ମାଲାକାନଗିରି: ସ୍ବାଭିମାନ ପାଇଁ ଜୀବନ୍ତ ପ୍ରେରଣାର ସ୍ରୋତ ଶୁକ୍ରି କବାସୀ। ବୟସ ପ୍ରାୟ ୨୫ ବର୍ଷ। କୋୟା ସଂପ୍ରଦାୟର ଏହି ଆଦିବାସୀ ଯୁବତୀ ଏବେ ପଛୁଆ ଅଂଚଳର ଜଣେ ଭିନ୍ନ ମଣିଷ ଭାବେ ପରିଚୟ ପାଇଛନ୍ତି। ଶୁକ୍ରି କବାସୀ ହେଉଛନ୍ତି ମାଲକାନଗିରି ବ୍ଲକ ତମସା ଗାଁର ଅଙ୍ଗନବାଡି ଦିଦି। ସ୍ବାଭିମାନ ଅଂଚଳରେ ତାଙ୍କର କାମ ପାଇଁ କୁନି କୁନି ପିଲାଙ୍କ ପାଇଁ ପାଲଟିଛନ୍ତି ଆକର୍ଷଣର କେନ୍ଦ୍ର , ଗାଁ ଲୋକଙ୍କ ପାଇଁ ଗର୍ବ ଆଉ ସାରା ଅଂଚଳ ପାଇଁ ପ୍ରେରଣାର ସ୍ରୋତ। ତାଙ୍କର ସ୍ନେହଶ୍ରଦ୍ଧା ଓ ଭଲପାଇବାରେ ପଛୁଆ ଅଂଚଳରେ ପାଠପଢିବାକୁ ଧାଇଁ ଆସୁଛନ୍ତି ଅନେକ କୁନି କୁନି ପିଲା।
୨୦୧୧ ମସିହାରେ ମାଟ୍ରିକ ପରୀକ୍ଷା ଦେଇଥିଲେ ଶୁକ୍ରି। ତେବେ ଗୋଟିଏ ବିଷୟରେ ଫେଲ ହୋଇ ଯିବା ପରେ ସେ ପୁଣି ଥରେ ପରୀକ୍ଷା ଦେବାକୁ ପ୍ରସ୍ତୁତି ଚଳାଇଥିଲେ। ଏତିକି ବେଳେ ମାଡି ଆସିଲା ସମସ୍ୟା। ବାପା ତାଙ୍କର ରୋଗରେ ପଡି ଶଯ୍ୟାଶାୟୀ ହୋଇଗଲେ।
ଘରର ମୁରବୀ ସାହାଭରସାର କେନ୍ଦ୍ର ଶଯ୍ୟାଶାୟୀ ହେବା ଦ୍ୱାରା ପୂରା ପରିବାରର ବୋଝ ଆସି ପଡିଥିଲା ଶୁକ୍ରିଙ୍କ ଉପରେ। ଗାଁରେ ଅଙ୍ଗନବାଡି କର୍ମୀ ପଦ ଖାଲିଥିବାରୁ ୨୦୧୨ରେ ଏଥିପାଇଁ ଆବେଦନ କରି ନିଯୁକ୍ତି ପାଇଗଲେ। ତା ପରଠାରୁ ଆଉ ପଛକୁ ଚାହିଁ ନାହାନ୍ତି ଶୁକ୍ରୀ। ଘରେ ରୋଗୀଣା ବାପା ମାଆଙ୍କୁ ରନ୍ଧାବଢା କରି ଖାଇବାକୁ ଦେଇ ପ୍ରତିଦିନ ଆସିଥାନ୍ତି ଅଙ୍ଗନବାଡି କେନ୍ଦ୍ରକୁ। ନିଯୁକ୍ତି ପାଇବାର ମାତ୍ର ୭ ମାସ ପରେ ଆରପାରିକୁ ଚାଲିଯାଇଥିଲେ ଶୁକ୍ରିଙ୍କ ବାପା। ଏବେ ବୃଦ୍ଧା ମାଆଙ୍କ ଯତ୍ନ ନେବାର ଦାୟିତ୍ୱ ତାଙ୍କ ଉପରେ। ଶୁକ୍ରି ବର୍ତ୍ତମାନ ଛୋଟ ଛୋଟ ପିଲାଙ୍କୁ ହସି ଖେଳାଇ ପାଠ ପଢାଉଛନ୍ତି। ଗାଁର ଗର୍ଭବତୀ ମହିଳାମାନଙ୍କର ଯତ୍ନ ମଧ୍ୟ ନେଉଛନ୍ତି। ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଉଛନ୍ତି। ଶୁକ୍ରିଙ୍କର ଏଭଳି ନିଷ୍ଠାପର ଉଦ୍ୟମ ଓ ସେବା ଯତ୍ନ ମନୋଭାବ ଦେଖି ଜିଲ୍ଲା ପଶାସନ ପକ୍ଷରୁ ତମସା ଅଙ୍ଗନବାଡି କେନ୍ଦ୍ରକୁ ଆଦର୍ଶ କେନ୍ଦ୍ର ଭାବେ ଘୋଷଣା କରିଛନ୍ତି। ଯାହା ସାରା ଅଂଚଳରେ ଖୁସି ଆଣିଦେଇଛି।
/sambad/media/post_attachments/wp-content/uploads/2019/11/malkangiri-300x168.png)
ଅଙ୍ଗନବାଡି କେନ୍ଦ୍ରର ଘର ଗୁଡିକ ଅତି ଛୋଟ ଥିବାରୁ ପିଲାମାନେ ବସି ପାଠପଢିବା ଓ ଖେଳିବାରେ ସମସ୍ୟା ଦେଖା ଦେଉଥିଲା। ଶୁକ୍ରିଙ୍କ ଅନୁରୋଧ କ୍ରମେ ପ୍ରଶାସନ ତରଫରୁ ଅନୁଦାନ ମିଳିବା ପରେ ଏବେ ନୂଆ ଘର ପାଇଁ କାମ ଆରମ୍ଭ ହୋଇଛି। ତେବେ ଯେଉଁଦିନ ଏହି କାମ ପାଇଁ ଶ୍ରମିକ ନମିଳନ୍ତି ସେଦିନ ଶୁକ୍ରି ଅଂଟାରେ ଓଢଣୀ ଭିଡି କାମରେ ଲାଗି ପଡନ୍ତି। ବାଲି ଚଲାଇବା ସହ ସିମେଂଟ ଓ ବାଲି ଗୋଳେଇ ଘର ର୍ନିମାଣ କାମରେ ମିନ୍ତ୍ରୀଙ୍କୁ ବଢାଇ ଦିଅନ୍ତି ସହାୟତାର ହାତ। ଗୋଟିଏ ଲକ୍ଷ୍ୟ କେମିତି ଅଂଚଳର ପିଲାମାନଙ୍କ ପଢିବା ପାଇଁ ଖେଳିବା ପାଇଁ ଭଲ ଘରଟିଏ ଯେତେ ଶୀଘ୍ର ତିଆରି ହୋଇପାରିବ। ନିପଟ ମଫସଲ ଗାଁର ଆଦିବାସୀ ଝିଅ ହୋଇଥିଲେ ବି ଶୁକ୍ରି ନିଜ କର୍ତ୍ତବ୍ୟରୁ କେବେ ପଛଘୁଂଚା ଦେଇନାହାନ୍ତି। ଶୁକ୍ରୀଙ୍କ ଏପରି କର୍ତବ୍ୟନିଷ୍ଠା ଦେଖିବା ପରେ ଅଂଚଳବାସୀ ବି ତାଙ୍କୁ ନେଇ ଗର୍ବ କରୁଛନ୍ତି ଆଉ ଅଂଚଳରେ ଆଦର୍ଶ ଅଙ୍ଗନବାଡି କେନ୍ଦ୍ରର ଆଦର୍ଶ ଦିଦି ଭାବେ ତାଙ୍କର ତିଆରି ହୋଇଛି ଭିନ୍ନ ପରିଚୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/malkangiri1.png)