ନୟାଗଡ଼ରେ ଜିଲ୍ଲାରେ ବୃଦ୍ଧି ପାଉଛି ଅବାଧ ନିଶା କାରବାର, ଚେଇଁ ଶୋଇଛି ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ
ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦର ମହକୁମାଠାରୁ ଆରମ୍ଭ କରି ଆଖପାଖ ଗାଁଗୁଡ଼ିକରେ ଗଞ୍ଜେଇ, ଅଫିମଠାରୁ ଆରମ୍ଭ କରି ଅସାଧୁ ମଦ ବ୍ୟବସାୟୀ ମାତିଛନ୍ତି। ଏଭଳିକି ନିକଟ ଅତୀତରେ ନୟାଗଡ଼ ସହରରୁ ମଧ୍ୟ ବ୍ରାଉନ ସୁଗାର୍ ଜବତ ହୋଇଛି। କିନ୍ତୁ ପୁଲିସ୍ ଏଭଳି ନିଶା କାରବାରର ଚେର ନିକଟରେ ପହଞ୍ଚିବାକୁ ଚାହୁନାହିଁ। ନିଶା କବଳରେ ପଡ଼ି ନୟାଗଡ଼ର ଅନେକ ଯୁବକ ନାନାଦି କୁକର୍ମରେ ଲିପ୍ତ ରହୁଛନ୍ତି। କିନ୍ତୁ ଜିଲ୍ଲା ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ଅବକାରୀ ବିଭାଗ ଚେଇଁ ଶୋଇଛନ୍ତି। ନୟାଗଡ଼ରେ ଗଳିକନ୍ଦିରେ ନିଶା ଚରିଗଲା ଭଳି ପରିସ୍ଥିତି ଦେଖାଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନୟାଗଡ଼ ସଦର ମହକୁମାର ଛାତି ଉପରେ ଥିବା ବିଭିନ୍ନ ପାନଦେକାନରେ ବ୍ୟାପକ ଗଞ୍ଜେଇ କାରବାର ଚାଲିଥିବା ବେଳେ ଅନେକ ଦୋକାନରେ ସିଗାରେଟ୍ ଭିତରେ ଗଞ୍ଜେଇ ପୂରାଇ ଚତୁରତାର ସହ ବିକ୍ରି କରାଯାଉଛି। ବେଆଇନ ଭାବେ ମାଦକଦ୍ରବ୍ୟ ବେପାର ଚଳାଇଥିବା ବ୍ୟକ୍ତି ଓ ବିଭିନ୍ନ ଥାନାର କର୍ମଚାରୀ, ଅବକାରୀ ବିଭାଗର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଏଭଳି ବେଆଇନ କାରବାରକୁ ବଳ ଯୋଗାଉଛି। ସହଜରେ ବିଭିନ୍ନ ସ୍ଥାନରେ ମାଦକଦ୍ରବ୍ୟ ମିଳିଯାଉଥିବାରୁ ଏହାକୁ ସେବନ କରି ଲୋକମାନେ ନିଜର ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ଏପରିକି ନୟାଗଡ଼ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡ଼ିକ ରାତି ୧୦ଟା ପରେ ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଦେଖିବାକୁ ମିଳୁଛି। ଏଠାରେ ବିଭିନ୍ନ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମୁଥିବା ବେଳେ ବିଭିନ୍ନ ଅପରାଧର ବ୍ଲୁ-ପ୍ରିଣ୍ଟ ମଧ୍ୟ ଏହି ସ୍ଥଳରୁ ପ୍ରସ୍ତୁତ ହେଉଛି। ପୁଲିସ ଲୋକଦେଖାଣିଆ ଭାବେ ପାଟ୍ରୋଲିଂ ଚଳାଇଥିବା କହୁଥିବା ବେଳେ ମଦଦୋକାନ ଆଡ଼କୁ ଦେଖି ନଦେଖିଲା ପରି ହେଉଛି।
ନୟାଗଡ଼ର ଗାଁ ଗହଳରେ ନିଶା କାରବାର କିପରି ଚରିଗଲାଣି, ତାହାର କରୁଣ ଉଦାହରଣ ନୟାଗଡ଼ ସଦର ଥାନା ଅନ୍ତର୍ଗତ ବାଲୁଗାଁରେ ଦେଖିବାକୁ ମିଳିଥିଲା। ଏଠାରେ ଦୀର୍ଘ ବର୍ଷ ହେବ କାର୍ତ୍ତିକ ବେହେରା ନାମକ ଜଣେ ବ୍ୟକ୍ତି ଗୁଲି ଭାଟି ଚଳାଇଥିଲେ। ବହୁଦିନ ହେଲା ଅଫିମକୁ ରାନ୍ଧି ଏଠାରେ ଗୁଲି ପ୍ରସ୍ତୁତ କରାଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକେ ଏହି ଗୁଲି ନିଶାରେ ପଡ଼ି କଲବଲ ହେଉଥିଲେ। ଯେଉଁଥିପାଇଁ ମୁଲମଜୁରୀ କାର୍ଯ୍ୟ କରୁଥିବା ଲୋକମାନେ ଏହି ଗୁଲି ନିଶାରେ ପଡ଼ି ସର୍ବସ୍ବାନ୍ତ ହେଉଥିବା ବେଳେ ପୁଲିସ ପ୍ରଶାସନ, ଅବକାରୀ ବିଭାଗ ବେଫିକର ଥିଲା। ଯେଉଁଥିପାଇଁ ଗତକାଲି ଏଠାରେ ଏକ ହତ୍ୟାକାଣ୍ଡ ମଧ୍ୟ ଘଟିଗଲା। ୪ ବର୍ଷରୁ ଅଧିକ ସମୟ ହେବ ଏହି ଗୁଲି ଭାଟିକୁ ଗୁଲି ଖାଇବାକୁ ଯାଇ ଟଙ୍କା ବାକି ରଖିଥିବା ବୋଦାପଡ଼ା ଗ୍ରାମର ପ୍ରମୋଦ ପରିଡ଼ାଙ୍କୁ ଭାଟି ମାଲିକ ଓ ତା’ର ସହଯୋଗୀମାନେ ହତ୍ୟା କରିଥିବାର ଅଭିଯୋଗ ଆସିଛି। କିନ୍ତୁ ଆଶ୍ବର୍ଯ୍ୟର ବିଷୟ ହେଲା ଏହି ଅଞ୍ଚଳରେ ଗୁଲି କାରବାର ଚାଲିଥିବା ସାଧାରଣ ଲୋକେ ଜାଣିଥିବା ବେଳେ, ପୁଲିସ ଜାଣିନଥିବା ଖୋଦ୍ ନୟାଗଡ଼ ଏସ୍ଡିପିଓ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଛନ୍ତି। ଅଫିମ ବିକ୍ରି ଉପରେ କଟକଣା ଥିବା ବେଳେ ଏଠାରେ କିନ୍ତୁ ବହୁ ପରିମାଣର ଅଫିମ ଆସି ଗଦା ହେଉଥିଲା ଏବଂ ଏଥିରୁ ଗୁଲି ପ୍ରସ୍ତୁତ କରାଯାଉଥିଲା। ନିତ୍ୟାନ୍ତ ଆବଶ୍ୟକତା ଥିବା ଲୋକ ଜିଲ୍ଲା ଅବକାରୀ ବିଭାଗରେ ନିଜ ନାମ ପଞ୍ଜୀକରଣ କରି ଏହାକୁ ଖାଇଥାନ୍ତି। କିନ୍ତୁ କିଭଳି ବାଲୁଗାଁ ତଥା ଏହାର ଆଖପାଖ ଅଞ୍ଚଳରେ ଦୀର୍ଘବର୍ଷ ହେବ ଏହି କାରବାର ଚାଲିଆସୁଛି, ଏଠାକୁ ଅଫିମ କିଏ ଯୋଗାଣ କରୁଛି ଆଦି ଦିଗକୁ ପୁଲିସ ତଦନ୍ତ ନକରି ବିଭିନ୍ନ ବାହାନା ଦେଖାଉଛି।
କେବଳ ଏତିକି ନୁହେଁ ନୟାଗଡ଼ରେ ଥିବା ଠିପି ବନ୍ଦ ମଦଦେକାନ ସାମ୍ନାରେ ହିଁ ଲୋକମାନେ ଖୋଲିଖୋଲି ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ରେଷ୍ଟୁରାଣ୍ଟରେ ମଧ୍ୟ ଖୋଲାଖୋଲି ଦିନଦ୍ବିପ୍ରହରେ ମଦ୍ୟପାନ ଚାଲିଛି। କିନ୍ତୁ ପୁଲିସ ତଥା ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ୍ୟ। ଜିଲ୍ଲାରେ ବେଶ୍ କିଛି ବର୍ଷ ହେବ ଗଞ୍ଜେଇ ଚୋରା ଚାଲାଣ ସକ୍ରିୟ ହୋଇଥିବା ଦେଖାଯାଇଛି। କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ପଡ଼ୋଶୀ ଫୁଲବାଣୀ ଜିଲ୍ଲାରୁ ବିଭିନ୍ନ ଛୋଟବଡ଼ ଗାଡ଼ିରେ ଭର୍ତ୍ତି ହୋଇ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପହଞ୍ଚୁଛି। ଅନେକ ରାକେଟ୍ ଏହି ଅସାଧୁ କାରବାରରେ ଲିପ୍ତ ରହିଛନ୍ତି। ବାରବାଟୀ, ବାଲୁଗାଁ, ମାଳିସାହି, ଗୋଡ଼ିସାହି ଆଦି ଅଞ୍ଚଳ ଗଞ୍ଜେଇ ବେପାରର ପେଣ୍ଠସ୍ଥଳୀ ପାଲଟିଛି। ରାଜୀବ ମାର୍କେଟ ତିନି ନମ୍ବର ଗଳି, ନୟାଗଡ଼ ନୂଆ ଓ ପୁରୁଣ ବସ୍ଷ୍ଟାଣ୍ଡ୍, ହାଉସିଂବୋର୍ଡ କଲୋନୀ ଆଦି ଅଞ୍ଚଳରେ ନିଶାଡ଼ିଙ୍କ ଆଡ଼ା ଜମୁଛି। କିନ୍ତୁ ଏସବୁ ଆଡ଼ାରେ ପୁଲିସ୍ ଚଢ଼ଉ ହେଉନାହିଁ। ଦିନକୁ ଦିନ ନୟାଗଡ଼ ନିଶାର ବଳୟ ମଧ୍ୟକୁ ଚାଲିଯାଉଥିବା ବେଳେ ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ହାତଗୁଞ୍ଜା ନେଇ ହାତ ଟେକି ଦେଉଥିବା ଅଭିଯୋଗ ହେଉଛି। ତଳିଆ କର୍ମଚାରୀଙ୍କ ସଂପୃକ୍ତି ଓ ଉପରିସ୍ଥ କର୍ମଚାରୀଙ୍କ ଆନ୍ତରିକତା ଅଭାବରୁ ଏଭଳି ଘଟୁଛି। ଜିଲ୍ଲା ଅବକାରୀ ବିଭାଗ ଅଧୀକ୍ଷକ ଓ ଏସ୍ପି ଏଥି ପ୍ରତି ଧ୍ୟାନ ଦେବାକୁ ମତପ୍ରକାଶ ପାଇଛି।