ଆଇସିଏସ୍‌ଇ ଓ ଆଇଏସ୍‌ସି ପରୀକ୍ଷାଫଳ ପ୍ରକାଶ : କମିଲା ଓଡ଼ିଶାର ପାସ୍‌ହାର, ଦଶମରେ ୯୭.୭୩%, ଦ୍ୱାଦଶରେ ୯୨.୨୭%

ଦେଶରେ ଦଶମରେ ୯୮.୫୫%, ଦ୍ୱାଦଶରେ ୯୬.୩୦%, ମୁମ୍ବାଇର ସ୍ୱୟଂ ଦାଶ ଦଶମରେ ଟପର୍‌

ଭୁବନେଶ୍ୱର : କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ଏକ୍ଜାମିନେସନ୍‌(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଦଶମ(ଆଇସିଏସ୍‌ଇ) ଓ ଦ୍ୱାଦଶ (ଆଇଏସ୍‌ସି) ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଅପରାହ୍ଣ ୩ଟାରେ ଫଳ ପ୍ରକାଶ କରାଯିବା ପରେ ଛାତ୍ରଛାତ୍ରୀ ‘www.cisce.org’ ଓ ‘www.results.cisce.org’ ଓ୍ଵବସାଇଟ୍‌ ମାଧ୍ୟମରେ ଫଳ ଜାଣିପାରିଥିଲେ। ଇ-ମେଲ୍‌, ମୋବାଇଲ୍‌ ମାଧ୍ୟମରେ ବି ଫଳ ଉପଲବ୍ଧ ହୋଇଥିଲା। ଗତବର୍ଷ ତୁଳନାରେ ଏଥରକ ଓଡ଼ିଶାର ପାସ୍‌ହାର ସାମାନ୍ୟ ହ୍ରାସ ପାଇଛି। ୨୦୧୭ରେ ଦଶମ ଶ୍ରେଣୀରେ ପାସ୍‌ହାର ୯୭.୮୯% ରହିଥିବା ବେଳେ ଏଥର ୯୭.୭୩% ରହିଛି। ଦ୍ୱାଦଶ ଶ୍ରେଣୀରେ ବି ପାସ୍‌ହାର ୯୨.୮୭%ରୁ ହ୍ରାସ ପାଇ ଚଳିତବର୍ଷ ୯୨.୨୯%ରେ ପହଞ୍ଚିଛି। ଦଶମ ଶ୍ରେଣୀରେ ଛାତ୍ରମାନେ ବାଜି ମାରିଥିବା ବେଳେ ଦ୍ୱାଦଶରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ।

ଓଡ଼ିଶାର ୯୧ ବିଦ୍ୟାଳୟର ୭,୩୨୭ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୭.୭୩% ପାସ୍‌ କରିଛନ୍ତି। ୩,୮୯୪ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୩,୮୦୭ ଜଣ ପାସ୍‌ କରିଛନ୍ତି। ସେହିପରି ପରୀକ୍ଷା ଦେଇଥିବା ୩,୪୩୩ ଛାତ୍ରୀଙ୍କ ମଧ୍ୟରୁ ୩,୩୫୪ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଛାତ୍ରଙ୍କ ପାସ୍‌ହାର ୯୭.୭୭% ରହିଥିବା ବେଳେ ଛାତ୍ରୀଙ୍କ ପାସ୍‌ହାର ୯୭.୭୦% ରହିଛି। ଅନୁସୂଚିତ ଜାତି ବର୍ଗର ୪୨୬ ଜଣ ପରୀକ୍ଷା ଦେଇଥିବା ବେଳେ ୯୫.୫୪% ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଅନୁସୂଚିତ ଜନଜାତି ବର୍ଗରେ ପରୀକ୍ଷା ଦେଇଥିବା ୬୮୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୫.୧୮% ପାସ୍‌ କରିଛନ୍ତି। ଓବିସି ବର୍ଗର ୯୪୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୯.୦୪% ପାସ୍‌ କରିଛନ୍ତି। ଏଥରକ ଆଇସିଏସ୍‌ଇର ୬୧ଟି ଲିଖିତ ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୨୨ଟି ଭାରତୀୟ ଭାଷା ଏବଂ ୧୦ଟି ବିଦେଶୀ ଭାଷା ରହିଥିଲା।

ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀରେ ୨୫ ବିଦ୍ୟାଳୟର ୧,୫୦୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୨.୨୯% ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ୭୫୪ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ସେଥିରୁ ୬୮୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୯୧.୧୧% ରହିଛି। ୭୫୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୦୨ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୩.୪୮% ରହିଛି। ଅନୁସୂଚିତ ଜାତି ବର୍ଗର ୮୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୧.୯୫% କୃତକାର୍ଯ୍ୟ ହୋଇଛନ୍ତି। ଅନୁସୂଚିତ ଜନଜାତି ବର୍ଗର ୨୯୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୩.୫୬% ପାସ୍‌ କରିଛନ୍ତି। ଓବିସି ବର୍ଗର ୧୨୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୪.୪୪% ଜଣ ଉତ୍ତୀର୍ଣ୍ଣ ହୋଇଥିବା ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ୪୮ଟି ବିଷୟରେ ଛାତ୍ରଛତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୧୪ଟି ଭାରତୀୟ ଭାଷାର ବିଷୟ ଥିବା ବେଳେ ୫ଟି ବିଦେଶୀ ଭାଷାର ବିଷୟ ଥିଲ। ଛାତ୍ରଛାତ୍ରୀ ‘www.cisce.org’ ମାଧ୍ୟମରେ ପୁନଃଯାଞ୍ଚ ଲାଗି ମେ’ ୨୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଦେଶ ଓ ଦେଶ ବାହାରେ ୨,୧୬୧ ବିଦ୍ୟାଳୟର ୧,୮୩,୩୮୭ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିଲେ। ପାସ୍‌ହାର ୯୮.୫୫% ରହିଛି। ଦଶମରେ ଏକ ଲକ୍ଷ ୩୬୯ ଜଣ ଛାତ୍ରଙ୍କ ମଧ୍ୟରୁ ୯୮,୫୧୭ ଜଣ ପାସ୍‌ କରିଛନ୍ତି। ପରୀକ୍ଷା ଦେଇଥିବା ୮୩,୦୧୮ ଛାତ୍ରୀଙ୍କ ମଧ୍ୟରୁ ୮୨,୧୪୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀରେ ୧,୦୩୪ଟି ବିଦ୍ୟାଳୟର ୮୦,୮୮୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୬.୩୦% ପାସ୍‌ କରିଛନ୍ତି। ପରୀକ୍ଷା ଦେଇଥିବା ୪୩,୦୫୨ ଜଣ ଛାତ୍ରଙ୍କ ମଧ୍ୟରୁ ୪୦,୮୮୩ ଜଣ ପାସ୍‌ କରିଛନ୍ତି। ୩୭,୮୨୮ ଜଣ ଛାତ୍ରୀଙ୍କ ମଧ୍ୟରୁ ୩୬,୯୩୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଉଭୟ ଶ୍ରେଣୀରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଉଭୟ ଶ୍ରେଣୀରେ ଦକ୍ଷିଣାଞ୍ଚଳ ଜୋନ୍‌ ଭଲ ପ୍ରଦର୍ଶନ କରିଛି। ଦଶମରେ ଏଠାରେ ପାସ୍‌ହାର ୯୯.୬୯% ହୋଇଥିବା ବେଳେ ଦ୍ୱାଦଶ ଶ୍ରେଣୀରେ ୯୮.୩୮% ରହିଛି। ଦେଶ ବାହାରେ ଦଶମ ଶ୍ରେଣୀରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ଦ୍ୱାଦଶ ଶ୍ରେଣୀରେ ୯୯.୩୬% ହୋଇଛି। ମୁମ୍ବାଇର ଛାତ୍ର ସ୍ୱୟଂ ଦାଶ ୯୯.୪% ମାର୍କ ରଖି ଦଶମ ଶ୍ରେଣୀରେ ସାରା ଦେଶରେ ଟପର୍‌ ହୋଇଛନ୍ତି। ଦ୍ୱାଦଶ ଶ୍ରେଣୀରେ ୭ ଜଣ ପରୀକ୍ଷାର୍ଥୀ ୯୯.୫% ମାର୍କ ରଖି ଟପର୍‌ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର