ସର୍ବକ୍ଷମା ପାଇଁ ମୂଲ୍ୟ ଧାର୍ଯ୍ୟ : ଦେଢ଼ଗୁଣା ପର୍ଯ୍ୟନ୍ତ ଜରିମାନା, ଖୁବ୍‌ଶୀଘ୍ର ବିଜ୍ଞପ୍ତି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସହରାଞ୍ଚଳ ଏବଂ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଆବାସିକ ଘର, ଆପାର୍ଟମେଣ୍ଟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ହସ୍ପିଟାଲ, ବିଭିନ୍ନ ପ୍ରକଳ୍ପ ଆଦିକୁ ନିୟମିତ କରାଯିବ। ଯେତିକି ନିୟମ ଅଛି ତାହା ଠାରୁ ଅଧିକ ନିର୍ମାଣ କରିଥିଲେ ବି ଏହାକୁ ଭଙ୍ଗାଯିବନି। କେବଳ କିଛି ଜରିମାନା ଦେଇଦେଲେ ବେଆଇନ୍‌ ଘର ନିୟମିତ ହୋଇଯିବ। ଏଥିପାଇଁ ନଗର ଉନ୍ନୟନ ବିଭାଗ ସର୍ବକ୍ଷମା ଯୋଜନା ଆଣିବାକୁ ଯାଉଛି। ବିଭିନ୍ନ ଅଞ୍ଚଳ ପାଇଁ ଜରିମାନା ଅର୍ଥ ଧାର୍ଯ୍ୟ ହୋଇଯାଇଥିବା ବେଳେ ଏନେଇ ବିଭିନ୍ନ ବିଭାଗରୁ ମତାମତ ନିଆସରିଛି। ଖୁବ୍‌ ଶୀଘ୍ର ସର୍ବକ୍ଷମା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ଯେତେ କମ୍ପାଉଣ୍ଡିଂ ଫି’ (ପ୍ଲାନ୍‌ ଅନୁମୋଦନ ପାଇଁ ବର୍ଗମିଟର ପିଛା ଦେଉଥିବା ଫି’) ଅଛି ତାହାର ୧.୧ଗୁଣାରୁ ୧.୪ଗୁଣା ପର୍ଯ୍ୟନ୍ତ ଜରିମାନା ଦେଇ ନିୟମିତ କରିପାରିବେ। ରାଜ୍ୟର ୫ଟି ଯାକ ମହାନଗର ନିଗମ ଅଞ୍ଚଳରେ ଯେତିକି କମ୍ପାଉଣ୍ଡିଂ ଫି’ ଅଛି ତା’ର ୧.୪ଗୁଣ ଫି’ ଦେବାକୁ ପଡ଼ିବ। ସେହିପରି ମ୍ୟୁନିସପାଲଟି ଅଞ୍ଚଳ ପାଇଁ ୧.୩ଗୁଣା, ଏନ୍‌ଏସି ଅଞ୍ଚଳ ପାଇଁ ୧.୨ଗୁଣା, ଗ୍ରାମାଞ୍ଚଳ ପାଇଁ ୧.୧ଗୁଣା ଫି’ ଦେଇ ନିଜର ଘରକୁ ନିୟମିତ କରିପାରିବେ।

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୋଟିକିଆ ଘର ପାଇଁ ସର୍ବକ୍ଷମାରେ କୋହଳ ନୀତି ଆପଣାଯିବ। ଯଦି ଘର ନିର୍ମାଣ ସମୟରେ ଚାରିକଡ଼େ କିଛି ସ୍ଥାନ ଛାଡ଼ି ନଥିବେ ତେବେ ତାଙ୍କ ଠାରୁ ସର୍ବକ୍ଷମାରେ ଜରିମାନା ନେଇ ପ୍ଲାନ୍‌ ଦେଇ ଦିଆଯିବ। କିନ୍ତୁ ବହୁତଳ ପ୍ରସାଦ, ଆପାର୍ଟମେଣ୍ଟ, ହସ୍ପିଟାଲ, କ୍ଲିନିକ, ସିନେମା ହଲ୍‌ ଆଦି କ୍ଷେତ୍ରରେ ନିୟମ କୋହଳ କରାଯିବନି। ଏଠାରେ ଚାରି ପାର୍ଶ୍ୱରେ ଯେତିକି ଜମି ଛାଡ଼ିବାକୁ ଧାର୍ଯ୍ୟ ହୋଇଛି ସେତିକି ଛାଡ଼ି ନଥିଲେ ସର୍ବକ୍ଷମାରେ ସାମିଲ୍‌ କରାଯିବନି। ଏଠାରେ କେବଳ ପ୍ଲାନ୍‌ ଠାରୁ ଅଧିକ ଉଚ୍ଚତା ବା ଅଧିକ ଘର ନିର୍ମାଣ ହୋଇଥିଲେ ଛାଡ଼ କରାଯିବ ବୋଲି ଆପାତତଃ ସ୍ଥିର ହୋଇଛି।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସର୍ବକ୍ଷମା ନିୟମ ନେଇ ପ୍ରାୟ ସମସ୍ତ ବିଭାଗ ସେମାନଙ୍କ ପ୍ରସ୍ତାବ ଦେଇସାରିଛନ୍ତି। ପ୍ରସ୍ତୁତ ହୋଇଥିବା ପ୍ରସ୍ତାବରେ କିଛି ସଂଶୋଧନ ଅଣାଯିବ। ଏହାପରେ ପ୍ରସ୍ତାବିତ ନିୟମକୁ ଆଇନ ବିଭାଗକୁ ପଠାଯିବ। ଆଇନ ବିଭାଗ ସବୁଜ ସଂକେତ ଦେଲେ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଯିବ। ଏହାପରେ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବ ଆସିବ। କ୍ୟାବିନେଟ ଅନୁମୋଦନ କଲେ ଏହାକୁ ଲାଗୁ ହେବ। ଚଳିତ ମାସ ଶେଷ ସୁଦ୍ଧା ଏହି ସବୁ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ଜୁନ୍‌ ଶେଷ ସୁଦ୍ଧା ସର୍ବକ୍ଷମା ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ।

