୧୦ଲକ୍ଷ ଟଙ୍କାର ଚୋରା କ୍ରୋମାଇଟ୍ ଜବତ

ଯାଜପୁର/କାଳିଆପାଣି/ଢେଙ୍କାନାଳ : ଯାଜପୁର ଜିଲ୍ଲାର କ୍ରୋମ ଉପତ୍ୟକା କାଳିଆପାଣିରୁ ନିୟମିତ କୋଟି କୋଟି ଟଙ୍କାର ମୂଲ୍ୟବାନ ଖଣିଜପଥର କ୍ରୋମାଇଟ୍ ଲୁଟ୍ ହେବାରେ ଲାଗିଛି। ଗତ ୩୦ତାରିଖରେ ଯାଜପୁର ସୀମାନ୍ତ ଢେଙ୍କାନାଳ ଜିଲ୍ଲାର ଗଁଦିଆ ଥାନା ଅନ୍ତର୍ଗତ ଷଡ଼ଙ୍ଗି ରେଞ୍ଜ ଅଧୀନ ଧନିଆନାଳୀ ଗ୍ରାମର ପାଳଗାଣ୍ଡୁଆ ଜଙ୍ଗଲରୁ ୮୦ଟନ୍ ଚୋରା କ୍ରୋମାଇଟ୍ ବିଭାଗୀୟ ସ୍କ୍ବାଡ୍‌ ଜବତ କରିଛି। ଜବତ ଚୋରା କ୍ରୋମାଇଟ୍ ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପ୍ରାଥମିକ ଆକଳନ କରାଯାଇଛି।

ପ୍ରକାଶ ଥାଉକି ଅନୁଗୁଳ ଜିଲ୍ଲା ଅନ୍ତର୍ଗତ କାଠପାଳ ଓ କେନ୍ଦୁଝରର ବଉଳା କ୍ରୋମାଇଟ୍ ଖଣି ବନ୍ଦ ହୋଇଯିବା ପରେ କେବଳ କାଳିଆପାଣି କ୍ରୋମ ଉପତ୍ୟକାରୁ କ୍ରୋମାଇଟ୍ ଦେଶବିଦେଶ ଶିଳ୍ପାନୁଷ୍ଠାନକୁ ଯୋଗାଣ ହେଉଛି। ମୂଲ୍ୟବାନ ଏହି ଖଣିଜ ପଥର ଚୋରାଚାଲାଣ ରୋକିବା ପାଇଁ ସରକାର ସ୍ବତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରିବା ସହିତ ଗାଡ଼ି ଗୁଡ଼ିକୁ ଟ୍ରାକିଂ କରିବା ପାଇଁ ମଧ୍ୟ ଜିପିଏସ୍ ବ୍ୟବସ୍ଥା କରାଯାଇଛି। ଅଥଚ ନିୟମିତ ଚୋରା କାରବାର ଚାଲିଛି ବୋଲି ଗତ ୩୦ ତାରିଖରେ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ତେଣୁ ଯାଜପୁରରୋଡ଼ ଡିଡିଏମଙ୍କ ଅଧୀନରେ ଥିବା କ୍ଷେତ୍ର କର୍ମଚାରୀ ଇନିସ୍ପେକ୍ଟରମାନଙ୍କ ତଦାରଖ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିି। ଏ ସଂପର୍କରେ ଯାଜପୁରରୋଡ଼ ଡିଡିଏମ ପିଏସକେ ବଳଙ୍କୁ ପଚାରିବାରେ ତାଙ୍କ ନିକଟରେ କିଛି ଖବର ନାହିଁ ବୋଲି କହିଛନ୍ତି। କେବଳ ଚୋରା କ୍ରୋମାଇଟ୍ ଜବତ ‌କରାଯାଇଛି ବୋଲି ପଡ଼ୋଶୀ ଡିଡିଏମ ଖବର ଦେଇଛନ୍ତି। କେଉଁ ଠାରୁ ଏହା ଚୋରି ହୋଇଛି ତାହାର ସମୀକ୍ଷା କରାଯିବ ବୋଲି ଡିଡିଏମ ଶ୍ରୀ ବଳ କହିଛନ୍ତି।

ସମ୍ବନ୍ଧିତ ଖବର