ଚୋରା ବାଲି ଚାଲାଣ : ଡମ୍ପର ଚପାଇ ଅତିରିକ୍ତ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ

ବାହାନଗା : ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ଅଧୀନ ୧୬ ନମ୍ବର ଜାତୀୟ ରାଜପଥରେ ବାହାନଗା ଅତିରିକ୍ତ ତହସିଲଦାର ସଂଗ୍ରାମ କେଶରୀ ପରିଡ଼ାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଗାଡ଼ିଗୁଡ଼ିକର କାଗଜପତ୍ର ଯାଞ୍ଚ କରୁଥିଲା। ଦିନ ପ୍ରାୟ ୧୨ଟା ବେଳେ ବାଲେଶ୍ୱର ଆଡ଼କୁ ଓଡି-୦୧-ଏମ୍‌-୬୫୧୧ ନମ୍ବରର ଏକ ଡମ୍ପର ବାଲି ବୋଝେଇ କରି ଆସୁଥିଲା। ତହସିଲ କର୍ମଚାରୀ ଡମ୍ପରଟିକୁ ଅଟକାଇବାକୁ ଇସାରା ଦେଇଥିଲେ। ହେଲେ ଡ୍ରାଇଭର ଗାଡ଼ିକୁ ନ ଅଟକାଇ ଦୃତଗତିରେ ପଳାଇଯାଇଥିଲା। ଫଳରେ ଅତିରିକ୍ତ ତହସିଲଦାର ଶ୍ରୀ ପରିଡ଼ା ଏବଂ ଦୁଇଜଣ କର୍ମଚାରୀ ମନୋରଂଜନ ବେହେରା ଓ ଶ୍ରୀଧର ସାମଲ ତହସିଲ ଗାଡ଼ିରେ ଡମ୍ପରକୁ ଗୋଡ଼ାଇଥିଲେ। ଡମ୍ପରର ଡ୍ରାଇଭର ତହସିଲ ଗାଡ଼ିକୁ ଚପାଇଦେବାକୁ ଅନେକ ଚେଷ୍ଟା କରିଥିଲା। ହେଲେ ତହସିଲ ଗାଡ଼ିର ଡ୍ରାଇଭର ମନୋଜ ଦାସଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସମସ୍ତେ ଅଳ୍ପକେ ବର୍ତିଯାଇଥିଲେ। ପରେ ଧରାପଡ଼ିବା ଭୟରେ ଡମ୍ପର ଡ୍ରାଇଭର ଜାତୀୟ ରାଜପଥର ଓଳିଆପାଟଣା ନିକଟରେ ଗାଡ଼ିକୁ ଛାଡ଼ି ଫେରାର ହୋଇଯାଇଥିଲା। ଅତିରିକ୍ତ ତହସିଲଦାର ଶ୍ରୀ ପରିଡ଼ା ଉକ୍ତ ଡମ୍ପରକୁ ଜବତ କରିଥିଲେ।

ସମ୍ବନ୍ଧିତ ଖବର