ବିଜ୍ଞପ୍ତି ପ୍ରକାଶ ପାଇବାର ୬ମାସ ପର୍ଯ୍ୟନ୍ତ ଏହା ଲାଗୁ ହେବ। ଏହି ଅବଧିରେ ଯେ କେହିବି ଆବେଦନ କରି ସେମାନଙ୍କ ବେଆଇନ ନିର୍ମାଣକୁ ମଞ୍ଜୁର କରିପାରିବେ। ଏଥିପାଇଁ ନିର୍ମାଣ ହୋଇଥିବା ବିଲଡିଂର ୪ ସେଟ୍‌ ପ୍ଲାନ୍‌ କପି, ଲେ ଆଉଟ୍‌ ପ୍ଲାନ୍‌, ଫ୍ଲୋର୍‌ ପ୍ଲାନ୍‌, ଚାରି ପଟେ କ’ଣ ଅଛି, କେତେ ଜମି ଛଡ଼ା ଯାଇଛି, ଡ୍ରେନେଜ୍‌ ଓ ସ୍ୱେରେଜ୍‌ ପ୍ଲାନ୍‌, ଜମି ମାଲିକ/ଡେଭଲପର ଏବଂ ଆର୍କିଟେକ୍ଟଙ୍କ ଦସ୍ତଖତ, ଜମି ମାଲିକନାର କପି, ଯଦି ପୂର୍ବରୁ ଘର ନିର୍ମାଣ ପାଇଁ କର୍ତ୍ତୃପକ୍ଷଙ୍କର ପ୍ଲାନ୍‌ ନେଇଥିବେ ତାହାର କପି, ଘର ନିର୍ମାଣ ହୋଇଥିଲେ ଏହାର ଦୁଇଟି ଦିଗରୁ ଉଠା ଯାଇଥିବା ଫଟୋ (ଫଟୋକୁ ଆର୍କିଟେକ୍ଟଙ୍କ ଦ୍ୱାରା ଆଟେଷ୍ଟେଡ୍‌ କରିବାକୁ ପଡ଼ିବ), କାଉନସିଲ୍‌ ଅଫ୍‌ ଆର୍କିଟେକଚର୍‌ ଦ୍ୱାରା ପଞ୍ଜୀକୃତ ହୋଇଥିବା ଆର୍କିଟେକ୍ଟ କ୍ଷେତ୍ର ପରିଦର୍ଶନ କରିଥିବାର ସାର୍ଟିଫିକେଟ (ତାରିଖ ସହ), ଯେଉଁଠି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ଥିବ ସେହି କ୍ଷେତ୍ରରେ ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍‌, ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଷ୍ଟ୍ରକଚରାଲ୍‌ ସେଫ୍‌ଟି ସାର୍ଟିଫିକେଟ୍‌, ଯଦି ପାରିପାର୍ଶ୍ୱିକ ଉନ୍ନତୀକରଣ ପାଇଁ ଯୋଜନା ଥିବ ତେବେ ପୌର ସଂସ୍ଥା କର୍ତ୍ତୃପକ୍ଷଙ୍କ ଠାରୁ ଏନ୍‌ଓସି, ପଡ଼ୋଶୀଙ୍କ ଠାରୁ ଏନ୍‌ଓସି ଆଦି ଆଣିବାକୁ ପଡ଼ିବ। ଏହାସହ ଏଏସ୍‌ଆଇ, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିୟମକୁ ଉଲ୍ଲଂଘନ କରୁଥିଲେ ସେମାନଙ୍କ ଠାରୁ ଏନ୍‌ଓସି ଆଣିବାକୁ ହେବ।

ଯଦି ସରକାରୀ ଜମିରେ କୌଣସି ନିର୍ମାଣ ହୋଇଥିବ ତେବେ ଏହାକୁ ରେଗୁଲାରାଇଜ୍‌ କରାଯିବନି, ଡ୍ରେନ୍‌, ସରକାରୀ ବା ଘରୋଇ ରାସ୍ତା ଉପରେ କୌଣସି ନିର୍ମାଣ ହୋଇଥିଲେ, ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯେଉଁ ଜୋନ୍‌ରେ ଘର ନିର୍ମାଣ ଉପରେ ରୋକ୍‌ ଲାଗିଥିବ ତେବେ ପ୍ଲାନ୍‌ ରେଗୁଲାରାଇଜ୍‌ କରାଯିବନି।

ସମ୍ବନ୍ଧିତ ଖବର