ସିମେଣ୍ଟ ଉତ୍ପାଦନ ପୂର୍ବରୁ ଲୋକ ତାତିଲେ : ରାମ୍‌କୋ ପାଚେରି ଭିତରେ ଏକର ଏକର ସରକାରୀ ଜମି

ଯାଜପୁର : କୃଷି ଫାର୍ମ ଓ କଲେଜ ପାଇଁ ଲୋକମାନେ ଜମି ଦେଲେ। ତେବେ ସେମାନଙ୍କ ଅଗୋଚରରେ ସିମେଣ୍ଟ କାରଖାନା ସ୍ଥାପନ ହେଲା। ସେହି ରାମ୍‌କୋ ସିମେଣ୍ଟ କାରଖାନା ଭିତରେ ରହିଛି ଏକର ଏକର ସରକାରୀ ଜମି। ଅନ୍ୟପକ୍ଷରେ, ସରକାରୀ ଜମି ହସ୍ତାନ୍ତର ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖଯାଇଥିବାବେଳେ ଏହା ଆନ୍ଦୋଳନର ରୂପ ନେବାକୁ ବସିଛି।

ଧର୍ମଶାଳା ତହସିଲ ଆରୁହା, ଥାନୁଆଳ ଓ ହରିଦାସପୁର ପଞ୍ଚାୟତ ମଧ୍ୟସ୍ଥଳରେ ସରକାରୀ ଓ ଘରୋଇ ଜମିରେ ରାମ୍‌କୋ ସିମେଣ୍ଟ କାରଖାନା ନିର୍ମାଣ ଚାଲିଛି। ସିମେଣ୍ଟ ଉତ୍ପାଦନ ପୂର୍ବରୁ କମ୍ପାନି ବିରୋଧୀ ଜନମତ ଦିନକୁ ଦିନ ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି। ନିୟମ ମୁତାବକ କମ୍ପାନି ସରକାରୀ ଜମି ଅଧିଗ୍ରହଣ କରିନଥିବାବେଳେ ବେଆଇନ ଭାବେ ପାଚେରି ବୁଲାଇ ଦେଇଛି। ଏବେ ଧର୍ମଶାଳା ତହସିଲ ପକ୍ଷରୁ ସରକାରୀ ଜମି ଅଧିଗ୍ରହଣ କରି ଇଡ୍‌କୋକୁ ହସ୍ତାନ୍ତର କରିବା ପାଇଁ ହୋଇଥିବା ନୋଟିସକୁ ଗ୍ରାମବାସୀ ବିରୋଧ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଆରଡିସି, ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗକାରୀ ଗ୍ରାମବାସୀ ଜଣାଇଛନ୍ତି, ତାଙ୍କ ଅଞ୍ଚଳରେ କୃଷି ଫାର୍ମ ଓ କଲେଜ ପାଇଁ ଲୋକଙ୍କ ଠାରୁ ଜମି କିଣାଗଲା। ସେମାନଙ୍କର କୃଷି ଓ ଶିକ୍ଷାର ବିକାଶ ହେବ ବୋଲି ଆଶା କରି ଜମିଦେଇଛନ୍ତି। ପର୍ଯ୍ୟାୟକ୍ରମେ ସେମାନଙ୍କ ଜମିରେ ପ୍ରଦୂଷଣ ସୃଷ୍ଟିକାରୀ ସିମେଣ୍ଟ କାରଖାନା କମ୍ପାନି ଗଢ଼ିଉଠିଛି। ଫଳରେ ସ୍ଥାନୀୟ ଅଞ୍ଚଳର କୃଷି ଓ ଜନଜୀବନ ପ୍ରଭାବିତ ହେବାକୁ ଯାଉଛି। ଏଥିସହିତ, ଗୋଚର, ଅନାବାଦି, ଜଳାଶୟ ପ୍ରଭୃତି ସରକାରୀ ଜମିକୁ ରାମ୍‌କୋ କମ୍ପାନି ବେଆଇନ ଭାବେ ନିଜ ଦଖଲକୁ ନେଇ ପାଚେରି ବୁଲାଇଛି । ଅ‌ାରୁହା ପଞ୍ଚାୟତର ନାନପୁର ମୌଜାର ୧ଏକର ୩ ଡିସିମିଲ, ବାଟଜଙ୍ଗା ମୌଜାର ୬୮ଡିସିମିଲ, ଥାନୁଆଳ ପଞ୍ଚାୟତର ଯୋଗରଡ଼ା ମୌଜାର ୩୦ଡିସିମିଲ ଗୋଚର ଜମିକୁ ପ୍ରଶାସନ ଚତୁରତା ସହିତ ଉନ୍ନତ କିସମକୁ ପରିବର୍ତ୍ତନ କରିଛନ୍ତି। ଏବେ ଏହି ଉନ୍ନତ କିସମ ଜମିକୁ ଇଡ୍‌କୋକୁ ହସ୍ତାନ୍ତର କରିବାକୁ ଜନସାଧାରଣଙ୍କ ଠାରୁ ମତାମତ ଲୋଡୁଛନ୍ତି। ମାତ୍ର, ଏହି ଜମି ଏବେ ରା‌ମ୍‌କୋ ସିମେଣ୍ଟ କାରଖାନା ପାଚେରି ଭିତରେ ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାବ୍ୟତୀତ ହରିଦାସପୁର ପଞ୍ଚାୟତର ଶ୍ରୀବନ୍ତପୁର ଓ ଚକ୍ରଧର-୧୬ମୌଜାର ସରକାରୀ ଜମି ମଧ୍ୟ କମ୍ପାନି ବେଆଇନ ଭାବେ ଜବରଦଖଲ କରି ନେଇ ପାଚେରି ବୁଲାଇଛି। ଏହି ବେଆଇନ କାରବାରର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର