ବାରୁଦ ଗଦାରେ ଧର୍ମଶାଳା : ଦୁଇ ବର୍ଷରେ ଗଡ଼ିଲାଣି ୧୪ମୁଣ୍ଡ, ଗାଁ ଗାଁ ରେ ମାଗାଜିନ୍‌, ବେଧଡ଼କ ଚାଲିଛି ବ୍ୟବସାୟ

ଭୁବନେଶ୍ୱର/ଯାଜପୁରରୋଡ଼ : ଯାଜପୁର ଜିଲ୍ଲାର ତିନିଟି ପ୍ରମୁଖ ପାହାଡ଼ ପଥର ମାଫିଆଙ୍କ କବ୍‌ଜାକୁ ଚାଲିଯାଇଥିବା ଖବର ପ୍ରକାଶ ପରେ ଏବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ମାଫିଆମାନେ ଧର୍ମଶାଳା ତହସିଲ ଅଞ୍ଚଳକୁ ଇତିମଧ୍ୟରେ ବାରୁଦ ଗଦାରେ ଠିଆ କରିଦେଲେଣି। ଏପରିକି ଭୟାନକ ବିସ୍ଫୋରଣରେ ଗତ ଦୁଇ ବର୍ଷ ମଧ୍ୟରେ ୧୪ ଜଣ ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଉ କିଛି ଘଟଣାକୁ ଦୁର୍ଘଟଣାର ରୂପ ଦେଇ ଫୁସ୍‌କାଇ ଦିଆଯାଇଛି। ବିଛାଖଣ୍ଡି, ବାଘୁଆ, ଜାବରା, ଡ଼ଙ୍କାରୀ, ରାହାଡ଼ପୁର, ଅଞ୍ଚିରା ପାହାଡ଼ରୁ ପଥର ଫଟାଇବା ବେଳେ ଏଭଳି ଘଟଣା ଘଟିଥିବା ସରକାରୀ ରେକର୍ଡ଼ କହୁଛି।

ବିସ୍ଫୋରଣ ମାମଲାରେ ୩/୪ ଇଣ୍ଡିଆନ୍‌ ଏକ୍ସପ୍ଲୋସିଭ୍‌ ସବ୍‌ଷ୍ଟାନସିଆଲ୍‌ ଆକ୍ଟ ବଦଳରେ ଫୋଟକା ଫୁଟିବା ଦଫା ୯(ବି) ଇଣ୍ଡିଆନ୍‌ ଏକ୍ସପ୍ଲୋସିଭ୍‌ ଆକ୍ଟରେ ପୁଲିସ ମାମଲା ରୁଜୁ କରି ମାଫିଆଙ୍କୁ ଖସାଇ ଦିଆଯାଇଥିବା ଅଭିଯୋଗ ଉଠିଛି। ଏହାର ସୁଯୋଗ ନେଇ ଏବେ ଗାଁ ଗାଁରେ ବିସ୍ଫୋରକ ସାମଗ୍ରୀ ବ୍ୟବସାୟ ଖୋଲି ଯାଇଛି। ସେସବୁ ସ୍ଥାନରେ ମାଗାଜିନ୍‌ ମିଳୁଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାଟି କୋକୁଆଭୟ ସୃଷ୍ଟି କଲାଣି।

ଉଲ୍ଲେଖଯୋଗ୍ୟ, ପ୍ର୍ରମୁଖ ଖଣିଜ ସଂପଦ ଭଳି ଲଘୁ ଖଣିଜ ସଂପଦ କାରବାରକୁ ସୁନିୟନ୍ତ୍ରିତ କରିବାକୁ ସରକାର ଗେଜେଟ୍‌ ଜରିଆରେ ନୀତି ନିୟମ ଲାଗୁ କରିଥିଲେ ହେଁ ଶହ ଶହ କୋଟି ଟଙ୍କାର ଚୋରା କାରବାର ଚାଲିଛି। ଯୋଡ଼ା, ବଡ଼ବିଲ କୋଇଡ଼ା ଜୋନ୍‌ରେ ଖଣି ମାଫିଆଙ୍କ ଭଳି ଲଘୁ ଖଣିଜ ସଂପଦକୁ ପଥର ମାଫିଆମାନେ ନିଜ ନିୟନ୍ତ୍ରଣକୁ ନେଇଗଲେଣି।

ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ, ବିଛାଖଣ୍ଡି, ରାହାଡ଼ପୁର, ଆରୁଆ, ଜାବରା, ବାଘୁଆ, ଅଞ୍ଜିରା ପାହାଡ଼ରେ ନାମକୁ ମାତ୍ର ରାଜସ୍ୱ ବିଭାଗ ରାଜସ୍ୱ ଆଦାୟ କରୁଥିବା ବେଳେ ଶହଶହ କୋଟି ଟଙ୍କାର ଗ୍ରାନାଇଟ୍‌(କଳା ପଥର) ଚୋରା ଚାଲାଣ ଚାଲିଛି। ଏହି କାରବାରକୁ ଅପରାଧୀମାନେ ନିଜ ନିୟନ୍ତ୍ରଣକୁ ନେବା ଆରମ୍ଭ କରିଛନ୍ତି।

ପୁଲିସର ସହଯୋଗରେ ଧର୍ମଶାଳା ଖଣିଖାଦାନ ଅଞ୍ଚଳ ବାରୁଦ ଗଦାରେ ପରିଣତ ହୋଇଛି। ଦିନରାତି ବେଆଇନ୍‌ ଓ୍ଵାଗନ୍‌ ବ୍ଲାଷ୍ଟିଂ ହେବା ଫଳରେ ଗ୍ରାମବାସୀଙ୍କର ଘର ଫାଟି ଆଁ କରୁଛି। ପାହାଡ଼ ନିକଟରେ ଥିବା ଚାଷ ଜମି ପଥର ଗଦାରେ ପରିଣତ ହୋଇଛି। ସଂପୃକ୍ତ ଅଞ୍ଚଳର ପରିବେଶ ଧ୍ୱଂସ ପାଇବା ସହିତ ସ୍ଥାନୀୟ ଜନସାଧାରଣଙ୍କ ଧନଜୀବନ ନଷ୍ଟ ହେବାରେ ଲାଗିଛି। ମାଫିଆଙ୍କ ଏହି ରେଡ଼୍‍ ଆଲର୍ଟ ଅଞ୍ଚଳଗୁଡ଼ିକୁ ପ୍ରଶାସନ ଅଧିକାରୀମାନେ ଯିବାକୁ ଭୟ କରୁଛନ୍ତି।

ଦୁଇ ମାସ-ତଳେ ଜେନାପୁର ପୁଲିସ ଚକ୍ରଧର ପଞ୍ଚାୟତ ଅଧୀନସ୍ଥ ବାଲି ସାହି ଛକ ନିକଟ ଏକ କୃଷିକ୍ଷେତ୍ରରୁ (ଜାତୀୟ ରାଜପଥ କଡ଼ରୁ) ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ମାତ୍ର ଏହି ବ୍ୟବସାୟ ଚଳାଇ ଥିବା ର‍୍ୟାକେଟର ଖଳନାୟକକୁ ପୁଲିସ ଧରିପାରିଲା ନାହିଁ । ଅନ୍ୟପଟେ ବିସ୍ଫୋରକ ସାମଗ୍ରୀ ଗୋଦାମ ଗୁଡ଼ିକ ଚାରିପଟ ପାଚେରି ନିର୍ମାଣ କରିବାକୁ ନିୟମ ଥିଲେ ହେଁ ତାହା କରାଯାଉନାହିଁ କି ଆବଶ୍ୟକ ଜଗୁଆଳୀ ମଧ୍ୟ ରଖାଯାଇନାହିଁ।

ଓ୍ଵାଗନ ବ୍ଲାଷ୍ଟିଂରେ ଜିଲୋଟିନ୍‌, ବିସ୍ଫୋରକ ସାମଗ୍ରୀ, ଆମୋନିଆ ନାଇଟ୍ରେଟ୍‌ (ଚାଷୀଙ୍କ ପାଇଁ ଆସୁଥିବା ସାର)କୁ ବିସ୍ଫୋରକ ସାମଗ୍ରୀ ବେପାରୀକୁ ବିକ୍ରି କରି ଦିଆଯାଉଛି। ପଡ଼ୋଶୀ ଢେଙ୍କାନାଳ ଜିଲ୍ଲାର ଜଣେ ବିସ୍ଫୋରକ ସାମଗ୍ରୀ ବ୍ୟବସାୟୀ ଧର୍ମଶାଳା ଅଞ୍ଚଳର ସାର ବ୍ୟବସାୟୀଙ୍କ ସହ ମିଶି ବେଧଡ଼କ ବ୍ୟବସାୟ ଚଳାଇ ଆସୁଥିଲେ ହେଁ ପୁଲିସ ପ୍ରଶାସନ ସେ ଦିଗରେ ନିରବ ରହୁଛି।

ସେହିଭଳି ଖୋଦ୍‌ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ଜାଣତରେ କାରବାର କରିବାର ନିୟମ ଥିଲେ ହେଁ ତାହା କରାଯାଉନାହିଁ। କେତେ ପରିମାଣ ବିସ୍ଫୋରକ ସାମଗ୍ରୀ ଯାଉଛି, ସେନେଇ ଜିଲ୍ଲାପାଳ ଜାଣିବା ସହିତ ପରିବହନ ବେଳେ ଏସ୍‌ପିଙ୍କ ଅନୁମତି ଲୋଡ଼ା। ମାତ୍ର ବିସ୍ଫୋରକ ଲାଇସେନସ୍‌ ପାଇଥିବା ବ୍ୟକ୍ତିଙ୍କ ସହ ଜିଲ୍ଲାପାଳ ଓ ଏସପିଙ୍କ କାର୍ଯ୍ୟାଳୟର କେତେକ କର୍ମଚାରୀଙ୍କ ମଧୁର ସଂପର୍କ ସେମାନଙ୍କୁ ଲଗାମ ଛଡ଼ା କରିଦେଇଛି। ଫଳରେ ବିସ୍ଫୋରକ ବ୍ୟବସାୟୀ ଗାଁ ଗାଁରେ ମାଗାଜିନ(ଗୋଦାମ) ଖୋଲି ଦେଇଛନ୍ତି। ଚୋରାରେ ସହଜରେ ବିସ୍ଫୋରକ ମିଳୁଥିବାରୁ ପଥର ମାଫିଆ ରାତାରାତି ଓ୍ଵାଗନ୍‌ ବ୍ଲାଷ୍ଟିଂ କରି ଲକ୍ଷ ଲକ୍ଷ ଟନ୍‌ ପଥର ଫଟାଇବାରେ ସଫଳ ହେଉଛନ୍ତି।

ଏସବୁ ବିସ୍ଫୋରକ ଏତେ ଶକ୍ତିଶାଳୀ ଯେ ଜେନାପୁର ପୁଲିସ ଜବତ କରି ପାଣି ଭିତରେ ରଖିଥିଲେ। ପାଣି ଶୁଖି ଯିବାରୁ ତାହା ବିସ୍ଫୋରଣ ହେଲା ଓ ସଂପୃକ୍ତ ଥାନାର ବ୍ୟାପକ କ୍ଷତି ଘଟିବା ସହିତ ଜଣେ ହୋମଗାର୍ଡ଼ ବିପିନ ବିହାରୀ ସାହୁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର