ଖୋର୍ଦ୍ଧା ଜିଲ୍ଲାରେ ଘରୋଇ କ୍ଲିନିକ୍ ବେଲଗାମ୍‌ : ଲାଇସେନ୍ସ ନଥାଇ ଚାଲିଛି ରୋଗୀ ସେବା

ଖୋର୍ଦ୍ଧା : କୋଭିଡ୧୯ ମହାମାରୀ ପ୍ରତିରୋଧ ନିମନ୍ତେ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଲୋକଙ୍କୁ ସରକାରୀ ହସ୍‌ପିଟାଲ୍‌କୁ ଆସିବା ବାରଣ କରାଯାଇଛି। ଏହି ସମୟରେ ସାଧାରଣ ଲୋକ ଘରୋଇ କ୍ଲିନିକ୍‌ ଉପରେ ଅଧିକ ନିର୍ଭରଶୀଳ ଅଛନ୍ତି। ଜିଲ୍ଲାରେ ଅନେକ ଅଣପଞ୍ଜୀକୃତ ଘରୋଇ କ୍ଲିନକ୍, ଡିସ୍‌ପେନ୍‌ସାରି ଏ ପରିସ୍ଥିତିରେ ସାଧାରଣ ଲୋକଙ୍କୁ ଲୁଟିବା ଆରମ୍ଭ କରିଛନ୍ତି। ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସମେଂଟ୍ (କଂଟ୍ରୋଲ୍ ଆଣ୍ତ୍ ରେଗୁଲେସନ )ଆକ୍ଟ–୧୯୯୧ ଅନୁସାରେ ଜିଲ୍ଲାରେ ଥିବା ସମସ୍ତ ଘରୋଇ ଓ ବେସରକାରୀ ସ୍ବାସ୍ଥ୍ୟସେବା ଅନୁଷ୍ଠାନ, କ୍ଲିନିକ୍‌ ଗୁଡ଼ିକର ତଥ୍ୟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିକଟରେ ରହିବା କଥା। ୨୦୧୯ରେ ହାଇକୋର୍ଟଙ୍କ ତାଗିଦ୍‌ ପରେ ବି ଜିଲ୍ଲାରେ କେତେ ସଂଖ୍ୟାରେ ଏଭଳି ଅନୁଷ୍ଠାନ ଅଣପଞ୍ଜୀକୃତ ଭାବେ କାର୍ଯ୍ୟ କରୁଛନ୍ତି ସେନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିକଟରେ ସମ୍ପୂର୍ଣ୍ଣ ସୂଚନା ନାହିଁ। ଭୁବନେଶ୍ବର ବିଏମ୍‌ସି ଅଞ୍ଚଳକୁ ମିଶାଇ ଜିଲ୍ଲାରେ ୨୦୮ଟି ଘରୋଇ ହସ୍‌ପିଟାଲ୍, ଡିସ୍‌ପେନସାରି ଓ କ୍ଲିନିକ୍ ରହିଛି। ୨୦୮ଟି ୨୦୧୯ ଅକ୍ଟୋବର ମାସରେ ହାଇକୋର୍ଟରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଦାଖଲ ହୋଇଥିବା ଷ୍ଟାଟସ‌୍ ରିପୋର୍ଟ ଅନୁସାରେ, ଭୁବନେଶ୍ବର ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାରେ ୪୫ଟି ଘରୋଇ କ୍ଲିନିକାଲ୍ ଅନୁଷ୍ଠାନ ପଞ୍ଜୀକୃତ ହୋଇଛନ୍ତି। ପ୍ରତି ଦୁଇ ବର୍ଷକୁ ଥରେ ସେମାନଙ୍କ ଲାଇସେନ୍ସ ନବୀକରଣ କରାଯାଇଥାଏ। ତେବେ ଜିଲ୍ଲାରେ ୨୦୧୯–୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୨ରୁ ଅଧିକ ଘରୋଇ କ୍ଲିନିକ୍, ଡିସପେନ୍‌ସାରି ଆଦିର ଲାଇସେନ୍ସ ସୀମା ଶେଷ ହୋଇଯାଇଥିଲେ ମଧ୍ୟ ସେମାନେ ବେଆଇନ ଭାବେ ନିଜର ବ୍ୟବସାୟ ଜାରି ରଖିଛନ୍ତି।

କେବଳ ଏହାନୁହେଁ ପଞ୍ଜୀକୃତ ହୋଇଥିବା ଅନେକ କ୍ଲିନିକ୍, ଡିସପେନସାରି ବର୍ତ୍ତମାନ ବିଭିନ୍ନ ଗାଁଗହଳିରେ ଛତୁଫୁଟିଲା ଭଳି ସ୍ଥାପିତ ହୋଇଛି। ବର୍ତ୍ତମାନନ କରୋନା ସଂକ୍ରମିତଙ୍କ ପରୀକ୍ଷାନିରୀକ୍ଷା ଓ ଚିକିତ୍ସା ଆଦି ନିମନ୍ତେ ସରକାରୀ ହସ୍‌ପିଟାଲ୍ ଉପରେ ଚାପ ହ୍ରାସ କରିବା ନିମନ୍ତେ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ସରକାରୀ ହସ୍‌ପିଟାଲ୍‌କୁ ଆସିବାକୁ ବାରଣ କରାଯାଇଛି। ଏହି ପରିସ୍ଥିତିରେ ଘରୋଇ କ୍ଲିନିକ୍, ହସ୍‌ପିଟାଲ୍, ଡିସ୍‌ପେନସରିରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଏହାର ସୁଯୋଗ ଦେଇ ଅନେକ ଘରୋଇ ସ୍ବାସ୍ଥ୍ୟାନୁଷ୍ଠାନ ଲୋକଙ୍କ ଠାରୁ ଅଧିକ ଫି ନେଉଥିବା ଅଭିଯୋଗ ହେଉଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ବମୋହନ ପତି କହିଛନ୍ତି ଯେ ଅନେକ ଘରୋଇ କ୍ଲିନିକ୍, ଡିସପେନସାରିର ଦିଆଯାଇଥିବା ଲାଇସେନ୍ସର ସମୟ ସୀମା ଶେଷ ହୋଇଛି। କରୋନାକୁ ଦୃଷ୍ଟିରେ ରଖି କିଛି ଗୁରୁତ୍ବପୂର୍ଣ୍ଣ ଘରୋଇ ହସ୍‌ପିଟାଲ୍‌ର ଲାଇସେନ୍ସ ନବୀକରଣ କରାଯାଇଛି। ବଳକା ନବୀକରଣ ସ୍ଥିତି ସ୍ବାଭାବିକ ହେବା ପରେ କରାଯିବ। ତେବେ ଅନେକ ଅଣପଞ୍ଜୀକୃତ ଘରୋଇ କ୍ଲିନିକ୍, ଡିସ୍‌ପେନସାରିରେ ସାଧାରଣ ରୋଗର ପରୀକ୍ଷଣ ଓ ଚିକିତ୍ସା ପାଇଁ ଅତ୍ୟଧିକ ଫି ନେଉଥିବା ଅଭିଯୋଗ ସମ୍ପର୍କରେ ସେ କହିଛନ୍ତି ଯେ ଏନେଇ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଅଣାଯିବା ଆବଶ୍ୟକ।

ସମ୍ବନ୍ଧିତ ଖବର