ହଷ୍ଟେଲରେ ଛାତ୍ରୀଙ୍କୁ ଅଣଦେଖା

ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଉଥିଲେ ୪୫ ଛାତ୍ରୀ

କୁଳିଅଣା: ହଷ୍ଟେଲରେ ଅଣଦେଖା କରାଯାଉଛି। ଠିକ୍‌ଭାବେ ଖାଦ୍ୟ ଦିଆଯାଉନି କି ଚିକିତ୍ସା ବି କରାଯାଉନି। ଏପରି ଗୁରୁତର ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିବାକୁ ଯାଉଥିବା ୪୫ ଛାତ୍ରୀଙ୍କୁ ସ୍କୁଲ କର୍ତୃପକ୍ଷ ବାଟରୁ ଫେରାଇ ଆଣିଛନ୍ତି। ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଘଟଣା ଘଟିଛି କୁଳିଅଣା ବ୍ଲକ ଅନ୍ତର୍ଗତ ସରଗଛିଡ଼ା ପଞ୍ଚାୟତ ନାଗରାଶୋଳସ୍ଥିତ ପଞ୍ଚାୟତ ହାଇସ୍କୁଲରେ। ଅନ୍ତେବାସୀ ଛାତ୍ରୀମାନେ ଗତକାଲି ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଭେଟିବାକୁ ବାହରିଥିଲେ। ସେମାନଙ୍କ ଅଭିଯୋଗଥିଲା, ହଷ୍ଟେଲ ମାଟ୍ରନ ଅନ୍ତେବାସୀ ଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ରୁଟିନ ଅନୁସାରେ ଉପଯୁକ୍ତ ଖାଦ୍ୟ ଦେଉ ନାହାନ୍ତି। ଅସୁସ୍ଥ ହେଲେ ଉପଯୁକ୍ତ ଚିକିତ୍ସା କରାଉ ନାହାନ୍ତି। ଛାତ୍ରୀ ନିବାସରେ ପାଣି ଓ ବିଜୁଳି ସମସ୍ୟା ଉତ୍କଟ ହୋଇଛି। ଏନେଇ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ଧଳଙ୍କୁ ସେମାନେ ବାରମ୍ବାର ଅଭିଯୋଗ କରିଛନ୍ତି। ମାତ୍ର କିଛି ଫଳ ମିଳିନି। ଶେଷରେ ବାଧ୍ୟହୋଇ ୪୫ ଛାତ୍ରୀ ଏକଜୁଟ ହୋଇ ଗତକାଲି ସକାଳେ ଜିଲ୍ଲାପାଳଙ୍କୁ ଭେଟିବାକୁ ବାରିପଦା ବାହାରିଥିଲେ। ଚାଲି ଚାଲି ଯାଉଥିବା ବେଳେ ସରପଞ୍ଚ ମକରଧ୍ୱଜ ମୁର୍ମୁ ଓ ପ୍ରଧାନ ଶିକ୍ଷକ ଶ୍ରୀ ଧଳ ସେମାନଙ୍କୁ ଜମ୍ଭିରା ଡ୍ୟାମ ନିକଟରେ ଅଟକାଇ ବୁଝାସୁଝା କରିଥିଲେ। ବିଧାୟକ ଏନେଇ ତୁରନ୍ତ ପଦକ୍ଷେପ ନେବେ ବୋଲି ସରପଞ୍ଚ ଶ୍ରୀମୁର୍ମୁ କହିବା ସହ ସେମାନଙ୍କୁ ଗାଡ଼ିରେ ବସାଇ ହଷ୍ଟେଲକୁ ଫେରାଇ ଆଣିଥିଲେ। ଖବରପାଇ ବାରିପଦା ଉପଜିଲ୍ଲାପାଳ ମହମ୍ମଦ ଅବଦୁଲ ଅକତାର ଓ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ହଷ୍ଟେଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ହଷ୍ଟେଲରେ ୧୦୦ ଶଯ୍ୟା ରହିଛି, ଯେଉଁଠି ୧୦୨ ଜଣ ଛାତ୍ରୀ ରହୁଛନ୍ତି।

ସମ୍ବନ୍ଧିତ ଖବର