ବରିଷ୍ଠ ଆଇଏଏସ୍‌ ଅଫିସର ଡି ଏନ୍‌ ଗୁପ୍ତା ଇସ୍ତଫା ଦେଲେ

ଭୁବନେଶ୍ୱର : ୧୯୮୯ ବ୍ୟାଚ୍‌ ଓଡ଼ିଶା କ୍ୟାଡ଼ର ତଥା ପ୍ରମୁଖ ଶାସନ ସଚିବ ପାହ୍ୟାର ବରିଷ୍ଠ ଅଧିକାରୀ ଦେବେନ୍ଦ୍ର ନାଥ ଗୁପ୍ତା ଭାରତୀୟ ପ୍ରଶାସନିକ ସେବା ଚାକିରିରୁ ଅବ୍ୟାହତି ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଶ୍ରୀ ଗୁପ୍ତା ଇତିମଧ୍ୟରେ ତାଙ୍କର ଇସ୍ତଫାପତ୍ର ରାଜ୍ୟ ସରକାରଙ୍କୁ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ସଂପ୍ରତି ସେ ସାଧାରଣ ପ୍ରଶାସନ ବିଭାଗରେ ଓଏସ୍‌ଡି ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ମୋହର ମାରିବା ପରେ ଏହି ଦରଖାସ୍ତ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ଶିକ୍ଷାଦାନ କାର୍ଯ୍ୟରେ ଅଧିକ ସମୟ ଦେବା ଲାଗି ଶ୍ରୀ ଗୁପ୍ତା ଇଚ୍ଛାଧୀନ ଅବସର ନେବା ଲାଗି ଇଚ୍ଛା ପ୍ରକଟ କରିଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଶ୍ରୀ ଗୁପ୍ତାଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦେଇଥିଲେ। ମାତ୍ର ବରଗଡ ଉପନିର୍ବାଚନ ପୂର୍ବରୁ ହଠାତ୍‌ ଭାରତର ନିର୍ବାଚନ କମିସନ ଶ୍ରୀ ଗୁପ୍ତାଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି ସରକାରଙ୍କୁ ଜଣାଇଥିଲେ। କେବଳ ସେତିକି ନୁହେଁ, ତୁରନ୍ତ ସରକାରଙ୍କ ସୁପାରିସ ଆଧାରରେ ଭାରତର ନିର୍ବାଚନ କମିସନ ବରିଷ୍ଠ ଆଇଏଏସ୍‌ ଅଫିସର ସୁରେନ୍ଦ୍ର କୁମାରଙ୍କୁ ସେଠାରେ ନିଯୁକ୍ତି ଦେଇ ଶ୍ରୀ ଗୁପ୍ତାଙ୍କୁ ଦାୟିତ୍ୱମୁକ୍ତ କରିଥିଲେ। ମାତ୍ର ଏହାପରେ ତାଙ୍କୁ ଆଉ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇନଥିଲା। ବରଂ ସରକାର ତାଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଓଏସ୍‌ଡି ଭାବେ ନିଯୁକ୍ତି ଦେଇଥିଲେ। ଖବର ଅନୁସାରେ, ଏହି ପଦବିରେ ନିଯୁକ୍ତି ପରେ ନା ତାଙ୍କୁ ପ୍ରକୋଷ୍ଠ ଦିଆଯାଇଛି ନା ଅନ୍ୟ କିଛି ସୁବିଧା ସୁଯୋଗ। ଏ ଭିତରେ ଶ୍ରୀ ଗୁପ୍ତା ଇସ୍ତଫା ଦେଇଛନ୍ତି। ସଚିବାଳୟର କ୍ଷମତା କରିଡରରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର