ଚିଲିକା କୂଳରେ ବେଧଡ଼କ ଭାବେ ଚାଲିଛି ମଦ ରନ୍ଧା
ବ୍ରହ୍ମଗିରି : ଚିଲିକା କୂଳ ଜଙ୍ଗଲରେ ବେଧଡ଼କ ଦେଶୀ ମଦ ରନ୍ଧା ହେଉଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଖବର ନେବାରେ ଜଣାପଡ଼ିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅରଖକୁଦା ମେରାଇନ୍ ଥାନା ଇଲାକା ଚିଲିକା କୂଳ ଜଙ୍ଗଲରେ ବେଧଡ଼କ ଭାବେ ଦେଶୀ ମଦ ପ୍ରସ୍ତୁତ ହେଉଛି। ଚିଲିକାର ଆରପାରିରେ ସମୁଦ୍ର ଓ ଚିଲିକା ମଝିରେ ଥିବା ଜଙ୍ଗଲ ମଧ୍ୟରେ ଏହି ମଦ ପ୍ରସ୍ତୁତ ହେଉଛି। ୟୁରିଆ, ପୋଚ ସାଙ୍ଗକୁ ରାସାୟନିକ ପଦାର୍ଥ ପକାଯାଇ ଏହି ଦେଶୀ ମଦ ପ୍ରସ୍ତୁତ ହେଉଛି। ଏମିତିକି ଏହି ମଦ ରାନ୍ଧିବା ପାଇଁ କିଛି ଲୋକ ଏହାକୁ ନିଲାମ ଦେଉଛନ୍ତି। ଗତବର୍ଷ ମଦ ରନ୍ଧା ନିଲାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୮ ଜଣ ଗୁରୁତର ଆହତ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଚିଲିକା କୂଳରେ ମଦ ପ୍ରସ୍ତୁତ ହେବା ପରେ ଏହାକୁ ବ୍ୟାରେଲ୍ ଦ୍ୱାରା କୂଳକୁ ଅଣାଯାଇ ବିକ୍ରି କରାଯାଉଛି। ସେହିପରି ଚିଲିକା ପାଖରେ ଥିବା ଜନବସତି ନିକଟରେ ମଧ୍ୟ ମଦ ରନ୍ଧା ଚାଲିଛି। ଅବକାରୀ ବିଭାଗ କାଁ ଭାଁ ଚଢ଼ାଉ କରି କାମ ସାରି ଦେଉଛି। ଚିଲିକା କୂଳରେ ଚାଲିଥିବା ମଦ ରନ୍ଧା ଜୀବନ ନେବାର ଆଶଙ୍କା ସୃଷ୍ଟି କରିଛି। ପୂର୍ବରୁ ମଦ ବିରୋଧୀ ଆନ୍ଦୋଳନରେ ଏହି ଇଲାକାରେ ଥିବା ସରକାରୀ ଦେଶୀ ମଦ ଦୋକାନ ସହିତ ଅନ୍ୟ ମଦ ଦୋକାନ ନଷ୍ଟ ହୋଇଯାଇଥିଲା। କିନ୍ତୁ ବେଆଇନ ଭାବେ ଚାଲିଥିବା ଦେଶୀ ମଦ ରନ୍ଧା ଓ ବିକ୍ରିକୁ ଆଜି ପର୍ଯ୍ୟନ୍ତ ଅବକାରୀ ବିଭାଗ କିମ୍ବା ପୁଲିସ ବନ୍ଦ କରିବାରେ ସଫଳ ହୋଇପାରି ନାହିଁ। ଏହି ମଦ ଯୋଗୁଁ ଲୋକଙ୍କ ଜୀବନ ଯିବାର ଆଶଙ୍କା ଥିବା ସ୍ଥାନୀୟ ଲୋକେ କହିଛନ୍ତି।