କୋଣାର୍କରେ ବଢ଼ୁଛି ବେଆଇନ ମଦ କାରବାର, ନିରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ, ଚିନ୍ତାରେ ସାଧାରଣ ଜନତା

କୋଣାର୍କ : ବିଶ୍ୱ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଦିନକୁ ଦିନ ଅବାଧ ନିଶା କାରବାର କାୟା ବିସ୍ତାର କରିବାରେ ଲାଗିଛି। ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗ ଅଙ୍କୁଶ ଲଗାଇବାରେ ବିଫଳ ହୋଇଥିବାରୁ ଚୋରା ମଦ ବେପାର ବଢ଼ି ଚାଲିଛି। ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ବେଆଇନ ମଦ ବ୍ୟବସାୟ ବଢ଼ି ଚାଲିଥିବାରୁ ଏବେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ମୁତାବକ, କୋଣାର୍କରେ ଏକ ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦେକାନ, ବିୟର ବାର ଓ ଦେଶୀ ଆସ୍କାଫର୍ଟି ମଦ ଦୋକାନ ରହିଛି। ତେବେ ସରକାରୀ ନିୟମ ଅନୁଯାୟୀ ମଦ ଦୋକାନ ପାଇଁ ଉଦ୍ଦିଷ୍ଟ ସମୟ ସୀମା ବ୍ୟତିତ ଅନ୍ୟ ସବୁ ସମୟରେ ଏଠାରେ ମଦର ଅବାଧ ବ୍ୟବସାୟ ଜାରି ରହିଛି। ବିଶେଷ କରି ଦେଶୀ ଆସ୍କାଫର୍ଟି ମଦର ବନ୍ୟା ଏବେ କେବଳ ପୁଲିସ ପ୍ରଶାସନ ପାଇଁ ନୁହେଁ ବରଂ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେହିପରି ରାତି ୧୦ଟା ପରେ ପୁଲିସ ପାଟ୍ରୋଲିଂ ଅଭାବର ସୁଯୋଗ ନେଇ କ୍ୟାବିନ୍‌ ଲୁଟେରାମାନେ ସକ୍ରିୟ ହୋଇଉଠିଥିବା ଦେଖିବାକୁ ମିଳିଛି। ବିଶେଷ କରି କୋଣାର୍କ ଡାକ୍ତରଖାନା ଛକ ଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରୁ ନିୟମିତ ଭାବେ କ୍ୟାବିନ୍‌ ତଡ଼ା ହେବା ସହ ଲୁଟତରାଜ ହେଉଥିବା ଘଟଣା ଏବେ ସ୍ଥାନୀୟ ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବିଶେଷ ସୁତ୍ରରୁ ମଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତିରେ କୋଣାର୍କରୁ ଡାଲା ଅଟୋ, ପିକ୍ଅପ ଭ୍ୟାନ୍‌ ଭଳି ଗାଡ଼ିରେ ଦେଶୀ ମଦର କାରବାର ହେଉଛି। ମଦ ମାଫିଆମାନେ ରାତିର ନିର୍ଜନତାର ସୁଯୋଗ ନେଇ ଅବାଧରେ ସେମାନଙ୍କର କାରବାର ଚଳାଇଛନ୍ତି। ଚନ୍ଦ୍ରଭାଗା ଦେଶୀ ମଦ ଦୋକାନରୁ ନୟାହାଟ, ଚାରଛକ, ପୁରୀ, ସାକ୍ଷୀଗୋପାଳ, ନିମାପଡ଼ା, କାକଟପୁର, ନାଗପୁର , କୁଣ୍ଠେଇହାଟ ଓ ଅସ୍ତରଙ୍ଗ ଭଳି ସ୍ଥାନକୁ ବେଆଇନ ଭାବେ ମଦ ଯୋଗାଣ ହେଉଛି। ଏ ସଂପର୍କରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଅବକାରୀ ବିଭାଗ ନିରବଦ୍ରଷ୍ଟା ସାଜିଛି। ଫଳରେ ଏହାକୁ ନେଇ ଜନଅସନ୍ତୋଷ ତେଜିବାରେ ଲାଗିଛି। ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଏ ଦିଗରେ ଦୃଷ୍ଟି ଦେଇ କୋଣାର୍କ ଭଳି ଏକ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀରୁ ବେଆଇନ ମଦ କାରବାର ରୋକିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର