ଆଇଏଏସ୍‌ ପ୍ରେମାନନ୍ଦ ଖୁଣ୍ଟିଆଙ୍କୁ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଇଏଏସ୍‌ ପ୍ରେମାନନ୍ଦ ଖୁଣ୍ଟିଆଙ୍କୁ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଶ୍ରୀ ଖୁଣ୍ଟିଆ ୨୦୨୦ ମେ’ ମାସ ୩୦ ତାରିଖ ପର୍ଯ୍ୟନ୍ତ ଜନଗଣନା ନର୍ଦ୍ଦେଶକ ପଦରେ ରହିବେ। ପୂର୍ବରୁ ପ୍ରେମାନନ୍ଦଙ୍କୁ ଏହି ନିଯୁକ୍ତି ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ।

ସୂଚନାଯୋଗ୍ୟ, ୨୦୨୧ ଜନଗଣନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏ ନେଇ ରାଜ୍ୟ ସରକାର ଜିଲ୍ଲା ଓ ପୌରାଞ୍ଚଳରେ ଜନଗଣନା ଅଧିକାରୀ ନିଯୁକ୍ତ କରିଛନ୍ତି। ନିକଟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ହୋଇଥିବା ବିଜ୍ଞପ୍ତି ଅନୁସାରେ ଜିଲ୍ଲା ସ୍ତରରେ ଜିଲ୍ଲାପାଳମାନେ ମୁଖ୍ୟ ଜନଗଣନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ସେହିପରି ପୌରାଞ୍ଚଳ ଓ ମହାନଗର ଅଞ୍ଚଳରେ ସମ୍ପୃକ୍ତ କମିସନର ମୁଖ୍ୟ ଜନଗଣନା ଅଧିକାରୀ ଭାବେ କାର୍ଯ୍ୟ କରିବେ।

ଜିଲ୍ଲା ସ୍ତରରେ ଜନଗଣନା କାର୍ଯ୍ୟର ତଦାରଖ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌)ଙ୍କୁ ଜିଲ୍ଲା ଜନଗଣନା ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଡେପୁଟି କଲେକ୍ଟରମାନେ ଜିଲ୍ଲା ଉପ-ଜନଗଣନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଯୋଜନା ପରିସଂଖ୍ୟାନ ବିଭାଗ ଉପନିର୍ଦେଶକମାନେ ଅତିରିକ୍ତ ଜନଗଣନା ଅଧିକାରୀ ଭାବେ କାର୍ଯ୍ୟ କରିବେ। ଉପଜିଲ୍ଲାପାଳମାନେ ସବ୍‌-ଡିଭିଜନାଲ ଜନଗଣନା ଅଧିକାରୀ ଭାବେ ସେମାନଙ୍କ ପରିସୀମା ଭିତରେ କାର୍ଯ୍ୟକରିବେ। ସହରାଞ୍ଚଳ ବ୍ୟତୀତ ଗୋଟିଏ ତହସିଲ ଅଞ୍ଚଳରେ ଜନଗଣନା ଅଧିକାରୀ ଭାବେ ସମ୍ପୃକ୍ତ ତହସିଲଦାର ଦାୟିତ୍ୱ ତୁଲାଇବେ।

ସମ୍ବନ୍ଧିତ ଖବର