ସବୁ ଜେଲ୍‌ରେ ଖୋଲିବ ଇଗ୍ନୋ ଷ୍ଟଡି ସେଣ୍ଟର୍‌ : ୩୦୩ କଲେଜରେ ଖୋଲିବ ୬ ମାସିଆ ସାର୍ଟିଫିକେଟ୍‌ କୋର୍ସ

ଭୁବନେଶ୍ୱର : ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ) ପକ୍ଷରୁ ଓଡ଼ିଶାର ଜେଲ୍‌ଗୁଡ଼ିକରେ ଥିବା ଷ୍ଟଡି ସେଣ୍ଟର୍‌ ସଂଖ୍ୟାକୁ ବୃଦ୍ଧି କରାଯିବ। ଏବେ ରାଜ୍ୟର ୪ଟି ଜେଲ୍‌ରେ ଷ୍ଟଡି ସେଣ୍ଟର୍‌ ଚାଲିଛି। ୨୪ଟି ବିଭିନ୍ନ କାର୍ଯ୍ୟକ୍ରମରେ ୨୪୪ ଜଣ ଅନ୍ତେବାସୀ ଶିକ୍ଷା ଗ୍ରହଣ କରୁଛନ୍ତି। ଏହି ସଂଖ୍ୟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଜୋନ୍‌ ଅଧୀନରେ ଥିବା ସମସ୍ତ ସର୍କଲ ଜେଲ୍‌ ଓ ଜିଲ୍ଲା ଜେଲ୍‌ରେ ଷ୍ଟଡି ସେଣ୍ଟର୍‌ ଖୋଲିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏନେଇ କାରାଗାର ନିର୍ଦେଶାଳୟ ସହ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଛି। ଆସନ୍ତା ଏକ ମାସ ମଧ୍ୟରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଭୁବନେଶ୍ୱର ଜୋନ୍‌ ଅଧିକାରୀ ମନୋଜ କୁମାର ଦାସ କହିଛନ୍ତି।

ଉଚ୍ଚଶିକ୍ଷା ବିଭାଗ ସହଯୋଗରେ ରାଜ୍ୟର ୨୫୧ଟି ଅନୁଦାନପ୍ରାପ୍ତ ଓ ୫୨ଟି ସରକାରୀ କଲେଜରେ ୬ ମାସିଆ ସାର୍ଟିଫିକେଟ୍‌ କାର୍ଯ୍ୟକ୍ରମ ଖୋଲାଯିବ। ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ସାର୍ଟିଫିକେଟ୍‌ କୋର୍ସରେ ଶିକ୍ଷାଗ୍ରହଣ କରିପାରିବେ। ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶେଷ ବେଳକୁ ସେମାନେ ଏକାଧିକ ସାର୍ଟିଫିକେଟ୍‌ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇସାରିଥିବେ। ଏହାକୁ ଦୃଷ୍ଟିରେ ରଖି ଇଗ୍ନୋ ପକ୍ଷରୁ ୩୩ଟି ସାର୍ଟିଫିକେଟ୍‌ କୋର୍ସ ପ୍ରସ୍ତୁତ କରାଯାଇ ଉଚ୍ଚଶିକ୍ଷା ବିଭାଗକୁ ପଠାଯାଇଛି। ପ୍ରତି କଲେଜରେ ୫ଟି ଲେଖାଏ ପାଠ୍ୟକ୍ରମ ରହିବ। ଛାତ୍ରଛାତ୍ରୀ ସେମାନଙ୍କ ଇଚ୍ଛା ଅନୁଯାୟୀ ପାଠ୍ୟକ୍ରମ ଚୟନ କରିବା ସହ ସାର୍ଟିଫିକେଟ୍‌ କୋର୍ସରେ କୃତକାର୍ଯ୍ୟ ହୋଇପାରିବେ। ଏନେଇ ଗତ ମେ’ ମାସରେ ପ୍ରାରମ୍ଭିକ ବୈଠକ ଶେଷ ହୋଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

ଭୁବନେଶ୍ୱର ସ୍କିଲ୍‌ ଡେଭଲପ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ସହ ମିଶି ଇଗ୍ନୋ ପ୍ରମୁଖ କୋର୍ସ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଆଇଓସିଏଲ୍‌ର ସ୍କିଲ ଡେଭଲପମେଣ୍ଟ ଜେନେରାଲ ମ୍ୟାନେଜର ବିଭୂତି ପାଣିଗ୍ରାହୀ ମଧ୍ୟ ଏନେଇ ସହମତି ପ୍ରକାଶ କରିଛନ୍ତି। ସାର୍ଟିଫିକେଟ୍‌ ଇନ୍‌ ଇନ୍‌ଫରମେସନ୍‌ ଟେକ୍ନୋଲୋଜି(ସିଆଇଟି), ସାର୍ଟିଫିକେଟ୍‌ ଅଫ୍‌ କମ୍ପିଟେନ୍ସି ଇନ୍‌ ପାଓ୍ଵାର ଡିଷ୍ଟ୍ରିବ୍ୟୁସନ୍‌(ସିସିପିଡି) ଓ ସାର୍ଟିଫିକେଟ୍‌ ଇନ୍‌ କମ୍ପ୍ୟୁନିକେସନ୍‌ ଆଣ୍ଡ ଆଇଟି ସ୍କିଲ୍ସ (ସିସିଆଇଟିଏସ୍‌କେ)ରେ ତାଲିମ ବ୍ୟବସ୍ଥା କରାଯିବ। ଫଳରେ ଭବିଷ୍ୟତରେ ଛାତ୍ରଛାତ୍ରୀଙ୍କ ଲାଗି ଏହା ସହାୟକ ହେବ। ସେହିପରି ଏକ ପ୍ରସ୍ତାବ ପୂର୍ବତଟ ରେଲ୍‌େଓ୍ଵର ମହାନିର୍ଦେଶକଙ୍କୁ ପ୍ରଦାନ କରାଯାଇଛି। ଭାରତୀୟ ରେଳସେବାରେ କାର୍ଯ୍ୟରତ ଅଧିକାରୀଙ୍କ ପାଇଁ ବିଭିନ୍ନ ସାର୍ଟିଫିକେଟ୍‌ କୋର୍ସର୍ରେ ଶିକ୍ଷା ଦେବାକୁ ଆଲୋଚନା ଚାଲିଛି। ରାଜ୍ୟ ସରକାରଙ୍କ ବିଭାଗ ଓ ସ୍ୱେଚ୍ଛାସେବୀ ସଙ୍ଗଠନଙ୍କ ସହଯୋଗରେ ଇଗ୍ନୋ ୬ ମାସିଆ ସାର୍ଟିଫିକେଟ୍‌ କୋର୍ସ ଖୋଲିବା ଉପରେ ଗୁରୁତ୍ୱ ଦେଉଛି ବୋଲି ଶ୍ରୀ ଦାସ କହିଛନ୍ତି।

ଅନ୍ୟପକ୍ଷରେ ଛାତ୍ରଛାତ୍ରୀଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏକ କୁଇକ୍‌ କଣ୍ଟାକ୍ଟ ଲିଙ୍କ୍‌ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରକୁ ନ ଆସି ବି ଛାତ୍ରଛତ୍ରୀ ଅନ୍‌ଲାଇନ୍‌ ମାଧ୍ୟମରେ ଅଭିଯୋଗ କରିପାରିବେ। ଏଥିସହ ମାସିକିଆ ମନିଟରିଂ ରିପୋର୍ଟ ପ୍ରସ୍ତୁତ, ଆଡମିନିଷ୍ଟ୍ରେଟିଭ୍‌ ମ୍ୟାନେଜ୍‌ମେଣ୍ଟ, ଛାତ୍ରଛାତ୍ରୀଙ୍କ କନ୍‌ଫରମେସନ୍‌ ଲେଟର ପଠାଇବା କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ଗତ ଜାନୁଆରିରେ ଇଗ୍ନୋରେ ୯ଟି ନୂଆ କୋର୍ସ ଖୋଲିଛି। ଏଥିରେ ୪ଟି ଲେଖାଏ ସାର୍ଟିଫିକେଟ୍‌ ଓ ପିଜି ଡିପ୍ଲୋମା ପାଠ୍ୟକ୍ରମ ରହିଛି। ଏଥିସହ ଡିପ୍ଲୋମା ଇନ୍‌ ରିଟେଲ୍‌ ମ୍ୟାନେଜ୍‌ମେଣ୍ଟ ପାଠ୍ୟକ୍ରମରେ ମଧ୍ୟ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି।

ସମ୍ବନ୍ଧିତ ଖବର