ଦେଶୀ ବନ୍ଧୁକ କାରଖାନା ଠାବ : ୫ ବନ୍ଧୁକ ସହ ସରଞ୍ଜାମ ଜବତ, ୧ ଗିରଫ

ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ଭଳି ଦୁର୍ଗମ ଗ୍ରାମରେ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଉକ୍ତ ଯୁବକଙ୍କ ନାମ ସୁଧୀର କୁମାର ବେହେରା (୧୯)। ସେ ପ୍ରାୟ ବର୍ଷେ ହେଲାଣି ଏଇ ଭଳି କାରବାର ଚଳାଇଥିଲା ବୋଲି ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ଜିଲ୍ଲା ପୁଲିସ୍‌ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୁଧୀର ତା’ ଘରେ ଏହି ବନ୍ଧୁକ ତିଆରି କାରଖାନା ଚଳାଇଥିବା ଓ ତା’ ନିକଟରୁ ୪ଟି ଦେଶୀ ବନ୍ଧୁକ ସହ ଗୋଟିଏ ପିସ୍ତଲ ପୁଲିସ ଉଦ୍ଧାର କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଶୁକ୍ରବାର ଦିନ ରାତିରେ ନୟାଗଡ଼ ଏସ୍‌ଡିପିଓ ସୁଧାକାର ସାହୁଙ୍କ ନେତୃତ୍ବରେ ଗଠନ କରାଯାଇଥିବା ଟିମ୍ ଚଢାଉ କରି ବନ୍ଧୁକ ସମେତ ବନ୍ଧୁକ ତିଆରି ନେଇ ଆବଶ୍ୟକ ସରଞ୍ଜାମ ଜବତ କରିଥିବା ଶ୍ରୀ ଶତପଥୀ କହିଛନ୍ତି। ସୁଧୀର ସହିତ ଏହି ଘଟଣାରେ ଆଉ କିଏ ସାମିଲ ଥିଲେ, ତଦନ୍ତ ପରେ ଜଣାପଡ଼ିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ସୁଧୀର ମାତ୍ର ସପ୍ତମ ଶ୍ରେଣୀ ଯାଏ ପାଠ ପଢିଥିବା ଜଣାପଡ଼ିଛି। ସେ ତା’ ଅଜା ନିକଟରୁ ବନ୍ଧୁକ ତିଆରି ଶିଖିଥିବା ଗଣମାଧ୍ୟମ ଆଗରେ ବୟାନ ରଖିଛି। ସଦର ଥାନା ତଥା ନୂଆଗାଁ ବ୍ଲକ୍‌ର ଦୁର୍ଦୁରା ପଞ୍ଚାୟତର ଏକ ଦୁର୍ଗମ ପାହାଡ଼, ଜଙ୍ଗଲ ‌ଘେରା ଅଞ୍ଚଳ ହେଉଛି ଗୋପୀନାଥପୁର। ଏଠାରେ ସୁଧୀର ପ୍ରାୟ ଏକ ବର୍ଷ ହେବ ବନ୍ଧୁକ ତିଆରି କରୁଥିବା, ପୁଲିସ୍‌ ‌ବିଶ୍ବସ୍ତ ସୂତ୍ରରୁ ଖବର ପାଇ ତା’ ଘରେ ଚଢ଼ଉ କରିଥିଲା। ସୁଧୀର ଗିରଫ ହେବା ପରେ ତା’ ବାପା କୈଳାଶ ବେହେରା ଘର ଛାଡ଼ି କେଉଁଆଡ଼େ ଚାଲିଯାଇଛନ୍ତି।

ସୁଧୀରର ପିଉସୀ ଡଲି ଚଣ୍ଡ ଓ ତା’ ଜେଜେ ଶଙ୍କର୍ଷଣ ‌ବେହେରା, ବନ୍ଧୁକ ତିଆରି ଘଟଣା ବିଷୟରେ କିଛି ଜାଣନଥିବା ସଫେଇ ଦେଇଛନ୍ତି। କିନ୍ତୁ ଗତକାଲି (ଶୁକ୍ରବାର) ରାତିରେ ପୁଲିସ୍‌ ସୁଧିରକୁ ଗିରଫ କରିଥିବା ନେଇ ସାମ୍ବା‌ଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ, ଶୁକ୍ରବାର ନୁହେଁ ସୋମବାର ଦିନ ରାତି ପ୍ରାୟ ସାଢ଼େ ଦଶଟା ସମୟରେ ସୁଧୀର ଘରେ ‌ଶୋଇଥିବା ବେଳେ ୭ରୁ ୮ ଜଣ ପୁଲିସ ପହଞ୍ଚି ତାକୁ ଉଠାଇ ନେଇଥିବା ସୁଧୀରର ଜେଜେ ଓ ପିଉସୀ କହିଛନ୍ତି। ତେବେ ତା’ର ବନ୍ଧୁକ ତିଆରି ଓ କାରବାରକୁ ସମ୍ପର୍କୀୟମାନେ ଏଡ଼ାଇ ଯାଇଛନ୍ତି। ବନ୍ଧୁକ ତିଆରି ନେଇ ଶଙ୍କର୍ଷଣ କିଛି ଜାଣିନଥିବା କହିଥିବା ବେଳେ ତାଙ୍କ ନା‌ତି କମାରଶାଳ କରି ଲୋକଙ୍କ ଦାଆ, କଟୁରୀ ଆଦି ଦାଢ଼ କରୁଥିଲା ବୋଲି କହିଛନ୍ତି। ସୁଧୀରଙ୍କ ଘର ପଛ ପଟେ ଏକ ପରିତ୍ୟକ୍ତ କମାରଶାଳ ଭଳି ଘର ମଧ୍ୟ ଦେଖିବାକୁ ମିଳିଛି। ନୟାଗଡ଼ ଟାଉନ ଥାନାରେ ସୁଧିର ବିରୋଧରେ ଆର୍ମସ ଆକ୍ଟରେ ପୁଲିସ ମାମଲା ରୁଜୁ କରିଥିବା ସୂଚନା ଦେଇଛି। ଏହି ବେଆଇନ ବନ୍ଧୁକ କାରଖାନା ଠାବ ନେଇ ନୟାଗଡ଼ ଏସ୍‌ଡିପିଓଙ୍କ ନେତୃତ୍ବରେ ଗଠିତ ଟିମ୍‌ରେ ଟାଉନ ଥାନା ଆଇଆଇସି ରଶ୍ମୀରଞ୍ଜନ ପଟ୍ଟନାୟକ ଓ ସଦରଥାନା ଆଇଆଇସି ମନୋରମା ମଲ୍ଲିକ ରହିଥିଲେ।

ସମ୍ବନ୍ଧିତ ଖବର