ବ୍ରାହ୍ମଣୀରୁ ବେଧଡ଼କ ଭାବେ ଚାଲିଛି ବାଲି ଲୁଟ୍‌ : ସରକାରଙ୍କ ବ୍ୟାପକ ରାଜସ୍ବ ହାନି, ପ୍ରଶାସନର ନିରବତା ନେଇ ଲୋକେ ଚକିତ

ଚଢ଼େଇଧରା : ଧର୍ମଶାଳା ତହସିଲର କୁସ୍ତିରାରୁ କଲାଣ୍ଡ ପର୍ଯ୍ୟନ୍ତ ଦୀର୍ଘ ୨୦ କିମିରୁ ଊର୍ଦ୍ଧ୍ବ ବ୍ରାହ୍ମଣୀ ନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରୁ ପ୍ରତିଦିନ ହଜାର ହଜାର ଘନମିଟର ବାଲି ଲୁଟ୍‌ ହେଉଛି। ବିଭିନ୍ନ ସ୍ଥାନରେ ରାମ୍ପ କରାଯାଇ ଟ୍ରାକ୍ଟର, ଟ୍ରିପର ଓ ହାଇୱାରେ ବାଲି ଚାଲାଣ ହେଉଥି‌ବା ବେଳେ ପ୍ରଶାସନର ନିରବତା ଲୋକଙ୍କୁ ଚକିତ କରିଛି। କୁସ୍ତିରା, ଜେନାପୁର, ବୃନ୍ଦାଦେଈପୁର, ଚଉଷଠିପଡ଼ା, ରାଇଛନ୍ଧା, ତଇଲାସାହି, ସିଧାପାଳ, ବାଲିକୁଦିଆ, ରେଖିଦେଈପୁର, ମାଳହାଟ ଓ କଲାଣ୍ଡରେ ବେଆଇନ ବାଲି ଘାଟ ଚାଲୁଛି। ଏଠାରୁ ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ  ବାଲି ଚୋରା ଚାଲାଣ ହେଉଛି। କେବଳ ସେତିକି ନୁହେଁ ଚଢ଼ା ଦରରେ ରାଜ୍ୟ ବାହାରକୁ ମଧ୍ୟ ବାଲି ଚାଲାଣ ହେଉଥିବା ସୂଚନା ମିଳିଛି। ଏହାକୁ ରୋକିବାରେ ପ୍ରଶାସନ ବିଫଳ ହୋଇଛି।

ଜେନାପୁର ଓ ବୃନ୍ଦାଦେଈପୁରର କିଛି ବାଲି ଘାଟ ଲିଜ୍ ଦିଆଯାଇଛି। ଲିଜ୍‌ଧାରୀମାନେ ପ୍ରୋକ୍ଲିନ୍ ଓ ଜେସିବି ସାହାଯ୍ୟରେ ଦିନକୁ ଶହଶହ ଟ୍ରିପ୍‌ ବାଲି ଉଠାଇ ତଟବର୍ତ୍ତୀ ଅଞ୍ଚଳକୁ ଗାଢ଼ କରି ସାରିଲେଣି। ଏଠାରେ ଗାଧୋଇବାକୁ ଲୋକେ ଡ଼ରୁଛନ୍ତି। ଦିନକୁ ମାତ୍ର ୯ ଘନ ମିଟର ବାଲି ଉତ୍ତୋଳନ ପାଇଁ ଏସବୁ ଘାଟକୁ ଅନୁମତି ମିଳିଛି। ଏଠାରୁ ହଜାର ହଜାର ଟ୍ରିପ୍‌ ବାଲି ଲୁଟ୍‌ ହେଉଥିବା ବେଳେ ପ୍ରଶାସନ କିପରି ନଜର ପଡ଼ୁନି ତାକୁ ‌ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କଳିଙ୍ଗନଗରରେ ଗଢ଼ି ଉଠିଥିବା ବିଭିନ୍ନ ଶିଳ୍ପାନୁଷ୍ଠାନକୁ ବାଲି ଚୋରା ଚାଲାଣ ହେଉଛି। ଏହା ପଛରେ ଏକ ଗ୍ୟାଙ୍ଗ କାମ କରୁଛି। ଧର୍ମଶାଳା ଓ ସୁକିନ୍ଦାର କିଛି ବାଲି ମାଫିଆ ଏହି ଗ୍ୟାଙ୍ଗରେ ସାମିଲ ଥିବା ଆଲୋଚନା ହେଉଛି। ଧର୍ମଶାଳା ଅଞ୍ଚଳରୁ ବାଲି ଗାଡ଼ିକୁ ଏହି ଗ୍ୟାଙ୍ଗ କବାଟବନ୍ଧ ବାହ୍ମଣୀ ସେତୁ ସୀମା ପାର କରାଇବା ପରେ ସୁକିନ୍ଦା ତହସିଲ ଅଞ୍ଚଳର ଏକ ଗୋଷ୍ଠୀ କଡ଼ା‌ ସୁରକ୍ଷା ମଧ୍ୟରେ ଶିଳ୍ପାନୁଷ୍ଠାନରେ ପହଞ୍ଚାଉଥିବା ଚର୍ଚ୍ଚା ହେଉଛି। ସରକାରଙ୍କ ବ୍ୟାପକ ରାଜସ୍ବ ହାନି ହେଉଛି। ସ୍ଥାନୀୟ ଲୋକେ ଏହି ବାଲି ମାଫିଆଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ସାହସ ଜୁଟାଇ ପାରୁ ନାହାଁନ୍ତି। ଉଭୟ ତହସିଲ କର୍ତ୍ତୃପକ୍ଷ ଓ ପୁଲିସ ପକ୍ଷରୁ ମିଳିତ ଭାବେ ବ୍ୟାପକ ଚଢ଼ଉ କରି ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର