂ ‌ସେଣ୍ଟର।

ସମ୍ବନ୍ଧିତ ଖବର