ପ୍ରଶାନ୍ତଙ୍କୁ ପଦୋନ୍ନତି ନେଇ ଭିନ୍ନ ଚର୍ଚ୍ଚା

ଭୁବନେଶ୍ୱର : ବହୁଚର୍ଚ୍ଚିତ ୧୯୮୪ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଇଡ୍‌କଲ୍‌ ସିଏମ୍‌ଡି ପ୍ରଶାନ୍ତ ନାୟକଙ୍କୁ ଗତକାଲି ରାଜ୍ୟ ସରକାର କମିସନର ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ୨୦୦୦ ମସିହା ନଭେମ୍ବର ମାସରୁ ଅର୍ଥାତ୍‌ ପିଛିଲା ତାରିଖରୁ ତାଙ୍କୁ ପଦୋନ୍ନତି ଜନିତ ସୁବିଧା ମିଳିବ ବୋଲି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ସୂଚାଉଛି। ଯେହେତୁ ସେ ଆସନ୍ତା ୩୦ ତାରିଖରେ ଅବସର ନେବେ, ଏଣୁ ଅବସର ସୁବିଧା ଦେବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ଗୋଟିଏ ପକ୍ଷ କହୁଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶାସନିକ ମହଲରେ କିନ୍ତୁ ଭିନ୍ନ ଚର୍ଚ୍ଚା ଜୋର ଧରିଲାଣି। କୋର୍ଟ ଆଦେଶ ବଳରେ ତାଙ୍କୁ ପଦୋନ୍ନତି ଦିଆଯାଉଥିବା କୁହାଯାଇଥିଲେ ହେଁ, ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ଥିବା ଅନେକ ସନ୍ଦେହ କରୁଛନ୍ତି। ଏପରିକି ତାଙ୍କୁ ଅବସରପରେ ପୁନଃ ଥଇଥାନ ପାଇଁ ମସୁଧା ଚାଲିଥିବା ଚର୍ଚ୍ଚା ଉଠିଲାଣି। ଏଠାରେ ପ୍ରକାଶଥାଉକି, ବିବଦମାନ ଏହି ଆଇଏଏସ୍‌ ଅଫିସରଙ୍କ ବିରୋଧରେ ବଳାତ୍କାର ଉଦ୍ୟମ ଭଳି ସଙ୍ଗିନ ମାମଲା ରହିଛି। ଏହି ମାମଲାରୁ ସେ ଏଯାଏ ମୁକ୍ତ ହୋଇନାହାନ୍ତି। ଏପରିସ୍ଥଳେ ସରକାର ତାଙ୍କ ଅବସର ବେଳକୁ ହଠାତ୍‌ କାହିଁକି ଅନୁକମ୍ପା ଦେଖାଇଲେ, ଏବଂ ଯଦି କୋର୍ଟ କହିଥିଲା, ଏଯାଏ କାହିଁକି ପଦକ୍ଷେପ ନିଆଯାଇନଥିଲା, ତାହା ବୁଝାପଡୁନାହିଁ।

ସମ୍ବନ୍ଧିତ ଖବର