ଆଇଆଇଟି ସମାବର୍ତ୍ତନ ଉତ୍ସବ ଆଜି: ଖୋଲିବ ଆଉ ୩ ବି.ଟେକ୍‌ ପାଠ୍ୟକ୍ରମ

ନନ୍ଦୁରୀ ଦିବାକର ପାଇବେ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ, ୩୩୨ ଜଣଙ୍କୁ ମିଳିବ ଡିଗ୍ରୀ, ୧୫ ଜଣଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର/ଜଟଣୀ : ୨୦୧୯-୨୦ ଶିକ୍ଷାବର୍ଷରୁ ଭୁବନେଶ୍ୱର ଆଇଆଇଟିରେ ଖୋଲିବ ଆଉ ୩ଟି ବି.ଟେକ୍‌ ପାଠ୍ୟକ୍ରମ। ଏନେଇ ଆଲୋଚନା ଶେଷ ହୋଇଛି। ଏବେ ୭ଟି ସ୍କୁଲରେ ୧୧୦୧ ଜଣ ଛାତ୍ରଛାତ୍ରୀ ବି.ଟେକ୍‌ ଶିକ୍ଷାଗ୍ରହଣ କରୁଛନ୍ତି। ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ସୁବିଧା କରାଯାଇଛି। ୪ଟି ସ୍କୁଲ ନିଜସ୍ୱ ବିିଲଡିଂରେ ଚାଲୁଥିବା ବେଳେ ଆଉ ୩ଟି ସ୍କୁଲର କୋଠା କାର୍ଯ୍ୟ ଆରମ୍ଭ ହୋଇଛି। ଏହାର କାର୍ଯ୍ୟ ଶେଷ ହେବା ପରେ ପରବର୍ତୀ ଶିକ୍ଷାବର୍ଷରୁ ଆଉ ୩ଟି ନୂତନ ପାଠ୍ୟକ୍ରମ ଖୋଲିବ ବୋଲି ଆଇଆଇଟି ନିର୍ଦେଶକ ପ୍ରଫେସର ଆର.ଭି. ରାଜାକୁମାର କହିଛନ୍ତି।

ସମାବର୍ତ୍ତନ ଉତ୍ସବ ପୂର୍ବରୁ ଆଜି ଅରୁଗୁଳସ୍ଥିତ କ୍ୟାମ୍ପସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ରାଜାକୁମାର କହିଲେ ଗତ ତିନି ବର୍ଷ ମଧ୍ୟରେ ଭୁବନେଶ୍ୱର ଆଇଆଇଟି ଅନ୍ୟ ଆଇଆଇଟିଗୁଡ଼ିକ ତୁଳନାରେ ବହୁତ ଆଗରେ ରହିଛି। ଭିତ୍ତିଭୂମି ସାଙ୍ଗକୁ ନିଯୁକ୍ତି କ୍ଷେତ୍ରରେ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି। ୮୫୦ କୋଟି ଟଙ୍କାରେ ଭିତ୍ତିଭୂମିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନିଆଯାଇଛି। ଏବେ ବି.ଟେକ୍‌ରେ ୧୧୦୧, ଏମ୍‌.ଟେକ୍‌ରେ ୨୬୬, ଏମ୍‌.ଏସ୍‌ସିରେ ୧୪୨ ଓ ପିଏଚ୍‌ଡିରେ ୨୫୬ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ସେମାନଙ୍କ ପାଇଁ ୮୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଓ ଛାତ୍ରୀଙ୍କ ପାଇଁ ୨୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ କାର୍ଯ୍ୟକ୍ଷମ ହୋଇଛି। ଏବେ ବି ୨୦୦ ଛାତ୍ରଛାତ୍ରୀ ନାଇଜର ହଷ୍ଟେଲରେ ରହୁଛନ୍ତି। ଆସନ୍ତା ୨ରୁ ୩ମାସ ମଧ୍ୟରେ ନୂତନ ହଷ୍ଟେଲ କାମ ଶେଷ ହେବା ପରେ ସେମାନଙ୍କୁ ସ୍ଥାନାନ୍ତର କରାଯିବ।

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ସମାବର୍ତନ ଉତ୍ସବ ଅବସରରେ ୩୩୨ ଜଣଙ୍କୁ ଡିଗ୍ରି ପ୍ରଦାନ କରାଯିବ। ଜଣଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣ ପଦକ ମିଳିବାକୁ ଥିବା ବେଳେ ଦୁଇ ଜଣଙ୍କୁ ନିର୍ଦେଶକ ସ୍ୱର୍ଣ୍ଣ ପଦକ ମିଳିବ। ୧୫ଜଣ ଛାତ୍ରଛାତ୍ରୀଙ୍କୁ ରୌପ୍ୟ ପଦକ ଦିଆଯିବ। ୧୦ ଜଣ ପିଏଚ୍‌ଡି ଡିଗ୍ରି ହାସଲ କରିବାକୁ ଥିବା ବେଳେ ୯୧ ଜଣ ଏମ୍‌.ଟେକ୍‌, ୬୯ ଜଣ ଏମ୍‌.ଏସ୍‌ସି, ୧୬୨ ଜଣ ବି.ଟେକ୍‌ ଡିଗ୍ରି ପାଇବେ।

ସ୍କୁଲ ଅଫ୍‌ ମେକାନିକାଲ ସାଇନ୍ସର ବି.ଟେକ୍‌ ଛାତ୍ର ନନ୍ଦୁରି ଦିବାକରଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ସେହିପରି ସ୍କୁଲ ଅଫ୍‌ ଇନ୍‌ଫ୍ରାଷ୍ଟକଚରର ଏମ୍‌.ଟେକ୍‌ ଛାତ୍ରୀ ଦେବଲିନା ମୁଖାର୍ଜୀ ଓ ସ୍କୁଲ ଅଫ୍‌ ବେସିକ୍‌ ସାଇନ୍ସର ଏମ୍‌.ଏସ୍‌ସି ଛାତ୍ର ସାୟନ୍‌ ରଏଙ୍କୁ ନିର୍ଦେଶକ ସ୍ୱର୍ଣ୍ଣ ପଦକ ମିଳିବ। ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା, ପ୍ରଫେସର ଭି ଆର୍‌ ପେଡ୍ଡିରେଡ୍ଡି, ପ୍ରଫେସର ପ୍ରଭାଷ ରଞ୍ଜନ ସାହୁ, କୁଳସଚିବ ଦେବରାଜ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର