ବନ୍ଧୁକ କାରଖାନା ଠାବ, ଦୁଇ ଗିରଫ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି-ବାଲିଗୁଡ଼ା ୫୯ ନଂ ଜାତୀୟ ରାଜପଥ କଡ଼ରେ ଥିବା ଶ୍ରାନିକେତା ପଂଚାୟତର ଗୁଞ୍ଜିଟି ନୂଆ ସାହିରେ ଏକ ବନ୍ଧୁକ କାରଖାନା ପୁଲିସ ଠାବ କରିଛି। ପୁଲିସ ବନ୍ଧୁକ ପ୍ରସ୍ତୁତ କରୁଥିବା ଟୁନା ପ୍ରଧାନ(୩୫) ନାମକ ଯୁବକଙ୍କୁ ଗିରଫ କରିଛି। ‌ତେବେ ଚଢାଉ ବେଳେ ଏଠାକୁ ବନ୍ଧୁକ ଖରିଦ ପାଇଁ ଆସିଥିବା ଅନ୍ୟ ଦୁଇ ଜଣ ପୁଲିସ ପଞ୍ଝାରୁ ଖସି ପଳାଇଥିଲେ। ହେଲେ ପରେ ପୁଲିସ ପିଛା କରି ଦଣ୍ଡିମା ଗ୍ରାମର ଚିତ୍ରସେନ ବିନ୍ଧାଣୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ଅନ୍ୟ ଜଣେ ମିଥୁନ ପ୍ରଧାନ ଫେରାର ହୋଇଯାଇଛି। କେସ ନଂ-୫୮/୧୯ରେ ଆଇପିସିର ଧାରା ୨୫ ଅସ୍ତ୍ରଶସ୍ତ୍ର ନିୟମ ଅନୁସା‌ରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ତଦନ୍ତ ଚଳାଇଥିବା ଥିବା ଥାନା ଅଧିକାରୀ ଅଲେଖ ଗାରଡ଼ିଆ ସୂଚନା ଦେଇଛନ୍ତି।

ଦୀର୍ଘ ଦିନ ହେଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଦେଶୀ ବନ୍ଧୁକ ନିର୍ମାଣ କେନ୍ଦ୍ର ଥିବା ନେଇ ପୁଲିସ ଖବର ପାଇଥିଲା। ହେଲେ କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି କାରଖାନା ଥିଲା ସେ ନେଇ ସଠିକ ଖବର ଜାଣିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ପୂର୍ବଭଳି ମାଓବାଦୀଙ୍କ କାର୍ଯ୍ୟକଳାପ ନଥିଲେ ମଧ୍ୟ ମଝି ମଝିରେ ଗଛକାଟି ରାସ୍ତା ଅବରୋଧ କରିବା, ଲାଲ ବ୍ୟାନର, ପୋଷ୍ଟର ଲଗାଇବା ଭଳି କାର୍ଯ୍ୟକଳାପ ଦେଖିବାକୁ ମିଳୁଥିଲା। ଏହା କିଛି ଦୁର୍ବୃତ୍ତଙ୍କ କାମ ବୋଲି ପୁଲିସ ଅନୁମାନ କରୁଥିଲା। ତେଣୁ ଅତି ସତର୍କତାର ସହ ପୁଲିସ ବନ୍ଧୁକ କାରଖାନା ଠିକଣା ବାହାର କରିବାକୁ ବିଭିନ୍ନ ଉପାୟ ହାତକୁ ନେଇଥିଲା। ଶେଷରେ ପୁଲିସ ଏହି ଦେଶୀ ବନ୍ଧୁକ କାରଖାନା ଠାବ କରିବା ସହିତ ବନ୍ଧୁକ ପ୍ରସ୍ତୁତକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ସବୁଠାରୁ ଆଶ୍ବର୍ଯ୍ୟର କଥା ହେଲା, ଥାନା ଠାରୁ ମାତ୍ର ୬କିଲୋମିଟର ଦୂର ନୂଆ ସାହିର ଦୁଲିଆ ପ୍ରଧାନଙ୍କ ପୁଅ ଟୁନା ଘର ପରିସରରେ ହିଁ ଏହି ବନ୍ଧୁକ କାରଖାନା ଚଳାଇଥିଲା ବୋଲି ପୁଲିସ କହିଛି। ପୁଲିସ ଘଟଣାସ୍ଥଳରୁ ବନ୍ଧୁକ ନିର୍ମାଣ ପାଇଁ ଆବଶ୍ୟକ ବିଭିନ୍ନ ସରଞ୍ଜାମ ସହିତ ଦୁଇଟି ସମ୍ପୂର୍ଣ ତିଆରି ଦେଶୀ ବନ୍ଧୁକ, ଗୋଟିଏ ଅଧା ତିଆରି ବନ୍ଧୁକ ଜବତ କରିଛି।

ସମ୍ବନ୍ଧିତ ଖବର