ଭକ୍ତଙ୍କଠାରୁ ବେଆଇନ୍ ଅନ୍ନଦାନ ଭୋଗ ଆଟିକା ଆଦାୟ : ନିଯୋଗକୁ ଜବାବ ମାଗିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ :‌ ଶ୍ରୀମନ୍ଦିରରେ ଭକ୍ତଙ୍କଠାରୁ ବେଆଇନ୍ ଭାବେ ଅନ୍ନଦାନ ଭୋଗ ଆଟିକା ଆଦାୟ ନେଇ ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗର ଦୁଇ ନିଯୋଗ – ଭିତର ସେବାୟତ ନିଯୋଗ ଓ ପୂଜାପଣ୍ଡା ନିଯୋଗକୁ କାରଣଦର୍ଶାଅ ନୋଟିସ୍ ଜାରି କରିଛି। ୭ ଦିନ ଭିତରେ ଜବାବ ରଖିବାକୁ କୁହାଯାଇଛି। କେଉଁ ଅଧିକାର ବା ଆଦେଶ ବଳରେ ଭକ୍ତଙ୍କଠାରୁ ବର୍ଷ ବର୍ଷ ଧରି ଏହି ଅନ୍ନଦାନ ଭୋଗ ଆଟିକା ଆଦାୟ ହେଉଛି, ତାର ଜବାବ ରଖିବାକୁ କୁ‌ହାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଚିଠିକୁ ନେଇ ଏବେ ଦୁଇ ନିଯୋଗରେ ଭାଳେଣି ପଡ଼ିଛି। ଏହି ଚିଠି ସୁପ୍ରିମକୋର୍ଟଙ୍କ ଶ୍ରୀମନ୍ଦିର ସଂସ୍କାର ନେଇ ଥିବା ୧୨ଟି ଆଦେଶକୁ ପୁଣି ଥରେ ତାଜା କରି ଦେଇଛି।

ଶ୍ରୀମନ୍ଦିରରେ ଅନ୍ନଦାନ ଆଟିକା କାହିଁ କେଉଁ କାଳରୁ ଚାଲିଆସିଛି। ତଥାପି ଏହି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ୭୦ ଦଶକରେ ତତ୍କାଳୀନ ପ୍ରଶାସକ ପରମାନନ୍ଦ ତ୍ରିପାଠୀ ମିଳିତ ଅନ୍ନଦାନ ଭୋଗ କମିଟି ଗଠନ କରିଥିଲେ। ସେବେଠୁ ପ୍ରତିହାରୀ ନିଯୋଗ ଓ ସୁଆର ମହାସୁଆର ନିଯୋଗକୁ ଅନ୍ନଦାନ ଭୋଗ ଆଟିକା ଆଦାୟ ଅଧିକାର ଦିଆଯାଇଛି। ଅନ୍ନଦାନ ଭୋଗ ଆଟିକା ସୁଆର ମହାସୁଆର ନିଯୋଗ ଓ ପ୍ରତିହାରୀ ନିଯୋଗ ଚଳାଇ ଆସୁଛନ୍ତି। ସେଥିରୁ ଶ୍ରୀମନ୍ଦିର ପ୍ରଶାସନ ୫ ପ୍ରତିଶତ ଭାଗ ନେଉଥିଲା। କିନ୍ତୁ ପରବର୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ଏଥିରୁ ଓହରି ଯାଇଥିଲା। ଦୁଇ ନିଯୋଗ ଅନ୍ନଦାନ ଭୋଗ ଆଟିକାକୁ ନିଜେ ଚଳାଇ ଆସୁଥିଲେ। ୧୯୮ରେ ଶ୍ରୀମନ୍ଦିର ପ୍ରଶାସନ ଅମୃତମଣୋହୀ ଦାନ ଯୋଜନ ବା କୋଠଭୋଗ ଦାନ ଯୋଜନା ଆରମ୍ଭ କରିଥିଲା। ଏହି ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଜଣେ ଭକ୍ତ ୨୦ ଟଙ୍କା ଦେଉଥିଲେ। ଶ୍ରୀମନ୍ଦିର ପ୍ରଶାସନ ଏହାକୁ ବ୍ୟାଙ୍କରେ ଜମା କରୁଥିଲା ଓ ସୁଧ ଟଙ୍କା ମହାପ୍ରଭୁଙ୍କ କୋଠଭୋଗରେ ଲାଗୁଥିଲା। ୧୯୯୬ ଓ ୨୦୦୬ରେ ଏହି ଯୋଜନାର ରୂପରେଖରେ ପରିବର୍ତନ ଅଣାଗଲା। କିନ୍ତୁ ଶ୍ରୀମନ୍ଦିରର କିଛି ନିଯୋଗ ଏହାକୁ ବିରୋଧ କରିବାରୁ ୨୦୧୩ ନଭେମ୍ବର ୨୬ରେ ରାଜ୍ୟ ସରକାର ଏହାକୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। କିନ୍ତୁ କିଛି ବର୍ଷ ହେବ ଭିତର ସେବାୟତ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଅନ୍ନଦାନ ଭୋଗ ଆଟିକା ଭକ୍ତଙ୍କଠାରୁ ଆଦାୟ କରି ଆସୁଛନ୍ତି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଉ‌ଦ୍‌ବେଗ ପ୍ରକାଶ କରିଛି। ଗତ ଡିସେମ୍ବର ୩୧ରେ ଏ ନେଇ ଭିତର ସେବାୟତ ନିଯୋଗ ଓ ପୂଜାପଣ୍ଡା ନିଯୋଗକୁ ଚିଠି କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦେଶକ୍ରମେ ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳ ଏହି ଚିଠି କରିଛନ୍ତି।

ସମ୍ବନ୍ଧିତ ଖବର