ତେଲନଦୀ ଉପରେ ବେଆଇନ୍‌ ଡ୍ୟାମ୍‌ : ଛତିଶଗଡ଼ ନିର୍ମାଣକୁ ନେଇ ତନାଘନା, ଏବେ ସରକାରଙ୍କ ପଦକ୍ଷେପ ଉପରେ ନଜର

ଚନ୍ଦାହାଣ୍ଡି : ତେଲନଦୀ-ବରାହୀ ସଂଗମ ସ୍ଥଳରେ ଛତିଶଗଡ଼ର ଡ୍ୟାମ ନିର୍ମାଣ ପ୍ରସଙ୍ଗରେ ଏକ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। ପ୍ରକଳ୍ପକୁ ନେଇ କିଭଳି ବିବାଦ ସୃଷ୍ଟିହେବନି ଏବଂ କୋର୍ଟକୋଚରୀ ଝାମେଲା ଯୋଗୁ ବନ୍ଦ ହେବନାହିଁ, ସେଥିପାଇଁ ଯତ୍‌ପରନାସ୍ତି ଉଦ୍ୟମ କରାଯାଇଛି। ତେବେ, ‘ସମ୍ବାଦ’ରେ ଆଜି ରିପୋର୍ଟ ପ୍ରକାଶ ପରେ ଘଟଣା ଆଉ ଲୁଚି ରହିନାହିଁ। ପ୍ରଶାସନ ଘଟଣାସ୍ଥଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଶାସନ ଗସ୍ତ କରିଛି ସିନା ଏହି ପ୍ରକଳ୍ପ ଦ୍ୱାରା କେତେ ସୀମାନ୍ତ ଗାଁ ଗୁଡ଼ିକ ପ୍ରଭାବିତ ହେବ- ସେନେଇ ଆଦୌ ମୁହଁ ଖୋଲିନି। ଅନ୍ୟପକ୍ଷରେ, କଂଗ୍ରେସର ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ଗସ୍ତ କରି ସ୍ଥାନୀୟ ସାଂସଦ ଓ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି।

ଛତିଶଗଡ଼ ସରକାର ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ନିମନ୍ତେ ୧୮କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଡ୍ୟାମର ଲମ୍ବା ୪୫୦ ମିଟର ଓ ଉଭୟ ପାର୍ଶ୍ୱ ୭୫ ମିଟର ଲେଖାଏଁ ଓସାର ରହିଛି। ଉଚ୍ଚତା ୨.୨ ମିଟର ହେବ ବୋଲି ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥାର କର୍ମଚାରୀ କହୁଛନ୍ତି। କିନ୍ତୁ ଠିକା ନେଇଥିବା ସଂସ୍ଥାର ମାଲିକଙ୍କ କଥାରେ କୌଣସି ତାଳମେଳ ରହୁନାହିଁ। ନିର୍ମାଣ ସଂପର୍କିତ ଅଧିକାଂଶ ତଥ୍ୟକୁ ଗୋପନ ରଖିବାକୁ ଚେଷ୍ଟା କରୁଛନ୍ତି। ବିରୋଧର ଆଭାସ ମିଳିଯାଇଥିବାରୁ ଉଭୟ ଛତିଶଗଡ଼ ସରକାର ଏବଂ ଠିକା ସଂସ୍ଥା ତଥ୍ୟ ଲୁଚାଇବାକୁ ଭରପୂର ପ୍ରୟାସ କରୁଛନ୍ତି। ଯଦି ସଠିକ୍‌ ତଥ୍ୟ ଦିଆଯିବ ତାହାହେଲେ କଥା କୋର୍ଟରେ ପହଞ୍ଚିଗଲେ ବିବାଦୀୟ ହୋଇ ପ୍ରକଳ୍ପ ନିର୍ମାଣ ବନ୍ଦ ହେବାର ସମ୍ଭାବନା ରହିଛି। ତେଣୁ ଗୋପନୀୟ ଭାବେ ପ୍ରକଳ୍ପ ନିର୍ମାଣ କରି ନିଜ ରାଜ୍ୟର ଲୋକଙ୍କ ସୁବିଧା ପାଇଁ ଏମିତି ବଡ଼ଧରଣର ଷଡ଼ଯନ୍ତ୍ର କରି ଚାଲିଛନ୍ତି।

ସବୁଠାରୁ ଚକିତ କଲା ଭଳି କଥା ହେଲା ରାଜ୍ୟ ସରକାର କିମ୍ବା ପ୍ରଶାସନ ନିକଟରେ ଏହି ପ୍ରକଳ୍ପ ସଂପର୍କିତ ସାମାନ୍ୟ ତଥ୍ୟ ବି ନାହିଁ। ଆଜି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ହଠାତ୍‌ ତତ୍ପରତା ପ୍ରକାଶ କରିଛି। ଚନ୍ଦାହାଣ୍ଡି ତହସିଲଦାର ହୃଦାନନ୍ଦ ସିଂ ମାଝୀଙ୍କ ନେତୃତ୍ୱରେ କ୍ଷୁଦ୍ର ଜଳ ସେଚନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଶତପଥୀ, ସହକାରୀ ଯନ୍ତ୍ରୀ ଏସ.ଏନ ଅଗ୍ରଓ୍ଵାଲ ଏବଂ କନିଷ୍ଠ ଯନ୍ତ୍ରୀ ବି.କେ ସିଂହ ପ୍ରମୁଖ ନିର୍ମାଣସ୍ଥଳ ପରିଦର୍ଶନ କରିଥିଲେ। ଆସନ୍ତାକାଲି ଏନେଇ ଏକ ଗୋପନ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି କୁହାଯାଇଛି। ତେବେ ସେମାନେ କ’ଣ ଦେଖିଲେ ଏବଂ ଓଡ଼ିଶା କେତେ ପ୍ରଭାବିତ ହେବ ସେନେଇ ଆଦୌ ମୁହଁ ଖୋଲି ନଥିଲେ।

ଅନ୍ୟପକ୍ଷରେ, ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଘଟଣାସ୍ଥଳ ଗସ୍ତ କରିବା ସହିତ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର