ଛତିଶଗଡ଼ ମାଫିଆଙ୍କ କବ୍‌ଜାରେ ଅଂଗ ନଦୀ

ବରଗଡ଼ : ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ କରି ଓଡ଼ିଶାରେ ଜଳସଂକଟ ସୃଷ୍ଟି କରିଛନ୍ତି। ଯଦ୍ୱାରା ଉଭୟ ପଡ଼ୋଶୀ ରାଜ୍ୟ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଂଚିଛି। ମାମଲା ସୁପ୍ରିମକୋର୍ଟ ଯାଏଁ ପହଂଚିଛି। ଏବେ ଛତିଶଗଡ଼ର ମାଫିଆମାନେ ଅଂଗନଦୀ ଉପରେ ଆଖି ପକାଇଛନ୍ତି। ଅଂଗନଦୀରୁ ଦୈନିକ ଶହଶହ ଟନ୍‌ ବାଲି ଚୋରା ଚାଲାଣ ହେଉଛି। ପଦ୍ମପୁରରୁ ପ୍ରାୟ ୨୦ କିଲୋମିଟର ତଥା ଜଗଦଲପୁରରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ସୁକଲିପାହାଡ଼ ଠାରେ ରାତି ତମାମ ଏହି ଚୋରା କାରବାର ଚାଲିଛି। ସୁକଲିପାହାଡ଼ ନିକଟ ଦେଇ ଯାଇଥିବା ଅଂଗ ନଦୀ ଏବେ ଛତିଶଗଡ଼ ମାଫିଆଙ୍କ କବ୍‌ଜାରେ। ପ୍ରତିଦିନ ଶହଶହ ଟ୍ରକ୍‌ ଏଠାରେ ରୁଣ୍ଡ ହେଉଛନ୍ତି। ସାରା ରାତି ନଦୀ ଗର୍ଭରୁ ବାଲି ଖୋଳି ଡମ୍ପରରେ ଛତିଶଗଡ଼ ଚାଲାଣ ହେଉଛି। ଏଠାରୁ ଛତିଶଗଡ଼ ସୀମା ମାତ୍ର ୫-୬ କିଲୋମିଟର। ସୀମା ଅତିକ୍ରମ କରିବା ପାଇଁ ବାଲି ମାଫିଆମାନେ ନଦୀ ଭିତରେ ହିଁ ଛୋଟ ପଥର (ବଜରି) ପକାଇ ୫ଶହ ମିଟର ଲମ୍ବର ରାସ୍ତା କରିଛନ୍ତି। ଏହି ରାସ୍ତା ଯୋଗୁଁ ଜଳଧାର ତଳମୁଣ୍ଡକୁ ଆସି ପାରୁନି।

ସୂଚନା ଅନୁସାରେ, ପଦ୍ମପୁର ଅଂଚଳରେ ଗୋଟିଏ ଡମ୍ପର ବାଲି ୬ ହଜାର ଟଙ୍କା ରହିଛି। କିନ୍ତୁ ସରେଇପାଲି ଏବଂ ସୀମା ନିକଟବର୍ତୀ ଅଂଚଳରେ ଏହାର ମୂଲ୍ୟ ୧୨ହଜାର ଟଙ୍କା। ତେଣୁ ଓଡ଼ିଶା ସୀମାରୁ ବାଲି ଚାଲାଣ ହୋଇ ପ୍ରାୟ ଦୁଇଗୁଣା ଦାମରେ ମାଫିଆମାନେ ବିକ୍ରି କରୁଛନ୍ତି। ଏଥିରେ ପଦ୍ମପୁର ଏବଂ ଆଖପାଖ ଅଂଚଳର କିଛି ମାଫିଆ ମଧ୍ୟ ହାତ ମିଳାଇଛନ୍ତି। ଏଥିରେ ଉଭୟ ରାଜ୍ୟର ନମ୍ବର ଥିବା ଡମ୍ପର ବ୍ୟବହାର ହେଉଛି। ବାଲି ଚୋରା ଚାଲାଣ ପାଇଁ ନଦୀ କୂଳରେ ଗୋଟିଏ କ୍ୟାମ୍ପ ମଧ୍ୟ କରାଯାଇଥିଲା। ହେଲେ କେଇ ଦିନ ହେଲା ଏହି ଅସ୍ଥାୟୀ କ୍ୟାମ୍ପ ହଟାଯାଇଛି। ସ୍ଥାନୀୟ ଲୋକେ ଏନେଇ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍‌ର ଦୃଷ୍ଟି ଆକର୍ଷଣ କରିବା ପରେ କିଛି ଦିନ ଏହି କାରବାର ବନ୍ଦ ରହିଥିଲା। କିନ୍ତୁ ଏବେ ରାତି ବେଳା ବାଲି ଛତିଶଗଡ଼ ଚାଲାଣ ହେଉଛି। ପ୍ରତିବାଦ କଲେ ମାଫିଆମାନେ ଧମକଚମକ ଦେବାକୁ ପଛାଉ ନାହାନ୍ତି। ଅଂଗ ନଦୀ ତଳମୁଣ୍ଡରେ ଥିବା ଲୋକେ ନଦୀ ପାଣିକୁ ପିଇବା ପାଇଁ ବ୍ୟବହାର କରୁଛନ୍ତି। କିନ୍ତୁ ନଦୀ ଭିତରେ ଥିବା ପଥରଗୁଣ୍ଡ ରାସ୍ତା ଯୋଗୁଁ ପାଣି ପ୍ରଦୂଷିତ ହେଉଛି। ଲୋକେ ପେଟରୋଗରେ ଆକ୍ରାନ୍ତ ହେଉଥିବା ଦେଖା ଦେଇଛି। ଏନେଇ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର