ଖିଲାପୀ ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ ହେବ

ରାଉରକେଲା : ସୁପ୍ରିମ୍‌ କୋର୍ଟଙ୍କ ରାୟ (୨୦୧୭ ଅଗଷ୍ଟ ୨) ଅନୁସାରେ ଜରିମାନା ପୈଠ କରିନଥିବା ୫୬ଟି ଖଣିର ଲିଜ୍‌ଧାରୀଙ୍କ ସ୍ଥାବର-ଅସ୍ଥାବର ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ସବିଶେଷ ତଥ୍ୟ ସମ୍ବଳିତ ସ୍ଥିତି (ଷ୍ଟାଟସ୍‌) ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାର ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମିଳିବା ପରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଓ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳର ଖିଲାପୀ ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ ଓ ବ୍ୟାଙ୍କ୍‌ ଆକାଉଣ୍ଟ ଅଚଳ ପ୍ରକ୍ରିୟା ତ୍ୱରାନ୍ଵିତ କରାଯିବ ବୋଲି ଖଣି ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଫିସର ‘ସମ୍ବାଦ’କୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଖଣି ଦୁର୍ନୀତିର ତଦନ୍ତ କରି ଜଷ୍ଟିସ୍‌ ଏମ୍‌.ବି ଶାହା ଦେଇଥିବା ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଲାଗି ସ୍ୱେଚ୍ଛାସେବୀ ସଂଗଠନ ‘କମନ୍‌ କଜ୍‌’ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱରସ୍ଥ ହୋଇଥିଲା। ଏହି ମାମଲାର ଦୀର୍ଘ ଶୁଣାଣି ପରେ ସୁପ୍ରିମ୍‌କୋର୍ଟ ଗତ ଅଗଷ୍ଟ ୨ରେ ଓଡ଼ିଶାର ଲୁହାପଥର ଓ ମାଙ୍ଗାନିଜ୍‌ ଖଣିରେ ହୋଇଥିବା ଅନିୟମିତତା ପାଇଁ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ଵିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଙ୍ଗଲ ଓ ପରିବେଶ ଆଇନ ଉଲ୍ଲଙ୍ଘନ ସହ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍‌) ଅନୁମୋଦିତ ଖଣି ପ୍ଲାନ୍‌ଠାରୁ ଅଧିକ ଖଣିଜ ଉତ୍ତୋଳନ କରିଥିବା ଲିଜ୍‌ଧାରୀଙ୍କଠାରୁ ଶତ ପ୍ରତିଶତ ଜରିମାନା ଅସୁଲ କରିବାକୁ ରାୟରେ ନିର୍ଦ୍ଦେଶ ଥିଲା। ଅର୍ଥାତ ବେଆଇନ ଭାବେ ଉତ୍ତୋଳିତ ଖଣିଜ ବାବଦରେ ୧୦୦% ବଜାର ମୂଲ୍ୟ ଅସୁଲ କରିବାକୁ ରାୟରେ କୁହାଯାଇଥିଲା। ଏହି ହିସାବରେ କେବଳ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଥିବା ଲୁହାପଥର ଓ ମାଙ୍ଗାନିଜ ଖଣିର ଖିଲାପୀ ଲିଜ୍‌ଧାରୀଙ୍କଠାରୁ ପ୍ରାୟ ୬୦ ହଜାର କୋଟି ଟଙ୍କାର ଜରିମାନା ଅସୁଲ ହେବ ବୋଲି ଖଣି ନିର୍ଦ୍ଦେଶାଳୟ ଆକଳନ କରିଥିଲା। ତେବେ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ କ୍ଷମତାପନ୍ନ କମିଟି (ସିଇସି) ଜରିମାନା ପରିମାଣକୁ ୧୭,୫୭୬ କୋଟି ଟଙ୍କାରେ ସୀମିତ ରଖି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ତଦନୁଯାୟୀ ୨୦୧୭ ଡିସେମ୍ବର ୩୧ ସୁଦ୍ଧା ଜରିମାନା ଅସୁଲ କରିବାକୁ ସୁପ୍ରିମ୍‌ କୋର୍ଟ ମିଆଦ ଧାର୍ଯ୍ୟ କରିଥିଲେ।

ଏହି ଆଧାରରେ ରାଜ୍ୟ ସରକାର ଗତ ସେପ୍ଟେମ୍ବରରେ ଉଭୟ କୋଇଡ଼ା ଓ ଯୋଡ଼ା ଖଣି ମଣ୍ଡଳର ୧୩୧ଟି ଖଣିର ଲିଜ୍‌ଧାରୀଙ୍କୁ ଜରିମାନା ଦାଖଲ ପାଇଁ ଦାବି ନୋଟିସ୍‌ ଜାରି କରିଥିଲେ। ଡିସେମ୍ବର ୩୧ ସୁଦ୍ଧା ୭୨ଟି ଖଣିର ଲିଜ୍‌ଧାରୀ ପ୍ରାୟ ୧୦ ହଜାର କୋଟି ଟଙ୍କା ଜରିମାନା ପୈଠ କରିଥିଲେ। ଜରିମାନା ପୈଠ କରିନଥିବା ୭ଟି କାର୍ଯ୍ୟକ୍ଷମ ଖଣି ସମେତ ୫୯ଟି ଖଣିକୁ ରାଜ୍ୟ ସରକାର ବନ୍ଦ ନୋଟିସ୍‌ ଜାରି କରିଥିଲେ। ଅପର ପକ୍ଷରେ ଏଥିରେ ଖିଲାପ କରିଥିବା ଲିଜ୍‌ଧାରୀଙ୍କଠାରୁ ୧୨% ସୁଧ ସହ ଜରିମାନା ଅସୁଲ ଓ ଏଥି ପାଇଁ କଠୋର ପଦକ୍ଷେପ ନେବାକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କେନ୍ଦୁଝର ଜିଲ୍ଲା ରୋଇଡ଼ା ଖଣିର ପରୋକ୍ଷ ଲିଜ୍‌ଧାରୀ ରାଜ୍ୟ ସରକାରଙ୍କ ଶିଳ୍ପ ଉନ୍ନୟନ ନିଗମ (ଇଡ୍‌କଲ୍‌), ଏବଂ ସିରାଜୁଦ୍ଦିନ୍‌ ଓ ଆଦିତ୍ୟ ବିରଳା ଗ୍ରୁପ୍‌ର ଏସେଲ୍‌ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ୍‌ ନିଜ ନିଜ ବନ୍ଦ ଖଣି ଖୋଲିବାକୁ ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ସେମାନଙ୍କ ସୁଧକୁ ମାଫ୍‌ କରି ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ଲିଜ୍‌ଧାରୀମାନେ ଗତ ଫେବ୍ରୁଆରି ସୁଦ୍ଧା ଜରିମାନା ପୈଠ କରିଥିଲେ। ମୋଟାମୋଟି ଭାବେ ରାଜ୍ୟ ସରକାର ୭୫ଟି ଖଣିର ଲିଜ୍‌ଧାରୀଙ୍କଠାରୁ ପ୍ରାୟ ୧୨ ହଜାର କୋଟି ଟଙ୍କା ଜରିମାନା ପାଇଥିବା ବେଳେ ଅବଶିଷ୍ଟ ୫୬ଟି ଖଣିର ଲିଜ୍‌ଧାରୀ ଜରିମାନା ପୈଠ କରିନାହାନ୍ତି। ସାର୍ଟିଫିକେଟ୍‌ ମାମଲା ଦାଏର ସହ ଏହି ଲିଜ୍‌ଧାରୀଙ୍କ ସ୍ଥାବର-ଅସ୍ଥାବର ସମ୍ପତ୍ତି ଜବତ କରିବାକୁ ସରକାର ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ କରିଥିଲେ ମଧ୍ୟ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାପାଳ ଖିଲାପୀ ଲିଜ୍‌ଧାରୀଙ୍କ ସମ୍ପତ୍ତି ବାବଦରେ କୌଣସି ତଥ୍ୟ ଟାସ୍କ ଫୋର୍ସକୁ ଦେଇନଥିବା ଜଣାପଡ଼ିଛି। ତେଣୁ ତୁରନ୍ତ ସେମାନଙ୍କ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ଷ୍ଟାଟସ୍‌ ରିପୋଟ ଦାଖଲ କରିବାକୁ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଆର୍‌.କେ.ଶର୍ମା ଉଭୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର